ହାତରେ ଫୁଟିଲା ଦେଶୀ ବୋମା : ଚାଲିଗଲା ପୁଅଙ୍କ ଜୀବନ, ବାପା ଗୁରୁତର
Published By: Ruby – Prameya-News7 Bureau | October 21, 2025 12:10 PM
NEWS7
ଅନୁଗୋଳ ୨୧।୧୦: ଦେଶୀ ହାତ ବୋମା ବିସ୍ଫୋରଣ । ଫଳରେ ପୁଅଙ୍କ ମୃତ୍ୟୁ ହୋଇଥିବା ବେଳେ ବାପା ଗୁରୁତର ହୋଇଛନ୍ତି । ଗୁରୁତରକୁ କଟକ ଏସସିବି ମେଡିକାଲରେ ଭର୍ତ୍ତି କରାଯାଇଛି । ଜଙ୍ଗଲୀ ଜନ୍ତୁ ଶିକାର ପାଇଁ ବ୍ୟବହୃତ ହେଉଥିବା ବୋମାରେ ବିସ୍ଫୋରଣ ହୋଇଥିବା ସନ୍ଦେହ କରାଯାଉଛି । ଅନୁଗୋଳ ଜିଲ୍ଲା ସମଲ ଥାନା ସିପୁର ଗ୍ରାମରେ ଏମିତି ଏକ ଅଭାବନୀୟ ଘଟଣା ଘଟିଛି ।
ସୂଚନାଯୋଗ୍ୟ ଯେ, ସିପୁର ଗ୍ରାମର ପ୍ରମୋଦ ପ୍ରଧାନ ନାମକ ବ୍ୟକ୍ତି ପାରିବାରିକ କଳହ କାରଣରୁ ହାତରେ ଏକ ଜଙ୍ଗଲୀ ଜନ୍ତୁ ଶିକାର ପାଇଁ ବ୍ୟବହୃତ ବୋମା ନେଇଯାଉଥିଲା । ସେହି ସମୟରେ ତାଙ୍କ ପୁଅ ଠେଙ୍ଗୁ ପ୍ରଧାନ ତାଙ୍କୁ ଅଟକାଇବା ପାଇଁ ଚେଷ୍ଟା କରିବା ସମୟରେ ଠେଲାପେଲା ହେବା ଭିତରେ ବୋମାଟି ଫୁଟି ଯାଇଥିଲା । ଏଥିରେ ପ୍ରମୋଦଙ୍କ ହାତଟି ନଷ୍ଟ ହୋଇଯାଇଥିବା ବେଳେ ତାଙ୍କୁ କଟକ ଏସସିବି ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିବା ସୂଚନା ମିଳିଛି । ପୁଅକୁ ଗୁରୁତର ଅବସ୍ଥାରେ ଖମାର ମେଡିକାଲରେ ଭର୍ତ୍ତି କରାଯାଇଥିଲା । ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିବା ପରେ ସମଲ ପୋଲିସ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଘଟଣାର ଅଧିକ ତଦନ୍ତ ଜାରି ରଖିଛି ପୋଲିସ ।




