ଭୁବନେଶ୍ବର ୨୨।୧୦: ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ଆଗାମୀ ୧୨ ଘଣ୍ଟା ଭିତରେ ନେବ ଅବପାତର ରୂପ । ଅବପାତର ୧୨ ଘଣ୍ଟା ମଧ୍ୟରେ ଏହା ଉତ୍ତର ତାମିଲନାଡ଼ୁର ପୁଡୁଚେରୀ ଓ ଦକ୍ଷିଣ ଆନ୍ଧ୍ର ପ୍ରଦେଶ ଉପକୂଳ ଦେଇ ଗତି କରିବା ସମ୍ଭାବନା ରହିଛି । ଏହା ପ୍ରଭାବରେ ୨୪ ତାରିଖରେ ରାଜ୍ୟର ଉପକୂଳ, ଦକ୍ଷିଣ ଓ ଆଭ୍ୟନ୍ତରୀଣ ଜିଲ୍ଲାରେ ବର୍ଷା ବୃଦ୍ଧି ପାଇବା ସମ୍ଭାବନା ରହିଛି । ୨୫ ଓ ୨୬ରେ ଉପକୂଳ ସମେତ ଊପକୂଳକୁ ଲାଗିଥିବା ଅନେକ ଜିଲ୍ଲାରେ ବର୍ଷା ହେବ ବୋଲି ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ୨୭ ଓ ୨୮ ରେ ବି କିଛି ଜିଲାରେ ବର୍ଷା ସମ୍ଭାବନା ରହିଛି । ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି ୩୦ ରୁ ୪୦ କିମି ଯାଏ ରହିବା ସମ୍ଭାବନା ଅଛି ।
ସେପଟେ ଏସଆରସି ଏବଂ ପାଣିପାଗ ବିଭାଗ ଅଧିକାରୀଙ୍କ ସହ ଆଲୋଚନା ପରେ ରାଜସ୍ବ ମନ୍ତ୍ରୀ ରାଜ୍ୟବାସୀଙ୍କୁ ବ୍ୟସ୍ତ ନହେବା ପାଇଁ ପରାମର୍ଶ ଦେଇଛନ୍ତି । ବର୍ଷାର ପ୍ରଭାବ କମ ରହିଲେ ବି ରାଜସ୍ବ ବିଭାଗ ପୂରା ପ୍ରସ୍ତୁତ ଅଛି । ବର୍ଷା, ଭୂସ୍ଖଳନ ପାଇଁ ଜିଲ୍ଲା ପ୍ରଶାସନମାନେ ପ୍ରସ୍ତୁତ ଥିବା କହିଛନ୍ତି ମନ୍ତ୍ରୀ । ସମ୍ଭାବ୍ୟ ବର୍ଷା ଓ ଏହାର ମୁକାବିଲା ପାଇଁ ଚାଷୀ ଭାଇ ମାନଙ୍କୁ ପରାମର୍ଶ ଦେଇଛନ୍ତି କୃଷି ବିଭାଗ ପ୍ରମୁଖ ଶାସନ ସଚିବ ଅରବିନ୍ଦ କୁମାର ପାଢୀ । ତାଙ୍କ ନେତୃତ୍ବରେ ଏକ ପ୍ରସ୍ତୁତି ବୈଠକ ବି କରିଛି ବିଭାଗ । ବିଭାଗ ପକ୍ଷରୁ କୁହାଯାଇଛି ସମ୍ଭାବ୍ୟ ବାତ୍ୟାର ସୂଚନା ନାହିଁ । ଚଳିତ ବର୍ଷ ଭଲ ବର୍ଷା ଯୋଗୁଁ ଭଲ ଚାଷ ହୋଇଛି । ଚାଷୀ ଭାଇମାନେ ବିଭ୍ରାନ୍ତିକର ତଥ୍ୟ ଶୁଣି ଭୟଭିତ ନହେବାକୁ ପରାମର୍ଶ ଦିଆଯାଇଛି । କିଛି ଅସୁବିଧା ହେଲେ ୧୫୫୩୩୩ ଟୋଲ ଫ୍ରି ନମ୍ବରକୁ କଲ କରି କୃଷି ଅଧିକାରୀଙ୍କ ସହ ଯୋଗାଯୋଗ କରିବା ପାଇଁ କୁହାଯାଇଛି । ବର୍ଷା ହେବା ପୂର୍ବରୁ ସଅଳ ଓ ମଧ୍ୟମ କିସମ ଧାନ ୮୫ ପ୍ରତିଶତ ପାଚିଯାଇଥିଲେ ତୁରନ୍ତ କାଟିନେଇ ସୁରକ୍ଷିତ ସ୍ଥାନରେ ରଖିବାକୁ ଓୟୁଏଟି ପରାମର୍ଶ ଦେଇଛି । ସେହିପରି ମକା, ଖରିଫ୍ ଚିନାବାଦାମ, ମୁଗ, ଓ ବିରିକୁ ଓପାଡ଼ି ନିରାପଦ ସ୍ଥାନକୁ ନେଇ ଆସିବା ପାଇଁ ପରାମର୍ଶ ଦେଇଛି ଓୟୁଏଟି।
ଏପଟେ ବର୍ଷାକୁ ନେଇ ଚିନ୍ତାରେ ଅଛନ୍ତି ଗଜପତି ଜିଲ୍ଲାର ଚାଷୀକୂଳ । ଧାନ ଚାଷ ଗର୍ଭଧାରଣ ସମୟରେ ଲଘୁଚାପ ଜନିତ ବର୍ଷା ହେବା ଖବର ଚାଷୀଙ୍କ ମନରେ ଡର ପଶି ଯାଇଛି। ବର୍ତ୍ତମାନ ବିଲରେ ଧାନ ଗର୍ଭ ଧାରଣ ଅବସ୍ଥାରେ ଧାନ କେଣ୍ଡା ଠିଆ ହୋଇ ରହିଛି। ଏଭଳି ପରିସ୍ଥିତିରେ ଲଘୁଚାପ ଜନିତ ଲଗାଣ ବର୍ଷା ହୁଏ ତେବେ ଚାଷ ଜମି ସମ୍ପୂର୍ଣ୍ଣ ରୂପେ ଉଜୁଡିଯିବାର ସମ୍ଭାବନା ରହିଛି। ଧାରକରଜ କରି ଧାନ ଚାଷ କରିଥିବା ଚାଷୀ ପାଣିପାଗ ବିଭାଗର ବର୍ଷା ଖବର ପାଇବା ମାତ୍ରେ ନିଜ ଭବିଷ୍ୟତକୁ ନେଇ ମୁଣ୍ଡରେ ହାତ ଦେଇ ବସିଛି।




