ନୂଆଦିଲ୍ଲୀ: ଯାହା ଆଶଙ୍କା କରାଯାଉଥିଲା ତାହା ହିଁ ହେଲା। ଆହତ ଯୋଗୁ ଅଷ୍ଟ୍ରେଲିଆ ବିପକ୍ଷ ବିଶ୍ୱକପ ସେମିଫାଇନାଲ୍ ଫାଇଟ୍ରୁ ବାଦ୍ ପଡ଼ିଲେ ଟିମ୍ ଇଣ୍ଡିଆର ଷ୍ଟାର ଓପନର ପ୍ରତୀକା ରାୱଲ। ବର୍ତ୍ତମାନ ତାଙ୍କ ସ୍ଥାନରେ ଶେଫାଳୀ ବର୍ମା ଦଳରେ ସାମିଲ୍ ହୋଇଛନ୍ତି। ଏନେଇ ସୋମବାର ବିସିସିଆଇର ଅନୁରୋଧକୁ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ(ଆଇସିସି) ଅନୁମୋଦନ ଦେଇଛି।
ଗତକାଲି(୨୬ ଅକ୍ଟୋବର) ବାଂଲାଦେଶ ବିପକ୍ଷ ମ୍ୟାଚ୍ରେ ପ୍ରତୀକା ଆହତ ହୋଇଥିଲେ। ବାଂଲାଦେଶୀ ବ୍ୟାଟର ଶର୍ମିନ୍ ଆକ୍ତର ମିଡ୍ୱିକେଟ୍ ଆଡକୁ ବଲ୍ ମାରିଥିଲେ। ଆଉ ପ୍ରତୀକା ବଲ୍ ଅଟକାଇବାକୁ ଦୌଡ଼ିଥିଲେ। ବାଉଣ୍ଡରୀ ରୋପ୍ ଦେଇ ସ୍ଲାଇଡ୍ କରିବାକୁ ଚେଷ୍ଟା କରିଥିବା ବେଳେ ତାଙ୍କ ଡାହାଣ ପାଦ ହଠାତ୍ ଅସ୍ୱାଭାବିକ ଭାବେ ମୋଡ଼ି ହୋଇଯାଇଥିଲା। ତାଙ୍କ ହୋଇଠି ଓ ଆଣ୍ଠୁରେ ଆଘାତ ଲାଗିଥିଲା। ଏହାପରେ ତାଙ୍କୁ ମ୍ୟାଚ୍ରୁ ହଟାଇ ଦିଆଯାଇଥିଲା। ଫଳରେ ସେ ଟୁର୍ଣ୍ଣାମେଣ୍ଟରୁ ବାଦ ପଡ଼ିବା ଭୟ ଘାରିଥିଲା। ସତକୁ ସତ ତାହା ହିଁ ହୋଇଛି।

ସେପଟେ ଅକ୍ଟୋବର ୩୦ ତାରିଖରେ ଭାରତ ଅଷ୍ଟ୍ରେଲିଆ ସହିତ ସେମିଫାଇନାଲ ଖେଳିବ। ଏଥିପାଇଁ ଦଳରେ ଶେଫାଳୀ ବର୍ମାଙ୍କୁ ସାମିଲ୍ କରିବାକୁ ବିସିସିଆଇ ଆଇସିସିକୁ ଅନୁରୋଧ କରିଥିଲା। ସୋମବାର ଆଇସିସି ଏହାକୁ ଅନୁମୋଦନ ଦେଇଛି। ଫଳରେ ଶେଫାଳୀ ବର୍ମା ବିଶ୍ୱକପ୍ ଟିମ୍ରେ ଫେରିବା ପକ୍କା ହୋଇଛି। ତେବେ ଚିନ୍ତାର ବିଷୟ ହେଉଛି ପାଖାପାଖି ବର୍ଷେ ହେବ ଶେଫାଳୀ ବର୍ମା ଟିମ୍ ଇଣ୍ଡିଆ ପାଇଁ ଦିନିକିଆ ମ୍ୟାଚ୍ ଖେଳି ନାହାନ୍ତି। ଶେଷଥରେ ପାଇଁ ସେ ଅକ୍ଟୋବର ୨୦୨୪ରେ ଦିନିକିଆ ମ୍ୟାଚ୍ ଖେଳିଥିଲେ।
ତେବେ ଶେଫାଳୀଙ୍କ ଦଳରେ ସାମିଲ୍ ହେବା ନେଇ ଆଇସିସି ଏକ ବିବୃତ୍ତି ଜାରି କରିଛି। ଯେଉଁଥିରେ କୁହାଯାଇଛି “ଆଇସିସି ମହିଳା କ୍ରିକେଟ ବିଶ୍ୱକପ୍ ୨୦୨୫ର ଇଭେଣ୍ଟ ଟେକ୍ନିକାଲ୍ କମିଟି ଭାରତୀୟ ଦଳରେ ପ୍ରତୀକା ରାୱଲଙ୍କ ବଦଳ ଖେଳାଳି ଭାବରେ ଶେଫାଳୀ ବର୍ମାଙ୍କୁ ଅନୁମୋଦନ ଦେଇଛି। ରବିବାର ବାଂଲାଦେଶ ବିପକ୍ଷ ଲିଗ୍ ମ୍ୟାଚ୍ ରେ ଫିଲ୍ଡିଂ କରୁଥିବା ସମୟରେ ରାୱଲଙ୍କ ଡାହାଣ ଗୋଡ଼ରେ ଆଘାତ ଲାଗିବାରୁ ତାଙ୍କୁ ବାଦ୍ ଦିଆଯିବା ପରେ ବର୍ମାଙ୍କୁ ବଦଳ ଖେଳାଳି ଭାବରେ ନାମିତ କରାଯାଇଥିଲା।”
