ଦେବଗଡ଼ ପୁରୁଣା ମୁଖ୍ୟ ଚିକିତ୍ସାଳୟ ସ୍ଵାସ୍ଥ୍ୟ ସେବା ପ୍ରସଙ୍ଗ, ବିଜେପିକୁ ଜିଲ୍ଲା ଯୁବ ଏକତା ମଞ୍ଚର ଜବାବ
Published By: Deepak – Prameya-News7 Bureau | October 23, 2025 09:54 PM
NEWS7
ଦେବଗଡ଼: ଦେବଗଡ଼ର ପୁରୁଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୋଠାରେ ଚବିଶ ଘଣ୍ଟିଆ ଚିକିତ୍ସା ସେବା ଯୋଗାଇ ଦେବା ନେଇ ଆରୋପ ପ୍ରତ୍ୟାରୋପ ଚାଲିଛି। ଏହି ସମସ୍ୟାର ସମାଧାନ ପାଇଁ ଜିଲ୍ଲା ଯୁବ ଏକତା ମଞ୍ଚ ପକ୍ଷରୁ ବିଭିନ୍ନ ପର୍ଯ୍ୟାୟରେ ଆନ୍ଦୋଳନ କରାଯାଇଛି। ତେବେ ଏହା ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି ବିଜେପି ପକ୍ଷରୁ ଅଭିଯୋଗ କରାଯାଇଥିଲା। ଜିଲ୍ଲା ଯୁବ ଏକତା ମଞ୍ଚ ପକ୍ଷରୁ ଏହି ଆରୋପର ଉତ୍ତର ରଖାଯାଇଛି।
ଏହି ସଂଗଠନରେ ବିଭିନ୍ନ ଦଳର ସମର୍ଥକ ରହିଛନ୍ତି ଓ ଏହାର ମୁଖ୍ୟ ଉଦ୍ଦେଶ୍ୟ ଜିଲ୍ଲାର ବିଭିନ୍ନ ସମସ୍ୟାର ସମାଧାନ କରିବା ବୋଲି ସଂଗଠନ ପକ୍ଷରୁ ସ୍ଥାନୀୟ ଗୋପାଳଜୀଉ ମନ୍ଦିର ପରିସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି। ବିଜେପିର ବହୁ ନେତା ଓ କର୍ମୀ ଏହି ସଂଗଠନ ସହ ଜଡିତ ରହିଛନ୍ତି, ଏହା ଦଳୀୟଭାବନାରୁ ଉର୍ଦ୍ଧ୍ଵରେ ରହି କାର୍ଯ୍ୟ କରୁଛି ବୋଲି ସଂଗଠନ ପକ୍ଷରୁ କୁହାଯାଇଛି। ଏଥି ସହ ଦେବଗଡ଼ ସହରର ସ୍ଵାସ୍ଥ୍ୟସେବା ସୁରକ୍ଷିତ କରିବା ପାଇଁ ପୁରୁଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର କୋଠାରେ ଚବିଶଘଣ୍ଟିଆ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବା ନିହାତି ଆବଶ୍ୟକ ବୋଲି କୁହାଯାଇଛି। ଏହି ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ଯୁବ ଏକତା ମଞ୍ଚର ବହୁ ସଦସ୍ୟ ସଦସ୍ୟା ଉପସ୍ଥିତ ରହିଥିଲେ।




