ନୂଆଦିଲ୍ଲୀ: ଭାରତୀୟ ୱିକେଟକିପର୍ ବ୍ୟାଟର୍ ରିଷଭ ପନ୍ତ ଇଂଲଣ୍ଡ ଗସ୍ତ ବେଳେ ଆହତ ହୋଇଥିଲେ । ଲର୍ଡ୍ସ ଟେଷ୍ଟରେ ୱିକେଟ୍କିପିଂ ବେଳେ ତାଙ୍କ ଆଙ୍ଗୁଠିରେ ଆଘାତ ଲାଗିଥିଲା । ଅନ୍ୟପଟେ, ମାଞ୍ଚେଷ୍ଟର ଟେଷ୍ଟରେ ପନ୍ତଙ୍କ ଗୋଡ଼ରେ ଗଭୀର ଆଘାତ ଲାଗିଥିଲା, ଯେଉଁଥି ପାଇଁ ତାଙ୍କୁ ଅଧାରେ ମୈଦାନ ଛାଡ଼ିବାକୁ ପଡ଼ିଥିଲା । ପନ୍ତଙ୍କ ଆହତ ହେବା ଆଣ୍ଡରସନ୍-ତେନ୍ଦୁଲକର ଟ୍ରଫି ସିରିଜରେ ଟିମ୍ ଇଣ୍ଡିଆ ପାଇଁ ଚିନ୍ତା ବଢାଇଥିଲା । ଯେଉଁଥି ପାଇଁ ଏବେ ବିସିସିଆଇ ଆଗାମୀ ଘରୋଇ ସିରିଜ ପୂର୍ବରୁ ନୂଆ ନିୟମ ଘୋଷଣା କରିଛି ।
ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ ଘରୋଇ କ୍ରିକେଟରେ ମଲ୍ଟି-ଡେ-ମ୍ୟାଚ୍ ପାଇଁ ଏକ ନୂଆ ସିରିୟସ୍ ଇଞ୍ଜରି ରିପ୍ଲେସମେଣ୍ଟ ନିୟମ ଲାଗୁ କରିବାକୁ ଯାଉଛି । ଏହି ନିୟମ ୨୦୨୫-୨୬ ସିଜିନରୁ ପ୍ରଭାବୀ ହେବ ଓ ମଲ୍ଟି-ଡେ ଫର୍ମାଟରେ ଆହତ କାରଣରୁ ଖେଳାଳିଙ୍କ ପାଇଁ ରିପ୍ଲେସମେଣ୍ଟ ଦିଆଯିବ । ରିଭଷ ପନ୍ତଙ୍କ ଆହତ ବିସିସିଆଇକୁ ଏହି ପଦକ୍ଷେପ ନେବାକୁ ବାଧ୍ୟ କରିଛି । ନୂଆ ନିୟମ ଅନୁସାରେ, ଯଦି କୌଣସି ମଲ୍ଟି-ଡେ ମ୍ୟାଚରେ ଗୁରୁତର ଆହତ କାରଣରୁ ଖେଳାଳି ମ୍ୟାଚରୁ ବାହାର ହୁଅନ୍ତି, ତେବେ ଟିମ୍ ମ୍ୟାନେଜମେଣ୍ଟକୁ ଏକ ସମାନ ଯୋଗ୍ୟତା ଥିବା ଖେଳାଳି ରିପ୍ଲେସ୍ କରିପାରିବେ । ଏଥିପାଇଁ ଚୟନ ସମିତି ଓ ମ୍ୟାଚ୍ ରେଫରୀଙ୍କ ମଞ୍ଜୁରି ନେବାକୁ ପଡ଼ିବ ।
ଏହି ନିୟମ ଆହାତ କାରଣରୁ ଟିମର ରଣନୀତି ଉପରେ ପ୍ରଭାବ ନପଡ଼ିବା ଓ ଖେଳର ସ୍ତର ବଜାୟ ରଖିବାରେ ସହାୟକ ହୋଇପାରିବ । ଅହମ୍ମଦାବାଦରେ ଚାଲିଥିବା ଅମ୍ପାୟର୍ସଙ୍କ ସେମିନାରରେ ଅମ୍ପାୟର୍ସଙ୍କୁକୁ ନୂଆ ଖେଳ ନିୟମ ବାବଦରେ ଜଣାଯାଇଛି । ବିସିସିଆଇ କହିଛି ଯେ ହ୍ୱାଇଟ୍ ବଲ୍ ଟୁର୍ଣ୍ଣାମେଣ୍ଟ ସୈୟଦ ମୁସ୍ତାକ ଅଲି କିମ୍ୱା ବିଜୟ ହଜାରେ ଟୁର୍ଣ୍ଣାମେଣ୍ଟରେ ଏହିପରି କୌଣସି ରିପ୍ଲେସମେଣ୍ଟକୁ ଅନୁମତି ଦିଆଯିବ ନାହିଁ । କିନ୍ତୁ ଏହି ନିୟମ ସିକେ ନାଇଡୁ ଟ୍ରଫି ପାଇଁ ମଲ୍ଟି-ଡେ ଅଣ୍ଡର ୧୯ ଟୁର୍ଣ୍ଣାମେଣ୍ଟରେ ଲାଗୁ ରହିବ ।
ଆଇସିସି ନିୟମ ଅନୁସାରେ ଜଣେ ଖେଳାଳିଙ୍କ ମୁଣ୍ଡରେ ଆଘାତ ଲାଗିବା ପରେ ହିଁ ରିପ୍ଲେସମେଣ୍ଟ ଦିଆଯାଇଥାଏ । ଏଥିରେ ବି ନିୟମ ଅଛି ଯେ ଯଦି କୌଣସି ଖେଳାଳି ଏହି କାରଣରୁ ବାହାରନ୍ତି ତେବେ ସେ ୭ ଦିନ ପର୍ଯ୍ୟନ୍ତ କୌଣସି ମ୍ୟାଚ୍ ଖେଳିପାରିବେ ନାହିଁ ।




