ହାଇୱେରେ ଟ୍ୟାଙ୍କର ଓଲଟି ବଡ଼ ବିସ୍ଫୋରଣ , ପଛରୁ ଆସୁଥିବା କାରରେ ନିଆଁ ଲାଗି ୨ ବ୍ୟବସାୟୀ ଜଳିଗଲେ

ହାଇୱେରେ-ଟ୍ୟାଙ୍କର-ଓଲଟି-ବଡ଼-ବିସ୍ଫୋରଣ-,-ପଛରୁ-ଆସୁଥିବା-କାରରେ-ନିଆଁ-ଲାଗି-୨-ବ୍ୟବସାୟୀ-ଜଳିଗଲେ

ନୂଆଦିଲ୍ଲୀ : ଦିଲ୍ଲୀ-ଜୟପୁର ହାଇୱେରେ ସୋମବାର ବିଳମ୍ୱିତ ରାତିରେ ଏକ ହୃଦୟ ବିଦାରକ ସଡ଼କ ଦୁର୍ଘଟଣା ଘଟିଥିଲା। ଏଥିରେ ଦୁଇ ଜଣ ଲୋକଙ୍କ ମୃତ୍ୟୁ ହୋଇ ଥିଲା। କୁହାଯାଉଛି ଯେ, ହାଇୱେରେ କେମିକାଲ ଭର୍ତ୍ତି ଟ୍ୟାଙ୍କର ନିୟନ୍ତ୍ରଣ ହରାଇ ଓଲଟି ପଡ଼ିଥିଲା। ଏହାପରେ ଟ୍ୟାଙ୍କରରେ ନିଆଁ ଲାଗି ଯାଇଥିଲା ଏବଂ ପଛରେ ଆସୁଥିବା ଏକ କାର ମଧ୍ୟ ନିଆଁ ପ୍ରଭାବରେ ଆସି ଯାଇଥିଲା। ଏଥିରେ ଗାଜିଆବାଦର ଦୁଇ ଜଣ ବ୍ୟବସାୟୀଙ୍କର କାର୍‌ରେ ହିଁ ଜଳି ଯାଇ ମୃତ୍ୟୁ ହୋଇଥିବା ବେଳେ ଆଉ ଦୁଇ ଜଣ ଗୁରୁତର ଭାବେ ପୋଡ଼ି ହୋଇ ଯାଇଛନ୍ତି। ଏହି ଚାରି ଜଣ ବ୍ୟବସାୟୀ ଖାଟୁଶ୍ୟାମ ଧାମ ଯାଉଥିଲେ।

ଲାଇଭ ହିନ୍ଦୁସ୍ତାନ ଡଟ୍‌ କମ୍‌ରେ  ପ୍ରକାଶିତ ତଥ୍ୟ ଆଧାରରେ , ଦିଲ୍ଲୀରୁ ଜୟପୁର ଅଭିମୂଖେ ଯାଉଥିବା କେମିକାଲ ଭର୍ତ୍ତି ଟ୍ୟାଙ୍କରଟି, ସୋମବାର ବିଳମ୍ୱିତ ରାତିରେ ବନିପୁର ଚୌକରେ ନିର୍ମାଣାଧିନ ଫ୍ଲାଇଓଭର ନିକଟରେ ଡିଭାଇଡରରେ ଧକ୍କା ହୋଇ ଓଲଟି ପଡ଼ି ଥିଲା। ଓଲଟିବା କ୍ଷଣି ଏଥିରେ ବିସ୍ଫୋରଣ ହୋଇଥିଲା ଏବଂ ନିଆଁର ଆସ୍ତରଣ ଉପରକୁ ଉଠିବାକୁ ଲାଗିଲା। ଟ୍ୟାଙ୍କରରୁ ନିର୍ଗତ ଜ୍ୱଳନଶୀଳ କେମିକାଲ ରାସ୍ତାରେ ବ୍ୟାପି ଗଲା ଏବଂ ନିଆଁ ଖୁବ୍‌ ଜୋରରେ ଚାରିଆଡ଼େ ଲାଗିଗଲା।

ଏହି ସମୟରେ ପଛରୁ ଦ୍ରୁତ ଗତିରେ ଆସୁଥିବା ଏକ କାର ରାସ୍ତାର ବ୍ୟାପି ଥିବା ନିଆଁ ପ୍ରଭାବକୁ ଆସି ଗଲା। ଦେଖୁ ଦେଖୁ କାରଟି ମଧ୍ୟ ନିଆଁରେ ଜଳିବାକୁ ଲାଗିଲା। ଘଟଣା ସମୟରେ କାର୍‌ରେ ଗାଜିଆବାଦର ଚାରି ଜଣ ବ୍ୟବସାୟୀ ଥିଲେ।

ସିହାନି ଗେଟ୍‌ ଥାନା ଅଞ୍ଚଳର ରାକେଶ ମାର୍ଗ ନିବାସୀ ୫୦ ବର୍ଷିୟ ବିନୀତ ମିତ୍ତଲ ଓରଫ ଅଂଶୁଳ , ଡିଏଲଏଫ୍‌ ସାହିବାବାଦ ଏକ୍ସଟେନ୍ସନ ନିବାସୀ ୪୦ ବର୍ଷିୟ ସଞ୍ଜୀବ ଅଗ୍ରୱାଲ ଓରଫ ମୋନୁ କାରରେ ଅତି ସାଂଘାତିକ ଭାବେ ଫସି ଯାଇଥିଲେ ଏବଂ ବାହାରକୁ ଆଉ ଆସି ପାରି ନଥିଲେ। ତା ଭିତରେ ଜିଅନ୍ତା ଜଳି ଯାଇଥିଲେ।

ଅନ୍ୟପଟେ କାର୍‌ ଚଲାଉ ଥିବା ରୋହତାଶ ନଗର ଶାହଦରା ଦିଲ୍ଲୀ ନିବାସୀ ୩୮ ବର୍ଷିୟ ସୁମିତ ଗୋୟଲ ଓ ସିହାନୀ ଗେଟ୍‌ ଥାନା ଅଞ୍ଚଳର ଗାନ୍ଧୀନଗର ନିବାସୀ ୪୦ ବର୍ଷିୟ ରାହୁଲ ଅରୋରା କୌଣସି ପ୍ରକାରରେ ନିଜକୁ ବଞ୍ଚାଇ ବାହାରକୁ ଚାଲି ଆସିଥିଲେ। ହେଲେ ଘଟଣାରେ ସେ ଗୁରୁତର ଭାବେ ପୋଡ଼ି ହୋଇ ଯାଇଥିଲେ।    

ଗୁରୁତର ସୁମିତ ଓ ରାହୁଲଙ୍କୁ ପ୍ରାଥମିକ ଚିକିତ୍ସା ପରେ ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲ ସ୍ଥାନାନ୍ତର କରି ଦିଆଯାଇଛି। ଦୁର୍ଘଟଣା ପରେ ଟ୍ୟାଙ୍କର ଚାଳକ ଘଟଣା ସ୍ଥଳକୁ ଫେରାର ହୋଇ ଯାଇଛି।

Scroll to Top