72 Student Suicides:କିଶୋରରୁ ବୟସ୍କ, ସାମାନ୍ୟ ଘଟଣାରେ କାହିଁକି ଆତ୍ମହତ୍ୟା ? ରାଜ୍ୟରେ ୫ ବର୍ଷରେ ୭୨ ଛାତ୍ରଛାତ୍ରୀଙ୍କ ସୁଇସାଇଡ୍ ତଥ୍ୟ

72-student-suicides:କିଶୋରରୁ-ବୟସ୍କ,-ସାମାନ୍ୟ-ଘଟଣାରେ-କାହିଁକି-ଆତ୍ମହତ୍ୟା-?-ରାଜ୍ୟରେ-୫-ବର୍ଷରେ-୭୨-ଛାତ୍ରଛାତ୍ରୀଙ୍କ-ସୁଇସାଇଡ୍-ତଥ୍ୟ

କିଶୋରରୁ ବୟସ୍କ । ସାମାନ୍ୟ ଘଟଣାରେ କାହିଁକି କରୁଛନ୍ତି ଆତ୍ମହତ୍ୟା ? ରାଜ୍ୟରେ ୫ ବର୍ଷରେ ୭୨ ଛାତ୍ରଛାତ୍ରୀଙ୍କ ସୁଇସାଇଡ୍ ତଥ୍ୟକୁ ନେଇ ଉଦବେଗ । ମାନସିକ ଚାପ, ମାନସିକ ସମସ୍ୟା ଏବଂ ଅପରିପକ୍ବତା ଏହା ପଛର କାରଣ ବୋଲି ବିଶେଷଜ୍ଞ କହିଥିବା ବେଳେ, ପିଲାମାନେ ପରିବାର ଓ ସାଙ୍ଗସାଥୀଙ୍କ ସହ ନିଜ ମନକଥା ଖୋଲାଖୋଲି ବାଣ୍ଟି ପାରିଲେ ଦୁଃଖ ଓ ଚାପ ଲାଘବ ହୋଇପାରିବ ବୋଲି ପରାମର୍ଶ ଦେଇଛନ୍ତି । ଏଣେ ଅଭିଯୋଗ ଶୁଣାଣି ପ୍ରକୋଷ୍ଠରେ ଜଣେ ବୟବୃଦ୍ଧଙ୍କ ମୁହଁରେ ଆତ୍ମହତ୍ୟା ଶବ୍ଦ ଶୁଣି ତାଗିଦ୍ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ଜୀବନ ଅଛି ମାନେ ସମସ୍ୟା ଅଛି… ସମସ୍ୟା ଅଛି ମାନେ ତାର ସମାଧାନ ବି ଅଛି। କିନ୍ତୁ ଆତ୍ମହତ୍ୟା କଦାପି ନୁହେଁ କୌଣସି ସମାଧାନର ବାଟ।… ଆଜି ଭୁବନେଶ୍ବରରେ ଅଭିଯୋଗ ଶୁଣାଣି ବେଳେ ଜଣଙ୍କ ମୁହଁରୁ ଆତ୍ମହତ୍ୟା ଶବ୍ଦ ଶୁଣି ରାଗି ଯାଇଥିଲେ ମୁଖ୍ୟମନ୍ତ୍ରୀ। ସମସ୍ୟାର ସମାଧାନ ନହେଲେ ଆତ୍ମହତ୍ୟା କରିବୁ ବୋଲି ଅଭିଯୋଗକାରୀ କହିବା ପରେ, ଏଭଳି ଶବ୍ଦ ପାଟିରେ ନଧରିବାକୁ ତାଗିଦ କଲେ ମୋହନ ମାଝୀ। ତାଙ୍କୁ ଧୈର୍ଯ୍ୟ ଧରିବାକୁ କହିବା ସହ, ଅଭିଯୋଗର ସତ୍ୟତା ଥିଲେ ନ୍ୟାୟ ନିଶ୍ଚୟ ମିଳିବ ବୋଲି ବୁଝାଇଥିଲେ ।

କେବଳ ପ୍ରୌଢ଼ ଓ ବୟସ୍କ ନୁହଁନ୍ତି, ବିଭିନ୍ନ କାରଣରୁ ଜୀବନ ହାରିବାର ଚରମ ନିଷ୍ପତ୍ତି ନେଉଛନ୍ତି ଅଧିକରୁ ଅଧିକ କୋମଳମତି ଛାତ୍ରଛାତ୍ରୀ। ଏପରିକି ନିଜକୁ ନିଆଁରେ ଜାଳି ଦେବା ଭଳି ଯନ୍ତ୍ରଣାଦାୟକ ପନ୍ଥା ଆପଣାଇବାକୁ ବି ପଛାଉନାହାନ୍ତି। ବାଲେଶ୍ବର ଏଫ୍ଏମ୍ ଛାତ୍ରୀ ଆତ୍ମାହୁତି, ପୁରୀ ବଳଙ୍ଗା ନିଆଁ ଘଟଣା… ତା ପୂର୍ବରୁ ଭୁବନେଶ୍ବର କିଟ୍ ୟୁନିଭର୍ସିଟି ହଷ୍ଟେଲରେ ଦୁଇ ଦୁଇ ଜଣ ନେପାଳୀ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର। କେବଳ ଏଇ ହାତଗଣତି ଚର୍ଚ୍ଚିତ ଘଟଣାବଳୀ ନୁହେଁ। ଅଧିକାଂଶ ଦିନ ରାଜ୍ୟର ବିଭିନ୍ନ ସ୍ଥାନରୁ ସାମ୍ନାକୁ ଆସୁଛି ଏଭଳି ଏକାଧିକ ଉଦବେଗଜନକ ଖବର।

