ପାଟଣାଗଡ଼: ଚଳିତ ବର୍ଷ ସାରକୁ ନେଇ ଚାଷୀଙ୍କୁ ନାହିଁ ନ ଥିବା ଅବସ୍ଥାର ସମ୍ମୁଖୀନ ହେବାକୁ ପଡୁଛି। ସରକାର ପର୍ଯ୍ୟାପ୍ତ ପରିମାଣର ସାର ମହଜୁଦ ଥିବା ଡିଣ୍ଡିମ ପିଟୁଥିଲେ ହେଁ ବାସ୍ତବରେ ସ୍ଥିତି ଓଲଟା ରହିଛି। ଅଧିକାଂଶ ସ୍ଥାନରେ ସ୍ଥିତି ଏମିତି ରହିଛି। ଏହି କ୍ରମରେ ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ବ୍ଲକ କେନ୍ଦୁମୁଣ୍ଡି ସେବା ସମବାୟ ସମିତିରେ ୟୁରିଆ ପାଇଁ ଚାଷୀଙ୍କ ନାହିଁ ନ ଥିବା ଭିଡ଼ ଦେଖିବାକୁ ମିଳିଛି। ଅଞ୍ଚଳରେ ୟୁରିଆର ଅଭାବ ରହିଥିବା ବେଳେ କେନ୍ଦୁମୁଣ୍ଡି ସେବା ସମବାୟ ସମିତିରେ ୟୁରିଆ ସାର ପଡ଼ିଥିଲା। ଘୁଚେପାଲି ଏବଂ ମଣ୍ଡୋମହୁଲ ଗ୍ରାମପଞ୍ଚାୟତର ଚାଷୀଙ୍କୁ ସାର ଦେବା କଥା ଜାଣିବା ପରେ ସକାଳୁ ସକାଳୁ ଆଧାର କାର୍ଡ ଧରି ପହଞ୍ଚିବା ସହିତ ଆଧାର କାର୍ଡକୁ ଧାଡିରେ ରଖି ସାର ପାଇଁ ଅପେକ୍ଷା କରିଥିଲେ ଚାଷୀ।
ସେବା ସମବାୟ ସମିତି କର୍ତ୍ତୃପକ୍ଷ ଗୋଦାମରେ ଗଛିତ ସାର ଠାରୁ ଅଧିକ ଚାଷୀ ଆସିଥିବା ଦେଖି କିଛି ଚାଷୀଙ୍କୁ ସାର ଦେଲେ ବିଶୃଙ୍ଖଳା ସୃଷ୍ଠି ହେବା ଅନୁମାନ କରି ଅନ୍ୟ ଦିନ ସାର ଦିଆଯିବ ବୋଲି ଘୋଷଣା କରିଥିଲେ। ଚାଷୀ ଓ ସମବାୟ ସମିତି କର୍ତ୍ତୃପକ୍ଷଙ୍କ ମଧ୍ୟରେ ଅନେକ ସମୟ ଆଲୋଚନା ହୋଇଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା। ଯାହାଫଳରେ ଚାଷୀ ମାନେ ସକାଳୁ ଆସି ୟୁରିଆ ପାଇଁ ଅପେକ୍ଷା କରିଥିଲେ ମଧ୍ୟ ନିରାଶ ହୋଇ ଫେରି ଯାଇଛନ୍ତି ଓ ପର୍ଯାପ୍ତ ପରିମାଣରେ ସାର ଯୋଗାଇଦେବା ପାଇଁ ସରକାର ଙ୍କୁ ଅନୁରୋଧ କରିଛନ୍ତି।




