ପୁରୀ ସମୁଦ୍ରରେ ଅଘଟଣ : ସ୍ନାନ କରୁଥିବା ବେଳେ ରିପ୍ କରେଣ୍ଟରେ ପଡ଼ି ବୁଡିଗଲେ ପର୍ଯ୍ୟଟକ
Published By: Ruby – Prameya-News7 Bureau | October 09, 2025 07:13 PM
NEWS7
ପୁରୀ ୯।୧୦: ପୁଣି ପୁରୀ ସମୁଦ୍ରରେ ଅଘଟଣ । ସମୁଦ୍ରରେ ସ୍ନାନ କରୁଥିବା ବେଳେ ରିପ୍ କରେଣ୍ଟରେ ପଡ଼ି ବୁଡିଗଲେ ପର୍ଯ୍ୟଟକ । ବୁଡ଼ି ଯାଉଥିବା ପର୍ଯ୍ୟଟକ ଜଣକ ହେଉଛନ୍ତି ପଶ୍ଚିମବଙ୍ଗ ଅଞ୍ଚଳର ସିଦ୍ଧାର୍ଥ ଝା । ସମୁଦ୍ର କୂଳର ସେକ୍ଟର ୧୨ରେ ଘଟିଛି ଏଭଳି ଅଭାବନୀୟ ଘଟଣା । ତେବେ ସେଠାରେ ଉପସ୍ଥିତ ଥିବା ଲାଇଫ ଗାର୍ଡ ମାନେ ତୁରନ୍ତ ଗଭୀର ସମୁଦ୍ର ଭିତରକୁ ଯାଇ ବୁଡ଼ି ଯାଉଥିବା ପର୍ଯ୍ୟଟକଙ୍କୁ ଉଦ୍ଧାର କରିଛନ୍ତି। ଉଦ୍ଧାର ପର୍ଯ୍ୟଟକଙ୍କୁ ଲାଇଫ ଗାର୍ଡ ମାନେ ପ୍ରଥମେ ପ୍ରାଥମିକ ଚିକିତ୍ସା ଯୋଗାଇଥିବା ବେଳେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି।
ତେବେ ସୂଚନା ଅନୁଯାୟୀ ସେକ୍ଟର ୧୨ ରେ ସିଦ୍ଧାର୍ଥ ସମୁଦ୍ର ସ୍ନାନର ମଜା ନେଉଥିଲେ । ସେହି ସମୟରେ ଏକ ବଡ଼ ଲହଡ଼ି ସାଙ୍ଗକୁ ରିପ୍ କରେଣ୍ଟରେ ପଡ଼ି ସିଦ୍ଧାର୍ଥ ଗଭୀର ସମୁଦ୍ର ଭିତରକୁ ଚାଲି ଯାଇଥିଲେ । ପରିବାର ଲୋକେ ଏହା ଦେଖି ଚିତ୍କାର କରିବାରୁ ସେଠାରେ ଉପସ୍ଥିତ ଥିବା ଲାଇଫ ଗାର୍ଡ ମାନେ ତୁରନ୍ତ ସମୁଦ୍ର ଭିତରକୁ ଯାଇ ପର୍ଯ୍ୟଟକଙ୍କୁ ଉଦ୍ଧାର କରିବାରେ ସକ୍ଷମ ହୋଇଥିଲେ ।




