ସଲମାନ ଖାନଙ୍କୁ ନିମନ୍ତ୍ରଣ କରିଥିବାରୁ କପିଲ ଶର୍ମାଙ୍କ କାଫେକୁ ଟାର୍ଗେଟ୍ କରାଯାଇଛି: ଅଡିଓ କ୍ଲିପ୍‌ରୁ ସାମ୍ନାକୁ ଆସିଲା ତଥ୍ୟ

ସଲମାନ-ଖାନଙ୍କୁ-ନିମନ୍ତ୍ରଣ-କରିଥିବାରୁ-କପିଲ-ଶର୍ମାଙ୍କ-କାଫେକୁ-ଟାର୍ଗେଟ୍-କରାଯାଇଛି:-ଅଡିଓ-କ୍ଲିପ୍‌ରୁ-ସାମ୍ନାକୁ-ଆସିଲା-ତଥ୍ୟ

ନୂଆଦିଲ୍ଲୀ: କମେଡିଆନ କପିଲ ଶର୍ମାଙ୍କର କାନାଡ଼ାରେ ଥିବା ରେଷ୍ଟୋରାଣ୍ଟ ଉପରେ ହୋଇଥିବା ଆକ୍ରମଣ ଘଟଣାରେ ଏକ ନୂଆ ତଥ୍ୟ ସାମ୍ନାକୁ ଆସିଛି। କପିଲ ଶର୍ମା ଏକ ଉଦ୍‌ଘାଟନ ଉତ୍ସବକୁ ସଲମାନ ଖାନ୍‌ଙ୍କୁ ନିମନ୍ତ୍ରଣ କରିଥିବାରୁ ତାଙ୍କ ରେଷ୍ଟୋରାଣ୍ଟକୁ ଟାର୍ଗେଟ୍ କରାଯାଇଥିଲା ବୋଲି ଏକ ଫୋନ୍ କଲ ସାମ୍ନାକୁ ଆସିଛି। ଏହି ଫୋନ୍‌ କଲଟି ଲରେନ୍ସ ବିଷ୍ନୋଇ ଗ୍ୟାଙ୍ଗର ଅଭିଯୁକ୍ତ ସଦସ୍ୟ ହ୍ୟାରି ବକ୍ସରର ହୋଇଥାଇ ପାରେ ବୋଲି ସନ୍ଦେହ କରାଯାଉଛି।

ଏହି କଲରେ ବ୍ୟକ୍ତି ଜଣଙ୍କ କହିଛନ୍ତି “ ପ୍ରଥମ ଘଟଣା ପରେ ଏବେ ଦ୍ୱିତୀୟ ଥର କପିଲ ଶର୍ମାଙ୍କ ରେଷ୍ଟୁରାଣ୍ଟ ଉପରେ ଗୁଳିମାଡ଼ କରାଯାଇଛି। କାରଣ ସେ ସଲମାନ ଖାନଙ୍କୁ ନେଟଫ୍ଲିକ୍ସ ଶୋ’ର ଉଦଘାଟନୀ ଉତ୍ସବକୁ ନିମନ୍ତ୍ରଣ କରିଥିଲେ।” 

 ସୂଚନା ଥାଉକି ‘ଦ ଗ୍ରେଟ ଇଣ୍ଡିଆନ କପିଲ ଶର୍ମା ଶୋ’ର ତୃତୀୟ ସଂସ୍କରଣ ପ୍ରଥମ ଏପିସୋଡ୍‌ରେ ସମଲାନ ଖାନ ଆସିଥିଲେ। ଜୁନ ୨୧ରେ ଶୁଟ୍ କରାଯାଇଥିବା ଏହି ଶୋ’ଟି ନେଟ୍‌ଫ୍ଲିକ୍ସ ପ୍ରିମିୟର ଉଦ୍‌ଘାଟନୀ ଶୋ ଥିଲା। ତେବେ ସଲମାନ ଖାନଙ୍କ ସହିତ ବିଷ୍ଣୋଇ ଗ୍ୟାଙ୍କର ଶତ୍ରୁତା ୧୯୯୮ କୃଷ୍ଣସାର ମୃଗ ହତ୍ୟା ମାମଲାରୁ ଆରମ୍ଭ ହୋଇଛି। ଗ୍ୟାଙ୍ଗ ସଲମାନଙ୍କୁ ହତ୍ୟା କରିବାକୁ ସେବେଠାରୁ ଷଡ଼ଯନ୍ତ୍ର କରୁଛି।    

