ଭୁବନେଶ୍ଵର: ଝାରପଡ଼ା ଜେଲରୁ ବାହାରିଲେ ଭୁବନେଶ୍ଵରର କର୍ପୋରେଟର ଅମରେଶ ଜେନା । ଦୁଇ ମାସରୁ ଅଧିକ ଦିନ ଧରି ଜେଲରେ ଥିଲେ ଅମରେଶ ଜେନା। ଜେଲରୁ ବାହାରିବା ପରେ ତାଙ୍କର ଭବ୍ୟ ସ୍ବାଗତ କରିଥିଲେ ସମର୍ଥକ ମାନେ । ପୁଷ୍ପ ମାଲ୍ୟ ସହ ଆଳତି କରିଛନ୍ତି ମହିଳା ସମର୍ଥକ । ଏହାପରେ ବାଜା ବଜାଇ ବିରାଟ ପଟୁଆରରେ ଅମରେଶ ଜେନାଙ୍କୁ ପାଛୋଟି ନେଇଥିଲେ ଶୁଭେଚ୍ଛୁ । ତାଙ୍କର ସମର୍ଥକ ମାନେ ବାଇକ୍ ଶୋଭାଯାତ୍ରା କରି ଅମରେଶ ଜେନା ଜିନ୍ଦାବାଦ ନରା ପକାଇଥିଲେ ।
ଜେଲରୁ ବାହାରିବା ପରେ ଅମରେଶ କହିଛନ୍ତି ସାମାଜିକ ଓ ରାଜନୈତିକ ହତ୍ୟା ପାଇଁ ଷଡଯନ୍ତ୍ର ହୋଇଥିଲା। ନ୍ୟାୟାଳୟ ଉପରେ ମୋର ପୁରା ଭରସା ଅଛି ମୁଁ ନ୍ୟାୟ ପାଇବି ବୋଲି କହିଛନ୍ତି ଅମରେଶ।
ଦୁଷ୍କର୍ମ ମାମଲାରେ ବିଜେଡି କର୍ପୋରେଟର ଅମରେଶ ଜେନା ଓରଫ୍ ବାଇଁଆ ଜେନାଙ୍କୁ ଖୋର୍ଦ୍ଧା ଜିଲ୍ଲା ଦୌରାଜଜ କୋର୍ଟ ଜେଲକୁ ପଠାଇଥିଲେ । ଏହା ପୂର୍ବରୁ ଅକ୍ଟୋବର ୧୭ରେ ତାଙ୍କର ସର୍ତ୍ତମୂଳକ ଜାମିନ ମଞ୍ଜୁର କରିଥିଲେ ହାଇକୋର୍ଟ । ୨୫ ହଜାର ଟଙ୍କାର ଦୁଇ ଜାମିନଦାର ବଦଳରେ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଥିଲେ ହାଇକୋର୍ଟ । ନାବାଳିକା ଦୁଷ୍କର୍ମ ମାମଲାରେ ଗିରଫ ହୋଇଥିଲେ ଅମରେଶ ଜେନା ।
ସୂଚନାଯୋଗ୍ୟ ଯେ, ଲକ୍ଷ୍ମୀସାଗର ଥାନାରେ ଜଣେ ଯୁବତୀ ଅମରେଶ ଜେନାଙ୍କ ନାମରେ ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିବା ଓ ଭ୍ରୁଣହତ୍ୟା ପାଇଁ ବାଧ୍ୟ କରିଥିବା ନେଇ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ପୋଲିସ ତାଙ୍କୁ ଧରିବାକୁ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି କରିଥିଲା । କିନ୍ତୁ ଅଭିଯୁକ୍ତ ଅମରେଶ ଜେନା ଫେରାର ହୋଇଯାଇଥିଲେ । ପୋଲିସ ତାଙ୍କ ମୋବାଇଲ ଟ୍ରାକିଂ କରି କିଛି ସହଯୋଗୀଙ୍କ ସହିତ କଥା ହୋଇଥିବା ଜାଣିବାକୁ ପାଇଥିଲା । ସେମାନଙ୍କୁ ଥାନାକୁ ଆଣି ପୋଲିସ ପଚରାଉଚରା କରିଥିଲା । ସେମାନେ ତାଙ୍କୁ ଫେରାର ହେବାରେ ସହଯୋଗ କରିଥିବା ସ୍ବୀକାର କରିଥିଲେ । ପରେ ସେମାନଙ୍କୁ ଗିରଫ କରି ପୋଲିସ କୋର୍ଟଚାଲାଣ କରିଥିଲା ।
ପରେ ଅମରେଶ ଜେନାକୁ ପୋଲିସ ବାଲେଶ୍ବର ଜିଲ୍ଲା ନୀଳଗିରି ଅଞ୍ଚଳରୁ ଗିରଫ କରିଥିଲା । ତାଙ୍କୁ ସେଠାରୁ ଭୁବନେଶ୍ବର ଆଣିଥିଲା । କ୍ୟାପିଟାଲ ହସ୍ପିଟାଲରେ ସ୍ବାସ୍ଥ୍ୟ ପରୀକ୍ଷା ପରେ କୋର୍ଟ ଚାଲାଣ କରାଯାଇଥିଲା । କୋର୍ଟରେ ଜାମିନ ନାମଞ୍ଜୁର ପରେ ତାଙ୍କୁ ଜେଲ୍ ପଠାଇ ଦିଆଯାଇଥିଲା ।




