Published By: Ruby – Prameya-News7 Bureau | October 26, 2025 05:28 PM
NEWS7
ବାରଙ୍ଗ ୨୬।୧୦: ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ବାହାରିଲେ NDRF ଟିମ୍ । NDRFର ୧୮ଟି ଟିମ୍ରୁ ୧୬ଟି ଟିମ୍ ଏବେ ମୁଣ୍ଡଳୀରେ ଅଛନ୍ତି । ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ୩ଟି ଟିମ୍ ସବୁ ସରଞ୍ଜାମ ସହିତ ଆନ୍ଧ୍ରପ୍ରଦେଶ ଅଭିମୁଖେ ବାହାରିଛି । ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ଗୋଟିଏ ଟିମ୍ ଶ୍ରୀକାକୁଲମ୍ ଜିଲ୍ଲା ଓ ଦୁଇଟି ଟିମ୍ ଭାଇଜାଗ୍ ଗସ୍ତ କରିଛନ୍ତି । ପ୍ରତି ଟିମ୍ରେ ୩ ଜଣ ଅଫିସର ଓ ୩୨ ଜଣ ଜବାନ ରହିଛନ୍ତି । NDRF ନିକଟରେ ପ୍ରାକୃତିକ ଓ ମନୁଷ୍ୟକୃତ ଦୁର୍ବିପାକର ମୁକାବିଲା କରିବାରେ ସମସ୍ତ ଦକ୍ଷତା ରହିଛି ।
ବଙ୍ଗୋପସାଗରରେ ଘନୀଭୂତ ହେଉଛି ଅବପାତ । କିଛି ଘଣ୍ଟାରେ ବାତ୍ୟାରେ ପରିଣତ ହେବ ଗଭୀର ଅବପାତ । ୨୮ ତାରିଖ ସନ୍ଧ୍ୟାରୁ ରାତି ମଧ୍ୟରେ ‘ମୋନ୍ଥା’ ଛୁଇଁବ ଆନ୍ଧ୍ର ଉପକୂଳ । ମଛଲିପଟନମରୁ କଳିଙ୍ଗପଟନମ୍ ମଧ୍ୟରେ ଏହା ସ୍ଥଳଭାଗ ଛୁଇଁବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । କାକିନାଡ଼ାର ସାମାନ୍ୟ ଉତ୍ତରରେ ଲ୍ୟାଣ୍ଡଫଲ୍ ବେଳେ ପବନ ବେଗ ୯୦ରୁ ୧୦୦ କିଲୋମିଟର ରହିବ । ତେବେ ସମ୍ଭାବ୍ୟ ‘ମୋନ୍ଥା ଓଡ଼ିଶାରେ ମାଡ଼ ହେବନି । ରାଜ୍ୟରେ ବଡ଼ କ୍ଷତି ମଧ୍ୟ ପହଞ୍ଚାଇବ ନାହିଁ । ତଥାପି ଦକ୍ଷିଣ ଓ ଉପକୂଳ ଓଡ଼ିଶା ବେଶୀ ପ୍ରଭାବିତ ହୋଇପାରେ । ୨୭ରୁ ରାଜ୍ୟରେ ବର୍ଷା ବଢ଼ିବ । ୨୮ ଓ ୨୯ରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଙ୍କା ରହିଛି । ମାଲକାନଗରି ଓ କୋରାପୁଟ ସୀମାରୁ କାକିନାଡ଼ା ପ୍ରାୟ ୨୦୦ କିଲୋମିଟର ଦକ୍ଷିଣ ପୂର୍ବରେ ରହିଛି । ୨୮ ରାତିରେ ଆନ୍ଧ୍ର ଅତିକ୍ରମ ପରେ ୨୯ ତାରିଖ ସକାଳେ ମାଲକାନଗିରି ଦେଇ ଓଡ଼ିଶାକୁ ପ୍ରବେଶ କରିପାରେ । ସେତେବେଳକୁ ଏହା ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମରୁ ସାଇକ୍ଲୋନିକ୍ ଷ୍ଟର୍ମକୁ ହ୍ରାସ ପାଇ ସାରିଥିବ । ଏଥିପାଇଁ ୨୮ ଓ ୨୯ ତାରିଖରେ ଦକ୍ଷିଣ ଓଡ଼ିଶାକୁ ରେଡ୍ ଆଲର୍ଟ ଜାରି କରାଯାଇଛି ।




