ଭୁବନେଶ୍ବର ୨୩।୧୦: ରାଜଧାନୀର ୧ ନଂ ହାଟରେ ଅଗ୍ନିକାଣ୍ଡ ଘଟଣା ପରେ ଚେତିଛି ବିଏମ୍ସି । ରାଜଧାନୀର ବିଭିନ୍ନ ହାଟ ପାଇଁ SOP ଆଣିବ ବିଏମ୍ସି । ରାଜଧାନୀର ୨୦ଟି ବଡ଼ ହାଟ ପାଇଁ ଲାଗୁହେବ SOP । ହାଟ କେମିତି ପାଇ ହେବ ବିଧିବଦ୍ଧ ନିର୍ବାଚନ ହେବ । BMC ଅଧିକାରୀଙ୍କ ଉପସ୍ଥିତିରେ ହେବ ହାଟ କମିଟି ନିର୍ବାଚନ । ସବୁ ହାଟ ଦୋକାନୀଙ୍କ ପାଇଁ ଗ୍ରୁପ ଇନସ୍ୟୁରାନ୍ସ କରିବ BMC । ରାଜଧାନୀର ବିଭିନ୍ନ ହାଟରେ ଏନଫୋର୍ସମେଣ୍ଟକୁ କଡା କଡ଼ି କରାଯିବ । ହାଟ ଭିତରେ ଜରିପାଲ ଟାଣି ପାରିବେନି ବ୍ୟବସାୟୀ । ହାଟରେ ଏନଫୋର୍ସମେଣ୍ଟ କଡ଼ାକଡ଼ି କରାଯିବ । ରାସ୍ତା ଉପରକୁ ମାଡ଼ି ବ୍ୟବସାୟ କରି ପାରିବେନି ଦୋକାନୀ । ଏକ ନମ୍ବର ମାର୍କେଟକୁ ମଡର୍ଣ୍ଣ ମାର୍କେଟ କରିବାକୁ ୧୮୬ କୋଟି ଟଙ୍କାର ବ୍ୟୟ ଅଟକଳ ହୋଇଥିଲା । ପାତ୍ରପଡା ଭଗବାନପୁର ହୋଲସେଲ୍ ମାର୍କେଟ ପାଇଁ ଟଙ୍କାର ଅଭାବ ରହିଛି । ଏସବୁ ପାଇଁ ସରକାର ଅର୍ଥ ଯୋଗେଇ ଦେଲେ କାମ ଆଗକୁ ବଢ଼ିବ ବୋଲି ମେୟର କହିଛନ୍ତି । କ୍ଷତିଗ୍ରସ୍ତଙ୍କୁ CMRF ଫଣ୍ଡ ସହ BMC ନିଜସ୍ଵ ପାଣ୍ଠିରୁ ଆର୍ଥିକ ସହାୟତା ଯୋଗାଇଦେବାକୁ ବିଚାରବିମର୍ଶ କରାଯାଉଥିବା ମେୟର କହିଛନ୍ତି ।
ଉଲ୍ଲେଖଯୋଗ୍ୟ ଯେ, ରାଜଧାନୀର ସର୍ବାଧିକ ଜନଗହଳିପୂର୍ଣ୍ଣ ୧ନମ୍ବର ହାଟର ବିକାଶ ପାଇଁ ପରିକଳ୍ପନା କରିଥିଲା ବିଏମସି । ୩ ଏକର ଜାଗାରେ ପ୍ରାୟ ୨ ହଜାର ବ୍ୟବସାୟୀ ବସିବା ଭଳି ଏକ ଅତ୍ୟାଧୁନିକ ମାର୍କେଟ୍ କମ୍ପ୍ଲେକ୍ସର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରାଯାଇଥିଲା । ଏଥିପାଇଁ ୪୨ଟି ସରକାରୀ କ୍ୱାର୍ଟର୍ସ ସହ ଦୁଇଟି ବସ୍ତି ଉଚ୍ଛେଦ କରାଯାଇଥିଲା । ୧୧ ବର୍ଷ ପରେ ଏହି ପ୍ରକଳ୍ପ କେବଳ କାଗଜ କଲମରେ ସୀମିତ ହୋଇ ରହିଯାଇଛି । ବିଳମ୍ବିତ ପ୍ରକ୍ରିୟା କାରଣରୁ ପରିବା ମାର୍କେଟ ଚାରିପାଖରେ ପୁଣି ଥରେ ବସ୍ତି ଗଢି ଉଠିଥିବା ବେଳେ ୧ନଂ ହାଟକୁ ସବୁ ସମୟରେ ଅଗ୍ନିକାଣ୍ଡର ଭୟ ରହିଛି । ସେପଟେ ନାଲିଫିତା ତଳେ ଚାପି ହୋଇ ରହିଛି ୟୁନିଟ ୧ ମାର୍କେଟ ବିକାଶ ନକସା । ଏହି ବିଳମ୍ବିତ ପ୍ରକ୍ରିୟା କାରଣରୁ ଯେଉଁ ବସ୍ତି ଉଚ୍ଛେଦ ହୋଇଥିଲା, ତାହା ପୁଣି ଗଢ଼ି ଉଠିଲାଣି । ଏଣେ ହାଟର ବ୍ୟବସାୟୀ ମାନେ ପ୍ରତି ମୁହୂର୍ତ୍ତରେ ଭୟର ବାତାବରଣ ଭିତରେ ରହୁଛନ୍ତି । ବିଶେଷକରି ହାଟକୁ ସବୁବେଳେ ନିଆଁ ଡର ଲାଗିରହିଛି ।