ଭଏସ କଲ୍‌ରେ ଗ୍ୟାଙ୍ଗଷ୍ଟାର ଆହୁରି କହିଛି ଯେ ଯିଏ ବି ସଲମାନ ଖାନ୍‌ଙ୍କ ସହିତ କାମ କରିବେ ସେ ତାଙ୍କର ନିଜର ମୃତ୍ୟୁ ପାଇଁ ଦାୟୀ ରହିବେ। ବକ୍ସର କହିଛି “ଯଦି କେହି ସଲମାନଙ୍କ ସହ କାମ କରନ୍ତି, ସେ ଛୋଟ ଅଭିନେତା ହୁଅନ୍ତୁ କିମ୍ବା ଛୋଟ ନିର୍ଦ୍ଦେଶକ, ଆମେ କାହାକୁ ମଧ୍ୟ ଛାଡିବୁ ନାହିଁ। ଆମେ ସେମାନଙ୍କୁ ହତ୍ୟା କରିବୁ। ସେମାନଙ୍କୁ ହତ୍ୟା କରିବା ପାଇଁ ଯେକୌଣସି ସୀମା ପର୍ଯ୍ୟନ୍ତ ଯିବୁ।”

ସୂଚନା ଥାଉକି ଗୁରୁବାର କାନାଡ଼ାର ସୁରେରେ ଥିବା କପିଲ ଶର୍ମାଙ୍କ କାପ୍ସ କାଫେରେ ଦ୍ୱିତୀୟର ଥର ପାଇଁ ଆକ୍ରମଣ କରାଯାଇଥିଲା। ରେଷ୍ଟୋରାଣ୍ଟରେ ଅତି କମରେ ୨୫ ଟି ଗୁଳି ମାଡ଼ କରାଯାଇଥିଲା। ଏଥିରେ ରେଷ୍ଟୋରାଣ୍ଟର ଝରକା ଭାଙ୍ଗି ଯାଇଛି। ତେବେ ଏହି ଘଟଣାରେ କେହି ଆହତ ହୋଇ ନାହାନ୍ତି। ଏହି ଗୁଳିକାଣ୍ଡ ପାଇଁ ବିଷ୍ନୋଇ ଗ୍ୟାଙ୍ଗ ସଦସ୍ୟ ଗୋଲଡି ଢିଲୋନ ଏକ ସୋସିଆଲ ମିଡିଆରେ ପୋଷ୍ଟ କରି ନିଜକୁ ଦାୟୀ କରିଛି।

ପଞ୍ଜାବ ପୋଲିସ ଏବଂ NIA ବର୍ତ୍ତମାନ ଗୋଲ୍‌ଡି ଢିଲୋନକୁ ଖୋଜୁଛି। ସେ ବର୍ତ୍ତମାନ ଜର୍ମାନୀରେ ରହୁଛି ବୋଲି ସୁରକ୍ଷା ଏଜେନ୍ସିଗୁଡ଼ିକ ସନ୍ଦେହ କରୁଛନ୍ତି। ଗୋଲ୍ଡି ଉପରେ ପଞ୍ଜାବରେ ଦାଦାବଟି ଆଦାୟ ଏବଂ ହତ୍ୟାର ଅନେକ ମାମଲା ପଞ୍ଜିକୃତ ହୋଇଛି।

Scroll to Top