ନୂଆଦିଲ୍ଲୀ ୨୨/୧୦: ଅପରେସନ ସିନ୍ଦୂର ବେଳେ ପାକିସ୍ତାନକୁ ମୁହଁତୋଡ଼ ଜବାବ ଦେଇଥିଲା ‘ସୁଦର୍ଶନ ଚକ୍ର’ ଏସ୍-୪୦୦ ବାୟୁ ପ୍ରତିରକ୍ଷା ବ୍ୟବସ୍ଥା । ପାକ୍ ବାୟୁସେନା ଯେଉଁସବୁ ମିସାଇଲ୍ ବା ଡ୍ରୋନ୍ ମାଡ଼ କରିଥିଲା, ସେ ସବୁକୁ ଧୂଆଁ କରିଦେଇଥିଲା ଏହି ଅମୋଘ ଅସ୍ତ୍ର । ରୁଷ୍ ହିଁ ଭାରତକୁ ଏହି ଏସ୍-୪୦୦ ଏୟାର ଡିଫେନ୍ସ ସିଷ୍ଟମ୍ ଯୋଗାଇ ଦେଇଥିଲା । ଏବେ ରୁଷ୍ଠାରୁ ଆହୁରି ଏସ୍-୪୦୦ କିଣିବା ପାଇଁ ସରକାର ଗୁରୁତ୍ୱର ସହ ଚିନ୍ତା କରୁଛନ୍ତି ।
ଏ ନେଇ ଆଲୋଚନା ମଧ୍ୟ ଆରମ୍ଭ ହୋଇଯାଇଛି । ଏଥର ୧୦ ହଜାର କୋଟି ଟଙ୍କା ମୂଲ୍ୟର ଏସ୍-୪୦୦ କିଣିବା ଲାଗି ଆଲୋଚନା ଚାଲିଛି । ଭାରତୀୟ ବାୟୁସେନା ନିଜ ବାୟୁ ପ୍ରତିରକ୍ଷା ସାମର୍ଥ୍ୟକୁ ଅଧିକ ପ୍ରଭାବୀ ବନାଇବାକୁ ଚାହୁଁଛି । ବାୟୁ ସେନା ଏ ନେଇ ପ୍ରସ୍ତାବ ଦେଇଛି ଏବଂ ଏହା ଉପରେ ପ୍ରତିରକ୍ଷା ମନ୍ତ୍ରଣାଳୟ ବିଚାର କରୁଛି । ସମ୍ଭବତଃ ଆସନ୍ତା ୨୩ ତାରିଖରେ ହେବାକୁ ଥିବା ପ୍ରତିରକ୍ଷା ଅଧିଗ୍ରହଣ ପରିଷଦ ବୈଠକରେ ଏ ନେଇ ବିସ୍ତୃତ ଭାବେ ଚର୍ଚ୍ଚା ହୋଇପାରେ ।
ପାକିସ୍ତାନ ସହ ବିବାଦ ବଢ଼ିବା ମଧ୍ୟରେ ଭାରତ ଏହାର ବିକଶିତ ମିସାଇଲ ପ୍ରତିରକ୍ଷା ବ୍ୟବସ୍ଥାକୁ ସମ୍ପ୍ରସାରଣ କରିବାକୁ ଚାହୁଁଛି । ଏ ଦିଗରେ ଏସ୍-୪୦୦ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବ । ଭାରତ ୨୦୧୮ରେ ରୁଷ୍ଠାରୁ ୫ଟି ଏସ୍-୪୦୦ ସ୍କ୍ୱାଡ୍ରନ୍ କିଣିବା ଲାଗି ଚୁକ୍ତି ସ୍ୱାକ୍ଷର କରିଥିଲା । ଧାର୍ଯ୍ୟ ସମୟରେ ୩ଟି ଯୋଗାଣ ହୋଇଛି । କିନ୍ତୁ ରୁଷ୍-ୟୁକ୍ରେନ୍ ଯୁଦ୍ଧ ଯୋଗୁ ଚତୁର୍ଥ ୟୁନିଟ୍ ଯୋଗାଣ ବିଳମ୍ବିତ ହେଉଛି । ଏ ନେଇ ତ୍ୱରିତ ପଦକ୍ଷେପ ନେବା ପାଇଁ ମସ୍କୋକୁ ନୂଆଦିଲ୍ଲୀ ଅପିଲ୍ କରିଛି ।
ତତ୍ସହିତ ଆହୁରି ଅଧିକ ଏସ୍-୪୦୦ ଏବଂ ଭବିଷ୍ୟତରେ ଏସ୍୫୦୦ ବ୍ୟବସ୍ଥା ମଧ୍ୟ ହାସଲ ଲାଗି ବିଚାର କରୁଛି ଭାରତ । ଏହାବ୍ୟତୀତ ଭାରତ ନୂଆ ଏୟାର-ଟୁ-ଏୟାର ମିସାଇଲ କିଣିବାକୁ ମଧ୍ୟ ରୁଷ୍ ସହ ଆଲୋଚନା ଜାରି ରଖିଛି । ଚଳିତବର୍ଷ ଡିସେମ୍ବରରେ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ଭାରତ ଗସ୍ତରେ ଆସୁଛନ୍ତି । ଏହି ସମୟରେ ଦୁଇ ରାଷ୍ଟ୍ର ପ୍ରତିରକ୍ଷା ସହଯୋଗ ବଢ଼ାଇବାକୁ ଗୁରୁତ୍ୱ ଦେବେ । ଏଥିସହ ମିଳିତ ଭାବେ ସାମରିକ ହାର୍ଡୱେର ଉତ୍ପାଦନ ନେଇ ଚର୍ଚ୍ଚା କରିବେ ବୋଲି ଆଶା କରାଯାଉଛି ।




