ସମୁଦ୍ରରେ ବାତ୍ୟା ‘ମୋନ୍ଥା’ର ବଢୁଛି ଗତି, ଦକ୍ଷିଣ ଓଡ଼ିଶା ଓ ଛତିଶଗଡ଼ ଉପରେ ପକାଇବ ଅଧିକ ପ୍ରଭାବ
Published By: Kirti – Prameya-News7 Bureau | October 27, 2025 02:11 PM
NEWS7
ଭୁବନେଶ୍ୱର ୨୭।୧୦ : ସ୍ଥଳଭାଗକୁ ମାଡ଼ି ଆସୁଛି ବାତ୍ୟା ମୋନ୍ଥା। ସମୁଦ୍ର ଭିତରେ ଦ୍ରୁତ ଗତିରେ ଆଗକୁ ବଢ଼ୁଛି । ପୂର୍ବରୁ ଏହା ଘଣ୍ଟାପ୍ରତି ୧୫ କିମି ବେଗରେ ଆସୁଥିବା ବେଳେ ଏବେ କିନ୍ତୁ ଘଣ୍ଟା ପ୍ରତି ୧୮ କିଲୋମିଟର ବେଗରେ ଆଗକୁ ବଢ଼ୁଛି । ଗତ ୬ ଘଣ୍ଟା ଧରି ଏହା ସମୁଦ୍ର ଭିତରେ ଘଣ୍ଟା ପ୍ରତି ୧୮ କିମି ବେଗରେ ସ୍ଥଳଭାଗ ମୁହାଁ ହେଉଛି । ତେବେ ବାତ୍ୟାର ଗତି ବଢ଼ିଲେ ପ୍ରଭାବ କମ୍ ରହିବ ବୋଲି ରାଜସ୍ୱ ମନ୍ତ୍ରୀ ସୂଚନା ଦେଇଛନ୍ତି ।
ସେହିପରି ବାତ୍ୟା ମୋନ୍ଥା ବର୍ତ୍ତମାନ ଚେନ୍ନାଇଠାରୁ ୫୨୦ କିଲୋମିଟର ଦୂରରେ ଥିବାବେଳେ, କାକିନାଡ଼ାଠାରୁ ୫୭୦ କିଲୋମିଟର ଦୂରରେ ରହିଛି । ଗୋପାଳପୁରଠାରୁ ୬୦୦କିଲୋମିଟର ଦୂରରେ ଅଛି । ୨୮ ତାରିଖରେ ଭୀଷଣ ବାତ୍ୟାର ରୂପ ନେଇ ଏହା ସ୍ଥଳଭାଗ ଛୁଇଁବ । ବାତ୍ୟା ମୋନ୍ଥା ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ନେଇ ରେଡ୍ ଓ୍ବାର୍ଣ୍ଣିଂ ଜାରି କରାଯାଇଛି। ବାତ୍ୟା ମାଲକାନଗିରି ଦେଇ ଛତିଶଗଡ଼ ମୁହାଁ ହେବ। ଫଳରେ ଗଞ୍ଜାମ ଓ ଗଜପତି ଜିଲ୍ଲା ଅଧିକ ପ୍ରଭାବିତ ହେବ ବୋଲି ଆଶଙ୍କା କରାଯାଇଛି। ଛତିଶଗଡ଼ରେ ଅଧିକ ବର୍ଷା ହେଲେ ମହାନଦୀରେ ଜଳସ୍ତର ବୃଦ୍ଧି ପାଇବ। ଏହାକୁ ଦୃଷ୍ଟି ରଖାଯିବା ସହ ଆବଶ୍ୟକ ପଡ଼ିଲେ ହୀରାକୁଦର ଗୋଟ୍ ଖୋଲା ଯିବାକୁ ନିଷ୍ପତ୍ତି ନିଆଯିବ ।




