ସୁନା ହେଲା ୧.୮୦% ମହଙ୍ଗା, ତଥାପି All time highରୁ ୪୦,୦୦୦ ଟଙ୍କା ଶସ୍ତା

ସୁନା-ହେଲା-୧.୮୦%-ମହଙ୍ଗା,-ତଥାପି-all-time-highରୁ-୪୦,୦୦୦-ଟଙ୍କା-ଶସ୍ତା

ନୂଆଦିଲ୍ଲୀ: ଆମେରିକା ଓ ଇରାନ ମଧ୍ୟରେ ଦୁଇ ସପ୍ତାହର ଯୁଦ୍ଧବିରାମ ଅଚାନକ ସୁନା ଦର ବୃଦ୍ଧିର କାରଣ ପାଲଟିଛି। ବୁଧବାର ଫ୍ୟୁଚର ଗୋଲ୍ଡ କାରବାର ମୂଲ୍ୟ ୪,୬୦୦ ଟଙ୍କା ବଢି ଦିନର ସର୍ବୋଚ୍ଚ ଦର ପ୍ରତି ୧୦ଗ୍ରାମ ୧,୫୪,୯୩୪ ଟଙ୍କା ହୋଇଯାଇଛି। ଖବର ଲେଖା ହେବା ବେଳକୁ ସୁନା ମୂଲ୍ୟରେ ୧.୮୦% ବୃଦ୍ଧି ସହ ପ୍ରତି ୧୦ଗ୍ରାମ ୧,୫୨,୯୯୨ ଟଙ୍କାରେ ଟ୍ରେଡିଂ କରୁଛି। ଏହି ସମୟରେ ଲୋ ଲେବୁଲ ୧,୫୨,୬୨୫ ଟଙ୍କାକୁ ପହଞ୍ଚିଥିବା ବେଳେ ପିଛିଲା କ୍ଲୋଜ ୧,୫୦,୨୮୯ ଟଙ୍କା ଥିଲା।

କାହିଁକି ବଢିଲା ସୁନା ଦର?
ବଜାର ବିଶେଷଜ୍ଞଙ୍କ ଅନୁସାରେ ମଲ୍ଟି କମଡିଟି ଏକ୍ସଚେଞ୍ଜ (ଏମସିଏକ୍ସ)ରେ ଜୁନ ଡେଲିଭରୀ ସୁନାରେ ହୋଇଥିବା ୨% ବୃଦ୍ଧି ମୁଖ୍ୟ ରୂପେ ଡଲାର ଦୁର୍ବଳ ହେବା ଓ ଭୂ-ରାଜନୈତିକ ଉତ୍ତେଜନା ହ୍ରାସ ଯୋଗୁ ହୋଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ସହିତ ୨ ସପ୍ତାହ ଯୁଦ୍ଧବିରାମ ଘୋଷଣା କରିଛନ୍ତି। ଫଳରେ ଯୁଦ୍ଧ ଆଉ ତୀବ୍ର ହେବାର ସମ୍ଭାବନା କମିଛି। ଇରାନର ବେସାମରିକ କ୍ଷେତ୍ର ଉପରେ ଆକ୍ରମଣ ରୋକିବା ନିଷ୍ପତ୍ତି ଯୋଗୁ ବଜାର ମାନସିକତାରେ ପରିବର୍ତ୍ତନ ଆସିଛି। ଏଥିଯୋଗୁ ଡଲାର ଦୁର୍ବଳ ହୋଇଥିବା ବେଳେ ସୁନାକୁ ସମର୍ଥନ ମିଳିଛି।

