ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ସହିତ ସ୍ୱର ମିଳାଇ ନିଜ ଦଳରୁ ସମାଲୋଚିତ ହୋଇଥିବା ଶଶି ଥରୁର ଏବେ ଦଳର ବରିଷ୍ଠ ନେତା ରାହୁଲ ଗାନ୍ଧୀଙ୍କୁ ସମର୍ଥନ ଦେଇଛନ୍ତି। ୨୦୨୪ ଲୋକସଭା ନିର୍ବାଚନରେ ଇଲେକ୍ସନ କମିଶନ ବିଜେପି ସହ ମିଶି ବଡ଼ ଧରଣର ଭୋଟ ଚୋରି କରିଥିବା ରାହୁଲ ଗାନ୍ଧୀଙ୍କର ଅଭିଯୋଗକୁ ଚିନ୍ତାଜନକ ବୋଲି କହିଛନ୍ତି ଥରୁର।
ଇଲେକ୍ସନ କମିଶନ ୨୦୨୪ରେ ବିଜେପିକୁ ବିଜୟୀ କରାଇବା ପାଇଁ ଦଳ ସହ ମିଶି ଭୋଟ ରିଗିଂ କରିଛି ବୋଲି ରାହୁଲ ଅଭିଯୋଗ କରିଥିଲେ। ଏନେଇ ତାଙ୍କ ପାଖରେ ଠୋସ୍ ପ୍ରମାଣ ରହିଛି ବୋଲି ରାହୁଲ କହିବା ପରେ ଏ ନେଇ ଦେଶର ରାଜନୈତିକ ଝଡ଼ ସୃଷ୍ଟି ହୋଇଛି। ରାହୁଲଙ୍କର ଅଭିଯୋଗକୁ ନେଇ ଥରୁର ଚିନ୍ତା ବ୍ୟକ୍ତ କରିଛନ୍ତି।
ଏନେଇ ଥରୁର ଏକ୍ସରେ ପୋଷ୍ଟ କରି ଲେଖିଛନ୍ତି “ଏଗୁଡ଼ିକ ଗମ୍ଭୀର ପ୍ରଶ୍ନ, ସମସ୍ତ ଦଳ ଏବଂ ସମସ୍ତ ଭୋଟରଙ୍କ ସ୍ୱାର୍ଥ ପାଇଁ ଗମ୍ଭୀରତାର ସହିତ ସମାଧାନ କରାଯିବା ଆବଶ୍ୟକ। ଆମର ଗଣତନ୍ତ୍ର ଖୁବ୍ ମୂଲ୍ୟବାନ, ଏହାର ଅପାରଗତା, ଅସାବଧାନତା କିମ୍ବା ତା’ଠାରୁ ଖରାପ, ଜାଣିଶୁଣି ହେରଫେର କରିବାକୁ ଦେଇ ଏହାର ବିଶ୍ୱସନୀୟତାକୁ ନଷ୍ଟ କରାଯାଇ ପାରିବ ନାହିଁ।” ତେଣୁ ଇଲେକ୍ସନ କମିଶନ ଏହା ଦିଗରେ ବିହୀତ ପଦକ୍ଷେପ ନେଇ ବିବାଦର ସମାଧାନ କରିବା ଉଚିତ୍ ବୋଲି ଥରୁର ଅଭିଯୋଗ କରିଛନ୍ତି।

ଗତ ୬ ମାସ ଧରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରଶଂସା କରିବା, ଇନ୍ଦିରାଙ୍କ ଏମାର୍ଜେନ୍ସିକୁ ସମାଲୋଚନା କରିବା ଓ କେନ୍ଦ୍ର ସରକାରଙ୍କ କେତେକ ପଦକ୍ଷେପକୁ ପ୍ରଶଂସା କରିବା ସହ ତାଙ୍କର ସ୍ପଷ୍ଟବାଦୀ କଥା ଯୋଗୁ କଂଗ୍ରେସର କ୍ରୋଧର ଶିକାର ହୋଇଥିଲେ। ଦଳ ତାଙ୍କ ପ୍ରତି କୋଠର ହୋଇଥିଲା। ହେଲେ ଏବେ ଥରୁରଙ୍କର ନୂଆ ବୟାନରୁ ତାଙ୍କ ସ୍ୱର ବଦଳିବା ପରି ମନେ ହେଉଛି।