୧ନମ୍ବର ହାଟ ଜମି ସାଧାରଣ ପ୍ରଶାସନ(ଜିଏ ଆଣ୍ଡ ପିଜି) ବିଭାଗର । ହାଟରେ ୨୮୩୯ ଜଣ ବ୍ୟବସାୟ କରୁଛନ୍ତି । ଯେଉଁଥିରେ କଞ୍ଚା ପରିବା ବ୍ୟବସାୟୀ ସହ ପାଇକାରୀ ବ୍ୟବସାୟୀ ରହିଛନ୍ତି । ୨୦୧୪ ମସିହାରେ ୧ନମ୍ବର ହାଟ ବ୍ୟବସାୟୀଙ୍କୁ ମାଇଡର୍ନ ମାର୍କେଟ୍ କମ୍ପ୍ଲେକ୍ସ କରି ଥଇଥାନ କରିବାକୁ ଯୋଜନା ହୋଇଥିଲା । ୫ ମହଲା ବିଶିଷ୍ଟ ଏହି କମ୍ପ୍ଲେକ୍ସର ଦୁଇଟି ବେସ୍ମେଣ୍ଟରେ ପାର୍କିଂ ବ୍ୟବସ୍ଥା ରହିଥିଲା । ବାକି ତିନି ମହଲାରେ ଯଥାକ୍ରମେ ପରିବା, ତେଜରାତି ଓ ଘରକରଣା ଜିନିଷ ଉପଲବ୍ଧ ହେବ ବୋଲି ନକ୍ସା ପ୍ରସ୍ତୁତ ହୋଇଥିଲା । ଏଥିରେ ପାଖାପାଖି ୧୪୬ କୋଟି ଟଙ୍କା ଖର୍ଚ୍ଚ ହେବାକୁ ଅଟକଳ କରାଯାଇଥିଲା । ଯେଉଁଠି ମାର୍କେଟ କମ୍ପ୍ଲେକ୍ସ ତିଆରି ହେବାକୁ ଥିଲା, ସେଠାରେ ୭୫ଟି ସରକାରୀ କ୍ବାର୍ଟର୍ସ ଓ ବସ୍ତିରେ ୧୨୫ ଘର ଥିଲା । ଏଣୁ ସେସବୁକୁ ଭାଙ୍ଗିବା ଯୋଜନା ହୋଇଥିଲା । ୧୨୫ ବସ୍ତିବାସିନ୍ଦାଙ୍କୁ ରାଜୀବ ଆବାସ ଯୋଜନାରେ ସାମିଲ କରାଯାଇ ପରେ ବସ୍ତି ଉଚ୍ଛେଦ କରାଯାଇଥିଲା । ସରକାରୀ କ୍ବାର୍ଟର୍ସ ବି ଭଙ୍ଗାଯାଇଥିଲା । ଖୁଚୁରା ଦୋକାନୀଙ୍କ ପାଇଁ ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ ଯୋଜନା ହୋଇଥିଲା ଏବଂ ପାଇକାରୀ ବଜାରଟି ଭଗବାନପୁରକୁ ଉଠାଇ ନିଆଯିବ ବୋଲି ନିଷ୍ପତ୍ତି ହୋଇଥିଲା । ଏଥିପାଇଁ ବହୁ ବର୍ଷ ପୂର୍ବରୁ ଜିଏ ବିଭାଗ ମଧ୍ୟ ଭଗବାନପୁରରେ ୧୦ ଏକର ଜମି ଦେଇସାରିଛି । କିନ୍ତୁ ୧୧ବର୍ଷ ପରେ ବି ଏହି ଯୋଜନା କାର୍ଯ୍ୟକାରୀ ହେବା ସମ୍ଭବ ହୋଇପାରି ନାହିଁ । କାହାକୁ ନେଇ ଉଭୟ ବ୍ୟବସାୟୀ ଓ ସ୍ଥାନୀୟ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି ।
୨୦୧୪ ମସିହାରେ ତତ୍କାଳୀନ ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ପାଇକାରୀ ବଜାରଟି ଭଗବାନପୁରକୁ ଉଠାଇ ନିଆଯିବ ବୋଲି ନିଷ୍ପରି ହୋଇଥିଲା । ଏଥିପାଇଁ ବହୁ ବର୍ଷ ପୂର୍ବରୁ ଜିଏ ବିଭାଗ ମଧ୍ୟ ଭଗବାନପୁରରେ ୧୦ ଏକର ଜମି ଦେଇସାରିଛି । ହେଲେ କାହିଁକି ଏଯାଏଁ ପାଇକାରୀ ବଜାର ଭଗବାନପୁରକୁ ସ୍ଥାନାନ୍ତର ହୋଇପାରିନାହିଁ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସେପଟେ ନିଜ ମୁଣ୍ଡରୁ ଦୋଷ ଓହ୍ଲାଇ ଏବେର ବିଜେପି ସରକାର ଟଙ୍କା ଦେଉନାହାନ୍ତି, ଆମେ କ’ଣ କରିବୁ ବୋଲି କହି ଖସିଯିବାକୁ ବସିଛନ୍ତି ବିଏମସି ମେୟର ।




