୨୪ରେ ଅବପାତ ରୂପ ନେବ ଲଘୁଚାପ ! ୨୬ରେ ବାତ୍ୟାରେ ପରିଣତ ହେବା ଆଶଙ୍କା

୨୪ରେ-ଅବପାତ-ରୂପ-ନେବ-ଲଘୁଚାପ-!-୨୬ରେ-ବାତ୍ୟାରେ-ପରିଣତ-ହେବା-ଆଶଙ୍କା

ଭୁବନେଶ୍ଵର: ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହୋଥିବା ଲଘୁଚାପ ଆସନ୍ତା ୨୪ରେ ଅବପାତର ରୂପ ନେବା ସମ୍ଭାବନା । କିଛି ମଡେଲ୍ ଦର୍ଶାଇଛି ଏହା ୨୬ରେ ବାତ୍ୟାରେ ପରିଣତ ହେବା ଆଶଙ୍କା ରହିଛି। ସମ୍ଭାବ୍ୟ ବାତ୍ୟା ଆନ୍ଧ୍ର ଓ ଓଡ଼ିଶା ଉପକୂଳ ଆଡ଼କୁ ମୁହାଁଇବା ଆଶଙ୍କାକୁ ମଧ୍ୟ ଏଡ଼ାଇ ଦିଆଯାଇ ନପାରେ। ତେଣୁ ସମ୍ଭାବ୍ୟ ବାତ୍ୟାକୁ ନଜରରେ ରଖି ଚିନ୍ତାରେ ଚାଷୀକୁଳ । ଦକ୍ଷିଣ ଓଡିଶାରୁ ଉପକୂଳ ଓଡିଶା ଯାଏ ଚାଷୀ ମାନେ ସେମାନଙ୍କ ପାଚିଲା ଧାନକୁ କିପରି ସୁରକ୍ଷିତ ଭାବେ ଅମଳ କରିବେ ସେଥିପାଇଁ ଫୁରୁସତ ନାହିଁ ….

ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଛି ଏକ ଲଘୁଚାପ । ଏହା ୨୪ରେ ଅବପାତର ରୂପ ନେବା ସମ୍ଭାବନା ରହିଛି । ମାଲାକ୍କା ସମୁଦ୍ର ସନ୍ଧି ପାର୍ଶ୍ଵବର୍ତ୍ତୀ ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଛି ଏହି ଲଘୁଚାପ । ପରବର୍ତ୍ତୀ ସମୟରେ, ଏହା ପଶ୍ଚିମ-ଉତ୍ତର ପଶ୍ଚିମ ଦିଗକୁ ଗତି କରି ୨୪ ତାରିଖ ବେଳକୁ ଆହୁରି ଘନୀଭୂତ ହୋଇ ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଉପରେ ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି । ପରବର୍ତ୍ତୀ ୪୮ ଘଣ୍ଟା ମଧ୍ୟରେ ଏହା ପଶ୍ଚିମ-ଉତ୍ତର ପଶ୍ଚିମ ଦିଗକୁ ଅଗ୍ରସର ହୋଇ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ଅଧିକ ଘନୀଭୂତ ହେବାର ସମ୍ଭାବନା ରହିଛି ।

କିଛି ମଡେଲ୍ ଅନୁଯାୟୀ ଏହା ୨୬ରେ ବାତ୍ୟାରେ ପରିଣତ ହେବା ଆଶଙ୍କା ରହିଛି। ସମ୍ଭାବ୍ୟ ବାତ୍ୟା ଆନ୍ଧ୍ର ଓ ଓଡ଼ିଶା ଉପକୂଳ ଆଡ଼କୁ ମୁହାଁଇବା ଆଶଙ୍କାକୁ ଏଡ଼ାଇ ଦିଆଯାଇ ନପାରେ। ଲ୍ୟାଣ୍ଡଫଲ୍ ପାଇଁ ଆହୁରି ସପ୍ତାହେରୁ ଅଧିକ ସମୟ ରହିଛି। ସମ୍ଭାବ୍ୟ ବାତ୍ୟା ଯେଉଁଠାରେ ଲ୍ୟାଣ୍ଡଫଲ୍ କଲେ ମଧ୍ୟ ଓଡ଼ିଶାରେ ବର୍ଷା ସମ୍ଭାବନା ରହିଛି । ତେଣୁ ଚାଷୀମାନେ ସତର୍କତା ପଦକ୍ଷେପ ନେବା ଆବଶ୍ୟକ ବୋଲି କହିଛନ୍ତି କୃଷି ପାଣିପାଗ ବିଶେଷଜ୍ଞ।

