ବ୍ରହ୍ମଗିରି ୧୬/୦୯ : ବ୍ରହ୍ମଗିରି ବାଲିହରଚଣ୍ଡୀ ଗଣଦୁଷ୍କର୍ମ ମାମଲାରେ ମୁଖ୍ୟ ଅଭିଯୁକ୍ତ ଗିରଫ । ଆନ୍ଧ୍ରପ୍ରଦେଶରୁ ଅଭିଯୁକ୍ତ ମନୋଜ ବେହେରାକୁ ଗିରଫ କଲା ପୁରୀ ପୋଲିସ । ମୋଟ୍ ୪ ଅଭିଯୁକ୍ତ ଗିରଫ, ଆଜି ସମସ୍ତଙ୍କର ଡାକ୍ତରୀ ମାଇନା କରାଯିବ । ବ୍ରହ୍ମଗିରି ବାଲିହରଚଣ୍ଡୀ ଜଙ୍ଗଲରେ ଗଣଦୁଷ୍କର୍ମର ଶିକାର ହୋଇଥିଲେ ଯୁବତୀ ।
ସୂଚନାଥାଉକି, ଶନିବାର ପୂର୍ବାହ୍ଣରେ ପୁରୀ ଜିଲ୍ଲାର ଯୁବକ ଓ ଯୁବତୀ ବାଲିହରଚଣ୍ଡୀ ବୁଲିବାକୁ ଯାଇଥିଲେ । ମନ୍ଦିର ଦର୍ଶନ ପରେ ସେମାନେ ନିକଟରେ ଥିବା ସମୁଦ୍ର କୂଳକୁ ଯାଇଥିଲେ । ଏହି ସମୟରେ ୩ରୁ ୪ ଯୁବକ ସେମାନଙ୍କ ପିଛା କରି ଉଭୟଙ୍କ ଫଟୋ ଓ ଭିଡିଓ ଉତ୍ତୋଳନ କରିଥିଲେ । ସେହି ଭିଡିଓ ଓ ଫଟୋ ଦେଖାଇ ଯୁବକ ଓ ଯୁବତୀଙ୍କୁ ବ୍ଲାକ୍ମେଲ କରିବା ସହ ମୋଟା ଅଙ୍କର ଅର୍ଥ ନେଇଥିଲେ । ଏହା ସତ୍ତେ୍ୱ ସେମାନଙ୍କ ମନ ବୁଝିନଥିଲା । ଯୁବକଙ୍କ ସମ୍ମୁଖରେ ଯୁବତୀଙ୍କୁ ଦୁଷ୍କର୍ମ କରିଥିଲେ ।
ଦୁଷ୍କର୍ମ ସମୟର ଭିଡିଓ ମଧ୍ୟ ଉତ୍ତୋଳନ କରିଥିଲେ । ଏହାକୁ ଡିଲିଟ୍ କରିବା ଲାଗି ଯୁବକ ଓ ଯୁବତୀ ନେହୁରା ହେବା ସହ ଅର୍ଥ ଦେଇଥିଲେ ସୁଦ୍ଧା ଶୁଣିନଥିଲେ । ସେମାନଙ୍କ ଠାରୁ ମୁକୁଳିଆସି ଉଭୟ ଯୁବକ ଯୁବତୀ ମନ୍ଦିର ନିକଟରେ ଅନ୍ୟ ଲୋକଙ୍କୁ ଜଣାଇଥିଲେ । ଖବରପାଇ ଅପରାହ୍ଣରେ ପୁଲିସ ଅଧିକାରୀମାନେ ଘଟଣାସ୍ଥଳ ଛାନଭିନ୍ କରି ୩ ଜଣ ଯୁବକଙ୍କୁ କାବୁ କରିଥିଲେ ।




