ଏସିଆ କପ୍ ଟ୍ରଫି ବିବାଦରେ ବିସିସିଆଇର ବଡ଼ ନିଷ୍ପତ୍ତି, ଏବେ ନକଭିଙ୍କ କଥା ବୁଝିବ ICC !

ଏସିଆ-କପ୍-ଟ୍ରଫି-ବିବାଦରେ-ବିସିସିଆଇର-ବଡ଼-ନିଷ୍ପତ୍ତି,-ଏବେ-ନକଭିଙ୍କ-କଥା-ବୁଝିବ-icc-!

ନୂଆଦିଲ୍ଲୀ: ଏସିଆ କପ୍ ଟ୍ରଫିର ବିବାଦର ସମାଧାନ କେବେ ହେବ ? ଏହି ପ୍ରଶ୍ନର ଉତ୍ତର ଦେବା ବହୁତ ମୁସ୍କିଲ।  କାରଣ ମିଡିଆ ରିପୋର୍ଟ ଅନୁଯାୟୀ, BCCI ମୋହସିନ ନକଭିଙ୍କ ଦାବିକୁ ଅଗ୍ରାହ୍ୟ କରି ଦେଇଛି। ACC ଓ ପିସିବିର ମୁଖ୍ୟ ମୋହସିନ ନକଭି କହିଥିଲେ, ବିସିସିଆଇର ଅଧିକାରୀ କିମ୍ବା ଟିମ୍ ଇଣ୍ଡିଆର କୌଣସି ଖେଳାଳି ଦୁବାଇ ଆସି ଏସିସି ଅଧ୍ୟକ୍ଷଙ୍କ ହାତରୁ ଟ୍ରଫି ନେଇ ପାରିବେ। ମାତ୍ର ଟିମ୍ ଇଣ୍ଡିଆ ପ୍ରଥମରୁ ହିଁ ନକଭିଙ୍କ ହାତରୁ ଟ୍ରଫି ଗ୍ରହଣ କରିବାକୁ ମନା କରି ସାରିଛି।

ଏସୀୟ କ୍ରିକେଟ୍ ପରିଷଦ(ACC)ର ଅଧ୍ୟକ୍ଷ ମୋହସିନ ନକଭିଙ୍କ  ଜିଦିକୁ ଦେଖି BCCI ଏହି ପ୍ରସଙ୍ଗକୁ ଆଇସିସି ବୈଠକରେ ଉଠାଇବାକୁ ଯାଉଛି। କୁହାଯାଉଛି BCCI ମୋହସିନ ନକଭିଙ୍କ ପରାମର୍ଶ କାହିଁକି ଗ୍ରହଣ କରିବ। ଆଇସିସିର ବୈଠକ ନଭେମ୍ବର ପ୍ରଥମ ସପ୍ତାହ ସୁଦ୍ଧା ହୋଇପାରେ।

ପୂର୍ବରୁ, ସେପ୍ଟେମ୍ବର ୩୦ରେ ଏକ ACC ବୈଠକ ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ BCCI ଉପାଧ୍ୟକ୍ଷ ରାଜୀବ ଶୁକ୍ଲା ମୋହସିନ ନକଭିଙ୍କ କାର୍ଯ୍ୟର କଡ଼ା ବିରୋଧ କରିଥିଲେ। ଶୁକ୍ଲା କହିଥିଲେ ଏସିଆ କପ୍ ଟ୍ରଫି କାହାର ବ୍ୟକ୍ତିଗତ ସମ୍ପତ୍ତି ନୁହେଁ ଏବଂ ଟିମ୍ ଇଣ୍ଡିଆ ଏହାର ପ୍ରକୃତ ମାଲିକ।

ସମ୍ପ୍ରତି ବିସିସିଆଇ ଇମେଲ ମାଧ୍ୟମରେ ମୋହସିନ ନକଭିଙ୍କୁ ଟିମ୍ ଇଣ୍ଡିଆକୁ ଟ୍ରଫି ହସ୍ତାନ୍ତର କରିବାକୁ ଅନୁରୋଧ କରିଥିଲା। ଭାରତୀୟ ବୋର୍ଡ ସଚିବ ଦେବଜିତ ସାଇକିଆ କହିଛନ୍ତି ଯେ ଯଦି ନକଭି ଉତ୍ତର ନ ଦିଅନ୍ତି, ତେବେ BCCI ଏହି ମାମଲାକୁ ICC ନିକଟକୁ ନେଇଯିବ।

ରିପୋର୍ଟ ଅନୁଯାୟୀ, BCCIର ଚେତାବନୀର ଜବାବରେ, ନକଭି କହିଛନ୍ତି ଯେ ସେ ଟ୍ରଫି ହସ୍ତାନ୍ତର କରିବାକୁ ଇଚ୍ଛୁକ, କିନ୍ତୁ  ଟ୍ରଫି ପ୍ରଦାନ ସମାରୋହ ଅନୁଷ୍ଠିତ ହେବା ଆବଶ୍ୟକ, ଯେଉଁଥିରେ ସେ ବ୍ୟକ୍ତିଗତ ଭାବରେ ଭାରତୀୟ ଦଳକୁ ଟ୍ରଫି ପ୍ରଦାନ କରିଥିଲେ। ଆଉ  BCCI ନକଭିଙ୍କ ଏହି ଦାବିକୁ ପ୍ରତ୍ୟାଖ୍ୟାନ କରିଛି। ଏସିଆ କପ୍ ଟ୍ରଫି ବର୍ତ୍ତମାନ ଦୁବାଇରେ ଏସୀୟ କ୍ରିକେଟ ପରିଷଦର କାର୍ଯ୍ୟାଳୟରେ ରଖାଯାଇଛି।

Scroll to Top