ତେବେ ଛାତ୍ରଛାତ୍ରୀ ଓ ଯୁବପିଢ଼ିଙ୍କ ମଧ୍ୟରେ ବଢ଼ି ଚାଲିଛି କି ଆତ୍ମହତ୍ୟା ପ୍ରବଣତା ? ଜୀବନକୁ ଭଲରେ ଜାଣିବା ଆଗରୁ କାହିଁକି ପିତା ଲାଗୁଛି ଜୀବନ ? ଗତ ମାର୍ଚ୍ଚରେ ବିଧାନସଭାରେ ମୁଖ୍ୟମନ୍ତ୍ରୀ ରଖିଥିବା ତଥ୍ୟ ଅନୁସାରେ, ୨୦୨୦ରୁ ୨୦୨୫ ମଧ୍ୟରେ ସରକାରୀ ଓ ଘରୋଇ ସ୍କୁଲ କଲେଜରେ ୭୨ ଛାତ୍ରଛାତ୍ରୀ ଆତ୍ମହତ୍ୟା କରିଛନ୍ତି । ଏହାର କାରଣ ଗୁଡ଼ିକ ହେଉଛି- ମାନସିକ ଚାପ, ନିର୍ଯାତନା, ମାନସିକ ଅସ୍ଥିରତା, ସ୍କୁଲ ହଷ୍ଟେଲରେ ଫୋନ୍ ବ୍ୟବହାର ଉପରେ କଟକଣା, ପାଠର ଚାପ, ସାଙ୍ଗମାନଙ୍କ ସହ ମନୋମାଳିନ୍ୟ, ଘରୋଇ କଳହ, ପ୍ରେମ ବ୍ୟାପାର, ପରୀକ୍ଷା ଓ ପ୍ରେମ ପାଇଁ ଡିପ୍ରେସନ୍ ବା ମାନସିକ ଅବସାଦ, ହୋମସିକନେସ୍ ଓ ଘରକୁ ଯିବାରୁ ପିଲାଙ୍କୁ ବାପାମାଆ ବାରଣ କରିବା, ଏବଂ ମାନସିକ ସମସ୍ୟା।…

Also Read

ମାନସିକ ରୋଗ ବିଶେଷଜ୍ଞଙ୍କ କହିବା ଅନୁସାରେ, କୌଣସି ମାନସିକ ସମସ୍ୟା, ବିଷାଦ, କ୍ରୋଧ ଓ ପରିପକ୍ବତାର ଅଭାବ ଆଦି ଆତ୍ମହତ୍ୟା ପଛର ମୂଳ କାରଣ। ଆତ୍ମହତ୍ୟା ୨ ପ୍ରକାର ସ୍ଥିତିରେ ଘଟିଥାଏ । ଗୋଟିଏ ତତକ୍ଷଣାତ୍ ନିଷ୍ପତ୍ତି ଏବଂ ଅନ୍ୟଟି ଯୋଜନାବଦ୍ଧ। ତେବେ କୌଣସି ଯୁବକ ଯୁବତୀ କିମ୍ବା ଛାତ୍ର ଛାତ୍ରୀ ମନ ଉଦାସରେ ରହୁଥିଲେ, ଅଚାନକ ଏକାକୀ ବା ଚୁପଚାପ୍ ରହିବା ଆରମ୍ଭ କଲେ, ସବୁବେଳେ କୌଣସି ଚିନ୍ତା ବା ଚାପରେ ଥିବା ଜଣାପଡ଼ିଲେ; ବାପାମାଆ, ପରିବାର ଓ ସାଙ୍ଗସାଥି ସେମାନଙ୍କ ସହ କଥା ହେବା ଦରକାର।

ପ୍ରେମରେ ବିଫଳ ହେଲେ ଏବେ ଯୁବପିଢ଼ି କାହା ସହ ନିଜ ମନ କଥା ଖୋଲାଖୋଲି ବାଣ୍ଟିବାକୁ ପାଉନାହାନ୍ତି। ଏସବୁ ଦିଗରେ ପରିବାରଲୋକେ ଧ୍ୟାନ ଦେବା ଜରୁରୀ। ଛାତ୍ରଛାତ୍ରୀମାନେ ମଧ୍ୟ ଅନଲାଇନ୍ ଫ୍ରେଣ୍ଡ୍ ଅପେକ୍ଷା ଫିଜିକାଲ୍ ଫ୍ରେଣ୍ଡ୍ ବଢ଼ାନ୍ତୁ ବୋଲି ଗୁରୁତ୍ବ ଦେଇଛନ୍ତି ବିଶେଷଜ୍ଞ।…

ସବୁ ରାତିର ସକାଳ ଥାଏ… ଅନ୍ଧାର ପରେ ଆଲୁଅ ଥାଏ। ଜିଇଁବା.. ଯୁଝିବାର ନାମ ତ ଜୀବନ…। ମନେ ରଖନ୍ତୁ- ଆତ୍ମହତ୍ୟା ନୁହେଁ ଏକମାତ୍ର ସମାଧାନ।…

ଓଟିଭି ହ୍ଵାଟ୍ସଅପ

Scroll to Top