ଭୋଟ ଚୋରି ହୋଇଥିବା ନେଇ ଗତକାଲି ଅଭିଯୋଗ କରିଥିଲେ ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ। ୨୦୨୪ ନିର୍ବାଚନ ପରଠାରୁ ବଡ଼ ଧରଣର ଭୋଟ ଚୋରି ହୋଇଛି, ଏହଂ ନିର୍ବାଚନ ପ୍ରକ୍ରିୟାକୁ ଏକ ଡ୍ରାମା ଥିଲା ବୋଲି ରାହୁଲ ଅଭିଯୋଗ କରିଛନ୍ତି। ସେ ଦାବି କରିଛନ୍ତି ଯେ ନିର୍ବାଚନ କମିଶନ ବିଜେପି ସହିତ ମିଶି ଫଳାଫଳକୁ ପ୍ରଭାବିତ କରିଛନ୍ତି।
କର୍ଣ୍ଣାଟକର ମହାଦେବପୁରା ବିଧାନସଭା ଆସନରେ ଏହି ଘୋଟାଲ ହୋଇଥିଲା ବୋଲି ରାହୁଲଙ୍କ ଅଭିଯୋଗ କରିଛନ୍ତି। ରାହୁଲଙ୍କ ଅନୁସାରେ, ବିଜେପି ୧,୧୪,୦୪୬ ଭୋଟର ବୃଦ୍ଧି ପାଇଛି, ଯାହା ଫଳରେ କଂଗ୍ରେସ ଅଧିକାଂଶ କ୍ଷେତ୍ରରେ ଆଗୁଆ ଥିଲେ ମଧ୍ୟ ବେଙ୍ଗାଲୁରୁ କେନ୍ଦ୍ରୀୟ ଲୋକସଭା ଆସନରୁ ବିଜେପି ଠାରୁ ୩୨,୭୦୭ ଭୋଟରେ ହାରିଥିଲା। ଭୋଟ ଘୋଟାଲା ଯୋଗୁ ଏପରି ହୋଇଥିଲା ବୋଲି ରାହୁଲ ଅଭିଯୋଗ କରିଛନ୍ତି। ଏବଂ ଏନେଇ ତାଙ୍କ ପାଖରେ ଠୋସ୍ ପ୍ରମାଣ ରହିଛି ବୋଲି ସେ ଅଭିଯୋଗ କରିଛନ୍ତି।
ଏନେଇ ରାହୁଲ ଗାନ୍ଧୀ ଗତ ୧୦-୧୫ ବର୍ଷର ମେସିନ୍-ରିଡେବଲ ଭୋଟର ତଥ୍ୟ ଏବଂ ମତଦାନ କେନ୍ଦ୍ରରୁ ସିସିଟିଭି ଫୁଟେଜ୍ ଜାରି କରିବାକୁ ଦାବି କରିଛନ୍ତି। ସେ କହିଛନ୍ତି “ଯଦି ନିର୍ବାଚନ କମିଶନ ଆମକୁ ଗତ ୧୦-୧୫ ବର୍ଷର ମେସିନ୍-ରିଡେବଲ ଡାଟା ଏବଂ ସିସିଟିଭି ଫୁଟେଜ୍ ନ ଦିଅନ୍ତି, ତେବେ ସେମାନେ ଅପରାଧରେ ଭାଗ ନେଉଛନ୍ତି।” ଅନ୍ୟପଟେ ବିଜେପି ଏହାକୁ ଖଣ୍ଡନ କରିଛି। ରାହୁଲ ଏଭଳି ଅଭିଯୋଗ କରି ଭୋଟରଙ୍କୁ ଅପମାନିତ କରିଛନ୍ତି ବୋଲି ବିଜେପି କହିଛି।




