ନୂଆଦିଲ୍ଲୀ : କ୍ୱିକ୍ କମର୍ସ କମ୍ପାନୀଗୁଡ଼ିକ ବର୍ତ୍ତମାନ ସୃଷ୍ଟି କରିଛନ୍ତି ଚହଳ। ଅର୍ଡର ଦେବା ମାତ୍ରେ ୧୦ରୁ୧୫ ମିନିଟ୍ ମଧ୍ୟରେ ଘରେ ସାମଗ୍ରୀ ପହଞ୍ଚାଇ ଦେଉଛନ୍ତି ଏମିତି ଅନେକ କମ୍ପାନୀ । ଏପରି କିଛି କମ୍ପାନୀ ମଧ୍ୟ ଅଛି, ଯେଉଁମାନେ ଗୋଟିଏ ସହରରୁ ଅନ୍ୟ ସହରକୁ ଗୋଟିଏରୁ ଦୁଇ ଦିନରେ ସାମଗ୍ରୀ ପହଞ୍ଚାଇ ଦିଅନ୍ତି । ସେହିପରି, ଅନ୍ତର୍ଜାତୀୟ ପାର୍ସଲ ଡେଲିଭରି କମ୍ପାନୀ ୫ରୁ ୧୫ ଦିନ ସମୟ ନିଅନ୍ତି । କିନ୍ତୁ ଥରେ ଭାବିଲେ, ଯଦି ଆପଣ କୌଣସି ସାମଗ୍ରୀ ଅର୍ଡର କରୁଛନ୍ତି ଏବଂ ତାହା କେବଳ ଗୋଟିଏ ଘଣ୍ଟା ମଧ୍ୟରେ ବିଶ୍ୱର ଯେକୌଣସି କୋଣରେ ପହଞ୍ଚି ପାରୁଛି ତେବେ କ’ଣ ହେବ ? ଏହାକୁ ହୁଏତ ଆପଣ ବିଶ୍ୱାସ କରିନପାରନ୍ତି । କିନ୍ତୁ ଏମିତି ହିଁ ହେବାକୁ ଯାଉଛି । ଏହି ସେବା ଲଜିଷ୍ଟିକ ଦୁନିଆରେ ଏକ ବିପ୍ଳବ ଭାବରେ ଆସିଛି । ମହାକାଶ ବିତରଣ ଯାନ ଦ୍ୱାରା ଏହା ସମ୍ଭବ ହେବ ।
ଏମିତି ଏକ ଅବିଶ୍ୱସନୀୟ ଓ ଆଶ୍ଚର୍ଯ୍ୟଜନକ ଖବର ଆମେରିକାରୁ ସାମ୍ନାକୁ ଆସିଛି । ଏରୋସ୍ପେସ ତଥା ଡିଫେନ୍ସ କମ୍ପାନୀ ‘ଇନଭର୍ଜନ‘ ବିଶ୍ବର ଏଭଳି ଏକ ପ୍ରଥମ ମହାକାଶ ଯାନ ପ୍ରସ୍ତୁତ କରିଛି, ଯାହା ମାଧ୍ୟମରେ ପୃଥିବୀର ନିମ୍ନ କକ୍ଷରୁ ଯେକୌଣସି ସ୍ଥାନକୁ ଘଣ୍ଟାଏରୁ କମ୍ ସମୟ ମଧ୍ୟରେ ସାମଗ୍ରୀ ପହଞ୍ଚାଇ ହେବ । ଏହି ଯାନ ୨୨୭ କେଜି ଓଜନ ପର୍ଯ୍ୟନ୍ତ ଜରୁରୀ ସାମଗ୍ରୀ ନେଇପାରିବ । ଏହି ଯାନର ନାମ ‘ଆର୍କ’ ରଖାଯାଇଛି । କମ୍ପାନୀ ଏକ କାର୍ଯ୍ୟକ୍ରମରେ ଏହି ଯାନ ଲଞ୍ଚ୍ କରିଛି । ଇନଭର୍ଜନର ସହ-ପ୍ରତିଷ୍ଠାତା ଜଷ୍ଟିସ ଫିୟାସ୍କେଟି ଏବଂ ଅଷ୍ଟିନ ବ୍ରିମ୍ସ କହିଛନ୍ତି ଯେ ଏହା ଏକ ନୂଆ ଲଜିଷ୍ଟିକ ପ୍ଲାଟଫର୍ମ । ଏହା ମହାକାଶରେ ଏକ ନେଟୱର୍କ ପ୍ରସ୍ତୁତ କରି ଯାତ୍ରାକୁ ପୂର୍ବାପେକ୍ଷା ଅଧିକ ସୁଗମ କରିବ । ଅନ୍ତରୀକ୍ଷ ଏବଂ ପ୍ରତିରକ୍ଷା କ୍ଷେତ୍ରରେ କାର୍ଯ୍ୟ କରୁଥିବା ଇନଭର୍ସନ ବିଶ୍ୱର ପ୍ରଥମ ମହାକାଶ ବିତରଣ ଯାନ ବିକଶିତ କରିଛି । ଏହି ଯାନ ମାତ୍ର 60 ମିନିଟରେ ମହାକାଶ ମାଧ୍ୟମରେ ପୃଥିବୀର ଯେକୌଣସି ସହରକୁ ସାମଗ୍ରୀ ପହଞ୍ଚାଇପାରିବ । ଆର୍କ ଏକ Re-Entry Vehicle । ଏହାର ଅର୍ଥ ଏହା ମହାକାଶକୁ ଯାଇ ପୃଥିବୀର ବାୟୁମଣ୍ଡଳକୁ ଫେରିପାରିବ। ଆର୍କ ଯାନ ଏକ ମହାକାଶଯାନ ପରି, ଯାହା ୮ ଫୁଟ ଲମ୍ବା ଏବଂ ୪ ଫୁଟ ଚଉଡା। ଏହି ଯାନ ଘଣ୍ଟା ପ୍ରତି ୨୪, ୭୦୦ କିମି ବେଗରେ ଗତି କରିବ। ମହାକାଶ ଯାନ ତୁଳନାରେ ଏହା ବହୁତ କ୍ଷୁଦ୍ର। ଏହା ପାରାଚୁଟ ମାଧ୍ୟମରେ ବିନା ରନୱେରେ ଅବତରଣ ମଧ୍ୟ କରିବାରେ ସକ୍ଷମ। ଆର୍କ ପୁନଃବ୍ୟବହାରକ୍ଷମ ଏବଂ ସଠିକ ଭାବେ ଅବତରଣ କରିପାରିବ । ଏବେ ସୁଦ୍ଧା ଏହି ଯାନର ଅନେକ ପରୀକ୍ଷଣ ସଫଳ ହେଲାଣି। ଆର୍କକୁ ପୃଥିବୀ କକ୍ଷରେ ରଖାଯିବ। ଏହା ୫ ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟ କରିପାରିବ। ଆବଶ୍ୟକ ପଡ଼ିଲେ ପୃଥିଦବୀର ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଘଣ୍ଟାଏ ମଧ୍ୟରେ ସାମଗ୍ରୀ ପହଞ୍ଚାଇବ ।
ଆର୍କ ଯାନ ପୃଥିବୀ ଉପରୁ 1,000 କିଲୋମିଟର ଦୂରରେ ମହାକାଶକୁ ଯାତ୍ରା କରିବ। ସେଠାରୁ, ଏହା ଉଡ଼ାଣ ଭରିବ ଆଉ ଡେଲିଭରି ପଏଣ୍ଟରେ ପହଞ୍ଚିବା ପରେ ପୃଥିବୀକୁ ଫେରି ଆସିବ। ବାୟୁମଣ୍ଡଳରେ ପ୍ରବେଶ କରିବା ପରେ, ଏହା ଏକ ପାରାସୁଟ୍ ବ୍ୟବହାର କରି ଅବତରଣ କରିବ। ଆର୍କ ଯାନ ଘଣ୍ଟା ପ୍ରତି 25,000 କିଲୋମିଟର ବେଗରେ ଉଡ଼ିପାରିବ। ବିଶେଷଜ୍ଞମାନେ ବିଶ୍ୱାସ କରନ୍ତି ଯେ ମହାକାଶ ବିତରଣ ଯାନକୁ ଅନେକ ଉପାୟରେ ବ୍ୟବହାର କରାଯାଇପାରିବ। ଏହା ଯୁଦ୍ଧ ସମୟରେ ବହୁତ ସହାୟକ ହୋଇପାରେ। ଆର୍କ ଯାନ ମଧ୍ୟ ମହାକାଶରେ ରହିପାରିବ। କମ୍ପାନୀ ଅନୁଯାୟୀ, ଏହି ମହାକାଶ ବିତରଣ ଯାନ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ମହାକାଶରେ ରହିପାରିବ, ଯାହା ଏହାକୁ ଯୁଦ୍ଧରେ ଏକ ଗୁରୁତ୍ୱପୂର୍ଣ୍ଣ ସମ୍ପତ୍ତି କରିଥାଏ।




