ନୂଆଦିଲ୍ଲୀ ୨୧/୦୨: ଟି-ଟ୍ବେଣ୍ଟି ବିଶ୍ୱକପ୍ ରେ ଆଜିଠାରୁ ଆରମ୍ଭ ହେବ ସୁପର-୮ ରାଉଣ୍ଡ । ପାକିସ୍ତାନ ଓ ନ୍ୟୁଜିଲାଣ୍ଡ ପରସ୍ପରକୁ ଭେଟିବେ। ପ୍ରେମଦାସା ଷ୍ଟାଡ଼ିୟମ୍ ରେ ଏହି ମ୍ୟାଚ ଖେଳାଯିବ । ଉଭୟ ଦଳ ବିଜୟ ଧାରା ଜାରି ରଖିବାକୁ ପ୍ରସ୍ତୁତ ରହିଥିବାବେଳେ ପ୍ରେମଦାସା ଷ୍ଟାଡ଼ିୟମ୍ ସ୍ପିନରଙ୍କୁ ଭରପୁର ସହାୟତା କରୁଥିବାରୁ ସ୍ପିନର୍ ମାନଙ୍କ ଉପରେ ମ୍ୟାଚ୍ ଫଳାଫଳ ନିର୍ଭର କରିବା ଏକ ପ୍ରକାର ନିଶ୍ଚିତ।
ଟି-ଟ୍ରେଣ୍ଟି ବିଶ୍ଵକପ୍ ରେ ଉଭୟ ଦଳ ପରସ୍ପରକୁ ୭ଥର ଭେଟିଛନ୍ତି। ଏଥିରୁ ପାକିସ୍ତାନ ୫ଟି ମ୍ୟାଚରେ ବିଜୟୀ ହୋଇଛି। କିନ୍ତୁ ମୋଟ ଉପରେ ଦେଖିବାକୁ ଗଲେ ଉଭୟ ଦଳ ମଧ୍ୟରେ ଖେଳାଯାଇଥିବା ଶେଷ ୧୬ଟି ଟି-ଟେଣ୍ଟିରୁ ନ୍ୟୁଜିଲାଣ୍ଡ ୧୨ଟିରେ ବିଜୟ ହାସଲ କରିଛି । ନ୍ୟୁଜିଲାଣ୍ଡ ଲିଗ୍ ପର୍ଯ୍ୟାୟର ସମସ୍ତ ମ୍ୟାଚ ଭାରତରେ ଖେଳିଥିଲା। ତେଣୁ ଶ୍ରୀଲଙ୍କା ଜଳବାୟୁ ଓ ବିଶ୍ୱକପ୍ ପାଇଁ ପ୍ରସ୍ତୁତ ପିଚ୍ ସହ ପରିଚିତ ହେବାକୁ କିଛି ସମୟ ନେବା ନିଶ୍ଚିତ । ପାକିସ୍ତାନ ଇତି ମଧ୍ୟରେ ଲିଗ୍ ପର୍ଯ୍ୟାୟର ସମସ୍ତ ୪ଟି ଯାକ ମ୍ୟାଚ କଲମ୍ବୋରେ ଖେଳିଛି।
also read..
ଅବଶ୍ୟ ପ୍ରେମଦାସା ଷ୍ଟାଡ଼ିୟମ୍ ରେ ଖେଳିଥିବା ଭାରତ ବିପକ୍ଷ ମ୍ୟାଚରେ ପାକିସ୍ତାନ ପରାଜିତ ହୋଇଥିଲା । ବାକି ୩ଟି ମ୍ୟାଚ ଅନ୍ୟ ଗ୍ରାଉଣ୍ଡ୍ ରେ ଖେଳି ବିଜୟୀ ହୋଇଥିଲା। ସେପଟେ ନ୍ୟୁଜିଲାଣ୍ଡ ଲିଗ୍ ପର୍ଯ୍ୟାୟରେ ୩ଟି ମ୍ୟାଚ ଜିତିଥିଲେ ହେଁ ଶ୍ରେଷ୍ଠ ପ୍ରଦର୍ଶନ କରିବାରେ ବିଫଳ ହୋଇଛି। ପାକିସ୍ତାନ ଭଳି ଏକ ଶକ୍ତିଶାଳୀ ତଥା ସନ୍ତୁଳିତ ଦଳକୁ ହରାଇବାକୁ ହେଲେ ସବୁ ବିଭାଗରେ ଉନ୍ନତ ପ୍ରଦର୍ଶନ କରିବାକୁ ପଡ଼ିବ।