ବଦଳ ଖେଳାଳିଙ୍କୁ ଆନୁଷ୍ଠାନିକ ଭାବରେ ଦଳରେ ଯୋଡାଯିବା ପୂର୍ବରୁ ଇଭେଣ୍ଟ ଟେକ୍ନିକାଲ୍ କମିଟିର ଅନୁମୋଦନ ଆବଶ୍ୟକ ପଡ଼ିଥାଏ। ଆଇସିସି ମହିଳା କ୍ରିକେଟ୍ ବିଶ୍ୱକପ୍ ୨୦୨୫ର ଇଭେଣ୍ଟ ଟେକ୍ନିକାଲ୍ କମିଟିରେ ୱାସିମ୍ ଖାନ (ଚେୟାର, ଆଇସିସି ଜେନେରାଲ ମ୍ୟାନେଜର – କ୍ରିକେଟ), ଗୌରବ ସକ୍ସେନା (ଆଇସିସି ଜେନେରାଲ ମ୍ୟାନେଜର – ଇଭେଣ୍ଟସ୍ ଏବଂ କର୍ପୋରେଟ୍ କମ୍ୟୁନିକେସନ୍ସ), ଆବେ କୁରୁଭିଲ୍ଲା (ବିସିସିଆଇ ଟୁର୍ନାମେଣ୍ଟ ନିର୍ଦ୍ଦେଶକ), ମେଲ୍ ଜୋନ୍ସ (ସ୍ୱାଧୀନ ମନୋନୀତ) ଅଛନ୍ତି ବୋଲି ଆଇସିସି କହିଛି।

ଶେଫାଳୀଙ୍କ ପ୍ରତ୍ୟାବର୍ତ୍ତନ
ଦୀର୍ଘ ସମୟ ଅପେକ୍ଷା ପରେ ଶାଫାଳି ବର୍ମା ଶେଷରେ ଦିନିକିଆ ଦଳକୁ ଫେରିଛନ୍ତି। ଆକ୍ରମଣାତ୍ମକ ଓପନିଂ ବ୍ୟାଟିଂ ପାଇଁ ଜଣାଶୁଣା ଶେଫାଳୀଙ୍କୁ ବିଶ୍ୱକପ୍ ଦଳରେ ଦୁଇଥର ଯାକ ଚୟନ ନ କରିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟଜନକ କରିଥିଲା। ବିଶେଷକରି ୟାସ୍ତିକା ଭାଟିଆଙ୍କୁ ବାଦ ଦିଆଯିବା ପରେ ଶେଫାଳୀଙ୍କୁ କାହିଁକି ସାମିଲ କରାଗଲା ନାହିଁ ସେ ନେଇ କ୍ରିକେଟ ପ୍ରେମୀଙ୍କ ମନରେ ପ୍ରଶ୍ନ ଉଠିଥିଲା।
ଶେଫାଳି ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତ ଏ ପାଇଁ ଏକ ଅଭ୍ୟାସ ମ୍ୟାଚ୍ରେ ୪୯ ବଲରୁ ୭୦ ରନର ବିସ୍ଫୋରକ ଇନିଂସ ଖେଳିଥଲେ। ବର୍ତ୍ତମାନ ଚାଲିଥିବା ସିନିୟର ମହିଳା ଟି-୨୦ ଟ୍ରଫିରେ ସେ ସର୍ବାଧିକ ରନ ସଂଗ୍ରହ କରିଛନ୍ତି। ୯ଟି ମ୍ୟାଚରେ ୫୬.୮୩ ହାରାହାରି ଓ ୧୮୨ ଷ୍ଟ୍ରାଇକ ରେଟ୍ ସହିତ ୩୪୧ ରନ କରିଛନ୍ତି ଏହି ଷ୍ଟାର ଓପନର। ତେବେ ଅଷ୍ଟ୍ରେଲିଆ ସହିତ ସେମିଫାଇନା ମୁକାବିଲା କରିବାକୁ ଉମା ଛେତ୍ରୀଙ୍କ ଲାଇନରେ ଥିବା ସତ୍ତ୍ୱେ, ଅଧିକ ଅଭିଜ୍ଞ ଶେଫାଳୀ ବର୍ମାଙ୍କ ଉପରେ ଚୟନ କର୍ତ୍ତା ଅଧିକ ଭରସା ଦେଖାଇଛନ୍ତି।
ଚଳିତ ବିଶ୍ୱକପ ପାଇଁ ଦଳରେ ପ୍ରତୀକାଙ୍କ ଉପସ୍ଥିତି ବହୁତ ଗୁରୁତ୍ୱପୂର୍ଣ୍ଣ ଥିଲା। କାରଣ ଦଳକୁ ସେମିଫାଇନାଲ୍ ପର୍ଯ୍ୟନ୍ତ ପହଞ୍ଚାଇବାରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ସ୍ମୃତି ମାନ୍ଧାନଙ୍କ ପରେ ଏହି ଟୁର୍ଣ୍ଣାମେଣ୍ଟରେ ସେ ଦ୍ୱିତୀୟ ସର୍ବାଧିକ ବ୍ୟକ୍ତିଗତ ସ୍କୋର କରିଛନ୍ତି। ପ୍ରତୀକା ଚଳିତ ବିଶ୍ୱକପ ମୁକାବିଲାରେ ୩୦୮ ରନ୍ କରିଥିବା ବେଳେ ସ୍ମୃତି ମନ୍ଧାନା ୩୩୧ ରନ୍ କରିଛନ୍ତି।