ଅଶୋଧିତ ତୈଳ ମୂଲ୍ୟ ହ୍ରାସର ଦେଖାଗଲା ପ୍ରଭାବ
କେବଳ ସୁନା ମୂଲ୍ୟ ବଢି ନାହିଁ, ଏହି ଶାନ୍ତି ବୁଝାମଣା ଯୋଗୁ ଅଶୋଧିତ ତୈଳ ମୂଲ୍ୟରେ ୧୫%ର ଭୀଷଣ ହ୍ରାସ ଦେଖାଯାଇଛି। ହୁଏତ ଏହା ‘ସର୍ଟ କଭରିଂ’ କାରଣରୁ ବି ହୋଇପାରିଥାଏ। କାରଣ ଏବେବି ଏହା ସ୍ପଷ୍ଟ କୁହାଯାଇ ପାରୁନି ଯୁଦ୍ଧବିରାମ କେଉଁ ପର୍ଯ୍ୟନ୍ତ ସଫଳ ହେବ। ଯଦିଓ ଆଜି ସୁନା ମୂଲ୍ୟରେ ବୃଦ୍ଧି ଦେଖା ଯାଇଛି ତଥାପି ସୁନା ତାର ରେକର୍ଡ ହାଇ ସ୍ତରରୁ ଏବେବି ତଳେ ରହିଛି। ୨୭ ଫେବୃଆରୀ ୨୦୨୬ରେ ସୁନା ପ୍ରତି ୧୦ଗ୍ରାମ ୧,୬୫,୬୫୯ ଟଙ୍କାରେ ଥିଲା। ତେବେ ଯୁଦ୍ଧ କାଳରେ ୧୨,୩୬୩ ଟଙ୍କା ଅର୍ଥାତ ୭.୫% ହ୍ରାସ ହୋଇଥିଲା। ଅନ୍ତର୍ଜାତୀୟ ବଜାରରେ ମଧ୍ୟ ଜୁନ ଫ୍ୟୁଚର ଗୋଲ୍ଡ ୩% ମହଙ୍ଗା ହୋଇ ପ୍ରତି ଆଉନ୍ସ ୪,୮୧୩ ଡଲାରକୁ ପହଞ୍ଚି ଯାଇଛି।

ଅଲଟାଇମ ହାଇରୁ ୪୦,୦୦୦ ଶସ୍ତା
ଏମସିଏକ୍ସ ରେ ଗୋଲ୍ଡ ଜାନୁୟାରୀ ୨୯ ତାରିଖରେ ୧.୯୩ ଲକ୍ଷ ଟଙ୍କାକୁ ପହଞ୍ଚି ଇତିହାସ ରଚିଥିଲା। ତେବେ ଏହି ପରଦିନଠାରୁ ସୁନା ମୂଲ୍ୟରେ ଲଗାତାର ହ୍ରାସ ଜାରି ରହିଛି। ଯଦି ଅଲଟାଇମ ହାଇ ଓ ଆଜି ଦିନର ଦର ତୁଳନା କରିବା ତେବେ ସୁନା ପ୍ରତି ୧୦ଗ୍ରାମ ଏବେ ୪୦,୦୦୦ ଟଙ୍କା ଶସ୍ତା ଅଛି। ଇରାନ ହୋର୍ମୁଜ ଷ୍ଟ୍ରେଟ୍କୁ ପୁଣି ଥରେ ଖୋଲିବାକୁ ରାଜି ହୋଇଛି। ଏହା ଭାରତ ଭଳି ତୈଳ ଆମଦାନୀକାରୀ ଦେଶଙ୍କ ଲାଗି ଏକ ବଡ଼ ଆଶ୍ୱସ୍ତି। ଟ୍ରମ୍ପଙ୍କୁ ଇରାନର ୧୦ ସୂତ୍ରୀ ପ୍ରସ୍ତାବ ମିଳିଛି। ଯାହାକୁ ସେ ବୁଝାମଣା ପାଇଁ ଏକ ଭଲ ଆଧାର ରୂପେ ଦେଖୁଛନ୍ତି।

ଆଉ କେତେ ବଢିବ ସୁନାଦର?
ଏକ୍ସପର୍ଟଙ୍କ ଅନୁସାରେ ସୁନା ୪,୮୦୦ ଡଲାର ସ୍ତର ପାର କରିଯାଇଛି,ଯାହା ଦରବୃଦ୍ଧିର ସଂକେତ ହୋଇପାରେ। ଯଦି ଏହି ପରିସ୍ଥିତି ଜାରି ରହିଲା ତେବେ ଅନ୍ତର୍ଜାତୀୟ ବଜାରରେ ସୁନା ୫ ହଜାର ଡଲାର ଓ ଘରୋଇ ବଜାରରେ ପ୍ରତି ୧୦ଗ୍ରାମ ୧.୫୯ଲକ୍ଷ ଟଙ୍କାର ଆଗାମୀ ଲକ୍ଷ୍ୟକୁ ପହଞ୍ଚିଯିବ।

Also Read..ବନ୍ଦ ହେଲା ଇରାନ ଯୁଦ୍ଧ; ଆକାଶ ଛୁଆଁ ହେଲା ସୁନା ରୁପା, ଗୋଟିଏ ଦିନରେ ଗୋଲ୍ଡର ହାଇ ଜମ୍ପ

Scroll to Top