ପୁରୀ ୮।୧୦: ମହାଧାର୍ମିକ ମାସ କାର୍ତ୍ତିକ ପାଇଁ ଚଳଚଞ୍ଚଳ ହୋଇପଡିଛି ଶ୍ରୀକ୍ଷେତ୍ର । ବିଭିନ୍ନ ହବିଷ୍ୟାଳୀ ଶିବିରରେ ସୃଷ୍ଟି ହୋଇଛି ଆଧ୍ୟାତ୍ମିକ ପରିବେଶ । ଭଜନ ଜଣାଣ ସାଙ୍ଗକୁ କୃଷ୍ଣରାଧା ବେଶ ହୋଇ ନୃତ୍ୟରେ ବିଭୋର ହବିଷ୍ୟାଳୀ । ଏହି ପରିବେଶ ମଧ୍ୟରେ ହବିଷ୍ୟାଳୀ ଶିବିରରୁ ଜଣେ ହବିଷ୍ୟାଳୀ ନିଖୋଜ ହୋଇଯାଇଛନ୍ତି । ପୁରୀ ବୃନ୍ଦାବତୀ ନିବାସରେ ଘଟିଛି ଏଭଳି ଘଟଣା । ମଙ୍ଗଳବାର ସନ୍ଧ୍ୟା ପର ଠାରୁ ହବିଷ୍ୟାଳୀ ଜଣକ ନିଖୋଜ ଅଛନ୍ତି । ନିଖୋଜ ହବିଷ୍ୟାଳୀ ହେଉଛନ୍ତି ବାଣପୁର ଅଞ୍ଚଳର ରମା ସେଠୀ । ବୃନ୍ଦାବତୀ ନିବାସ ଚାରି ମହଲାର ୪୧୦ ନଂ ରୁମ୍ରେ ରମା ରହୁଥିଲେ । ରମାଙ୍କୁ ଖୋଜିବା ପାଇଁ ପୋଲିସ ପକ୍ଷରୁ ଚାଲିଛି ଛାନଭିନ ।
କାର୍ତ୍ତିକ ବ୍ରତର ଦ୍ବିତୀୟ ଦିବସରେ ପୁରୀ ନରେନ୍ଦ୍ର କୋଣରେ ଥିବା ବୃନ୍ଦାବତୀ ନିବାସ, ବଗଲା ଧର୍ମଶାଳା, ମୋଚି ସାହି ଛକ କଲ୍ୟାଣ ମଣ୍ଡପ, ରେଲୱେ ଷ୍ଟେସନ ଟୁରିଷ୍ଟ କମ୍ପ୍ଲେକ୍ସ, ରେଲୱେ କଲ୍ୟାଣ ମଣ୍ଡପରେ ଅଢେଇ ହଜାର ହବିଷ୍ୟାଳୀ କାର୍ତ୍ତିକ ବ୍ରତ ପାଳନ କରୁଛନ୍ତି । ସେମାନଙ୍କ ପାଇଁ ରହିବା, ଖାଇବା, ଶ୍ରୀମନ୍ଦିର ଦର୍ଶନ, ସ୍ବାସ୍ଥ୍ୟସେବା, ସୁରକ୍ଷା ବ୍ୟବସ୍ଥା ସହିତ ସ୍ବେଚ୍ଛାସେବୀ ମୁତୟନ ହୋଇଛନ୍ତି । ସେହିପରି ସନ୍ଧ୍ୟାରେ ମହାପ୍ରସାଦ ସେବନର ବ୍ୟବସ୍ଥା ମଧ୍ୟ କରାଯାଇଛି । ରାଜ୍ୟ ସରକାରଙ୍କ ଏଭଳି ପଦକ୍ଷେପକୁ ହବିଷ୍ୟାଳୀ ମାନେ ଭୁରି ଭୁରି ପ୍ରଶଂସା କରିଛନ୍ତି ।
ହବିଷ୍ୟାଳୀ ଶିବିରରୁ ହବିଷ୍ୟାଳୀ ନିଖୋଜ, ବୃନ୍ଦାବତୀ ନିବାସର ୪୧୦ନଂ ରୁମ୍ରେ ରହୁଥିଲେ




