ସର୍ କ୍ରୀକ୍ ନିକଟରେ ଭାରତର ସମରାଭ୍ୟାସ ପ୍ରସ୍ତୁତି, ବାୟୁସୀମା ୨ ଦିନ ପାଇଁ ବନ୍ଦ କଲା ପାକିସ୍ତାନ
Published By: Chikun – Prameya-News7 Bureau | October 27, 2025 09:57 PM
NEWS7
ନୂଆଦିଲ୍ଲୀ: ଭାରତର ସାମରିକ ଅଭ୍ୟାସ ‘ତ୍ରିଶୂଳ’ ପୂର୍ବରୁ ପାକିସ୍ତାନ ଏହାର କେନ୍ଦ୍ର ଓ ଦକ୍ଷିଣ ବାୟୁସୀମା (ରାଜସ୍ଥାନ-ଗୁଜରାଟକୁ ଲାଗିଥିବା ଅଞ୍ଚଳ)କୁ ଆସନ୍ତା ୨୮ ଓ ୨୯ ତାରିଖ ଦୁଇଦିନ ପାଇଁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି ।
ଶନିବାର ଏନେଇ ‘ନୋଟାମ୍ (ନୋଟିସ ଟୁ ଏୟାରମ୍ୟାନ୍)’ ଜାରି ହୋଇଛି । ଦୁଇଦିନ ଏହି ଅଞ୍ଚଳରେ ବାୟୁସୀମା ଉପଲବ୍ଧ ରହିବ ନାହିଁ ଏବଂ ଉଡ଼ାଣ ଉପରେ ରୋକ୍ ଲାଗିବ ବୋଲି ପାକିସ୍ତାନ କହିଛି। ତେବେ ପାକ୍ ସରକାର ନିଜର ଏହି ନିଷ୍ପତ୍ତି ପଛରେ କୌଣସି କାରଣ ଦର୍ଶାଇ ନାହିଁ । ପ୍ରତିରକ୍ଷା ବିଶେଷଜ୍ଞଙ୍କ ଅନୁସାରେ ଏହା କୌଣସି ସୈନ୍ୟ ଅଭିଯାନ କିମ୍ବା ଅସ୍ତ୍ରଶସ୍ତ୍ର ପରୀକ୍ଷଣ ସହ ଜଡ଼ିତ ଥାଇପାରେ ।
ଅନ୍ୟମାନେ ଏହାକୁ ଭାରତର ‘ତ୍ରିଶୂଳ’ ଯୁଦ୍ଧାଭ୍ୟାସ ସହ ଯୋଡ଼ିଛନ୍ତି । ଏହି ଯୁଦ୍ଧାଭ୍ୟାସ ସର୍ କ୍ରୀକ୍ ନିକଟରେ ଅର୍ଥାତ ପାକିସ୍ତାନ ସୀମାକୁ ଲାଗିକରି ଥିବା ଅଞ୍ଚଳରେ ହେବ । ଏହା ୨୮ ହଜାର ଫୁଟ ଉଚ୍ଚତା ମଧ୍ୟରେ ହେବ, ଯାହା କି ନିକଟ ବର୍ଷଗୁଡ଼ିକରେ ସବୁଠୁ ବଡ଼ ସୈନ୍ୟ ଅଭିଯାନ ମଧ୍ୟରୁ ଅନ୍ୟତମ ।