ତେବେ ସମ୍ଭାବ୍ୟ ବାତ୍ୟା ସମ୍ଭାବନାକୁ ଦେଖି ଦକ୍ଷିଣ ଓଡିଶା ସମେତ ଉପକୁଳ ଓଡିଶାର ବିଭିନ୍ନ ସ୍ଥାନରେ ଚିନ୍ତାରେ ପଡିଯାଇଛନ୍ତି ଚାଷୀ । ଗଞ୍ଜାମ ଜିଲ୍ଲା ଆସିକା, ଶେରଗଡ଼, କବିସୂର୍ଯ୍ୟନଗର, ହିଞ୍ଜିଳି , ଓ ଧରାକୋଟ ଅଞ୍ଚଳର ଚାଷୀ ମାନଙ୍କୁ ଘାରିଲାଣି ବାତ୍ୟା ଭୟ l ଚାଷୀ ସେମାନଙ୍କ ପାଚିଲା ଧାନକୁ ସୁରକ୍ଷିତ ଅମଳ କରିବାକୁ ପ୍ରୟାସ ଆରମ୍ଭ କରିଛନ୍ତି । ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଜନିତ ବର୍ଷାର ସମ୍ଭାବନା ଗଜପତି ଜିଲ୍ଲାରେ ରହିଥିବା ହେତୁ ଭୟରେ ଗଜପତି ଜିଲ୍ଲାର ଚାଷୀକୁଳ। କିପରି ସେମାନଙ୍କ ପାଚିଲା ଧାନ ଖରକୁ ଆଣିବେ ସେଥିପାଇଁ ଲାଗି ପଡିଛନ୍ତି । ତରତରିଆ ଭାବେ ମେସିନ ଲଗାଇ ଚାଷୀ ଆନ ଅମଳ କରୁଥିବା ଜିଲ୍ଲାର ଅନେକ ସ୍ଥାନରେ ଦେଖିବାକୁ ମିଳୁଛି ।

ସେହିପରି ସମ୍ଭାବ୍ୟ ବାତ୍ୟାକୁ ନେଇ ଏବେ ଚିନ୍ତାରେ ପଡିଛନ୍ତି ଜଗତସିଂହପୁର ଜିଲାର ଧାନ ଚାଷୀ । ଚଳିତ ବର୍ଷ ଜିଲ୍ଲାରେ ଭଲ ଧାନ ଫସଲ ହୋଇଥିବା ବେଳେ ଏବେ ପାଚିଲା ଧାନ ବିଲରେ ସୁନାର ଲହରୀ ଖେଳୁଛି । ହେଲେ ଏହି ସମୟରେ ବାତ୍ୟା କିମ୍ବା ବର୍ଷା ହେଲେ ଧାନ ସମ୍ପୂର୍ଣ୍ଣ ଉଜୁଡି ଯିବାର ସମ୍ଭାବନା ଥିବାରୁ ଏହା ଚାଷୀଙ୍କୁ ଚିନ୍ତାରେ ପକାଇଛି ।

କୋରାପୁଟ ଜିଲ୍ଲାରେ ଏବେ ଧାନ, ମାଣ୍ଡିଆ, ସୁଆଁ ଭଳି ଅନେକ ଚାଷ କରାଯାଇଛି। କିଛି ଅଞ୍ଚଳରେ ଏ ସବୁ ଶସ୍ୟ ପାଚିଥିବା ବେଳେ ଆଉ କିଛି ଅଞ୍ଚଳରେ ଅଧାରୁ ଅଧିକ ପରିମାଣରେ ଶସ୍ୟ ପାଚି ବିଲରେ ରହିଛି । ଆଗକୁ ବାତ୍ୟା ଆସୁଥିବା ଦେଖି ଚାଷୀ ମାନେ ସମ୍ପୂର୍ଣ୍ଣ ପାଚି ନଥିବା ଅମଳକୁ କାଟି ଖଳାକୁ ନେବା ପାଇଁ ବାଧ୍ୟ ହେଉଛନ୍ତି। ଏବେ ପୁଣି ବାତ୍ୟା ଆସିଲେ ଚାଷ କ୍ଷୟକ୍ଷତି ହେବା ସହ ମେରୁଦଣ୍ଡ ଭାଙ୍ଗିଯିବା କହିଛି ଚାଷୀ।

Scroll to Top