ଚାନ୍ଦବାଲି ୧୬।୯: ଚଳିତ ବର୍ଷ ମାଟ୍ରିକ୍ ବୋର୍ଡ ପରୀକ୍ଷାରେ ଖାତା ଦେଖାରେ ତ୍ରୁଟି ହୋଇଥିବା ଅଭିଯୋଗ ଆଣିଲେ ଅଭିଭାବକ, ଶିକ୍ଷକ ଓ ଛାତ୍ର । ଏମିତି ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ପୀରହାଟ ଅଞ୍ଚଳ ବାରିବାଟିଆ ଗାଁରେ ।
ସୂଚନାଯୋଗ୍ୟ ଯେ, ଏହି ଗ୍ରାମରେ କୃଷ୍ଣଚନ୍ଦ୍ର ମହାନ୍ତିଙ୍କ ପୁଅ ଜନ୍ମେଜୟ ମହାନ୍ତି ଚଳିତ ବର୍ଷ ଗଦି ସାମନ୍ତରାଏପୁର ସ୍କୁଲରେ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ଦେଇଥିଲେ । ଜନ୍ମେଜୟ ଜଣେ ମେଧାବୀ ଛାତ୍ର ହୋଇଥିବାରୁ ସାର୍ଟିଫିକେଟ୍ରେ ପାଇଥିବା ମାର୍କକୁ ନେଇ ସେ ସନ୍ତୁଷ୍ଟ ନୁହନ୍ତି । ଏନେଇ ଛାତ୍ରଙ୍କ ପରିବାର ଲୋକେ ପୁନର୍ବାର ଖାତା ରିଚେକିଂ ପାଇଁ ଆବେଦନ କରି ମଧ୍ୟ କୌଣସି ସୁଫଳ ପାଇନଥିଲେ l ମାଧ୍ୟମିକ ଶିକ୍ଷା ବୋର୍ଡ ଜନ୍ମେଜୟଙ୍କ ଖାତାକୁ ୱେବ ପୋର୍ଟାଲରେ ଅପଲୋଡ୍ କରିବା ପରେ ଖାତାକୁ ପରିବାର ଲୋକେ ଡାଉନଲୋଡ଼ କରି ଜାଣିବାକୁ ପାଇଲେ ଏହି ଖାତାରେ ୩ ପୃଷ୍ଠାରେ କିଛି ମାର୍କ ନଦେଇ ଛାଡି ଦିଆଯାଇଛି । କିଛି ପ୍ରଶ୍ନର ସଠିକ୍ ଉତ୍ତର ଦେଇଥିଲେ ମଧ୍ୟ ତାକୁ କାଟି ଦିଆଯାଇଛି l
ଜନ୍ମେଜୟଙ୍କ ଖାତା ଦେଖାରେ ତ୍ରୁଟି ପାଇଁ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ପାଖରୁ ଆରମ୍ଭ କରି ଜ଼ିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଅଭିଯୋଗ କରିସାରିଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ସମାଧାନ ନପାଇ ଗଣମାଧ୍ୟମ ଆଗରେ କ୍ଷୋଭ ପ୍ରକାଶ କରିଛନ୍ତି ।
ଏହି ମେଧାବୀ ଛାତ୍ରଙ୍କ ସ୍ବପ୍ନ ଥିଲା ୯୨ ଶତକଡା ମାର୍କ ପାଇବା । କିନ୍ତୁ ବୋର୍ଡ ଖାତାଦାଖାରେ ହୋଇଥିବା ତ୍ରୁଟି ତାଙ୍କୁ କଷ୍ଟ ଦେଇଛି । ତ୍ରୁଟି ଧରିବା ପରେ ଅଭିଭାବକ ଅଭିଯୋଗ କଲେ, ବୋର୍ଡ ସେହି ତ୍ରୁଟିକୁ ଏ ପର୍ଯ୍ୟନ୍ତ ସୁଧାରିଲା ନାହିଁ । ସଂଶୋଧିତ ସାର୍ଟିଫିକେଟ୍ ମିଳୁନଥିବାରୁ ଛାତ୍ରର ଭବିଷ୍ୟତ ଏବେ ଅନ୍ଧାରରେ । ପରିବାର ଲୋକେ ବୋର୍ଡ କାର୍ଯ୍ୟାଳୟରେ କେତେଥର ଯାଇ ଏ ବିଷୟରେ ଲିଖିତ ଅଭିଯୋଗ କରି ସାରିବା ପରେ ବି ନୂଆ ସାର୍ଟିଫିକେଟ୍ ମିଳି ପାରୁନାହିଁ ।




