ନୂଆଦିଲ୍ଲୀ – ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ,ତାଙ୍କ ବିରୋଧରେ ନକାରାତ୍ମକ କଭରେଜ୍ କରୁଥିବା ଟେଲିଭିଜନ ନେଟୱର୍କକୁ ସରକାରଙ୍କ ପକ୍ଷରୁ ସଜା ଦିଆଯାଇ ପାରେ। ସେ ଏପରି ବି କହି ଦେଇଛନ୍ତି , ଏମିତି ନେଟୱର୍କର ଲାଇସେନ୍ସ ରଦ୍ଦ କରାଯାଇ ପାରେ। ଟ୍ରମ୍ପଙ୍କର ଏହି ବିବୃତ୍ତି ଏମିତି ସମୟରେ ଆସିଛି, ଯେତେବେଳେ ଆମେରିକୀୟ ଟିଭି ନେଟୱର୍କ ଏବିସି ନିଜର ଜଣେ ହୋଷ୍ଟ ଜିମି କିମେଲଙ୍କୁ ନିଲମ୍ୱିତ କରି ଦେଇଛି। ଆମେରିକାର ରାଷ୍ଟ୍ରପତି ସାର୍ବଜନିକ ଭାବେ ଏକ ନିଷ୍ପତ୍ତିକୁ ପ୍ରଶଂସା କରିଛନ୍ତି।
ୟୁନାଇଟେଡ୍ କିଙ୍ଗଡମ୍ର ଯାତ୍ରାରୁ ଫେରିବା ବେଳେ ଏୟାର ଫୋର୍ସ ୱାନରେ ଟ୍ରମ୍ପ ସାମ୍ୱାଦିକଙ୍କୁ କହିଥିଲେ – ଆମେରିକାର ପ୍ରମୁଖ ନେଟୱର୍କ ୯୭ ପ୍ରତିଶତ ମୋ ବିରୋଧରେ ଥିଲେ। ପୁଣି ୯୭ ପ୍ରତିଶତ ନକାରାତ୍ମକ ଏବଂ ତଥାପି ମୁଁ ସହଜରେ ଜିତି ଗଲି। ମୁଁ ସମସ୍ତ ସାତୋଟି ସ୍ୱିଙ୍ଗ୍ ରାଜ୍ୟରେ ବିଜୟ ହାସଲ କରିଥିଲି। ସେମାନେ ମୋତେ କେବଳ ଖରାପ କଭରେଜ୍ ଦେଉଛନ୍ତି। ମୋ କହିବା ଅର୍ଥ ଯେ, ତାଙ୍କୁ ଲାଇସେନ୍ସ ମିଳୁଛି । ମୋ ମତରେ ତାଙ୍କର ଲାଇସେନ୍ସ କୁ ବାତିଲ କରି ଦେବା ଉଚିତ୍।
ଡୋନାଲ୍ଡ ଟ୍ରମ୍ପ କିମେଲଙ୍କୁ ନିଲମ୍ୱିତ କରିବା ନେଇ ଏବିସିର ନିଷ୍ପତ୍ତିକୁ ମଧ୍ୟ ସମର୍ଥନ କରିଛନ୍ତି। ସେ ଆହୁରି କହିଛନ୍ତି – ଜିମି କିମେଲଙ୍କୁ ଏଥିପାଇଁ ବାହାର କରାଗଲା , କାରଣ ତାଙ୍କର ରେଟିଂ ବହୁତ ଖରାପ ଥିଲା। ସେ ଚାର୍ଲି କିର୍କ ଭଳି ମହାନ ବ୍ୟକ୍ତିଙ୍କ ବିଷୟରେ ଏକ ଭୟାନକ କଥା କହିଥିଲେ …ତାଙ୍କୁ ବହୁତ ପୂର୍ବରୁ ବାହାର କରିଦେବା ଉଚିତ୍ ଥିଲା।
![]()
ଏବିସି ଜେମି କିମେଲଙ୍କୁ ଅଫ୍ ଏୟାର କାହିଁକି କଲା ?
ବିବିସିର ରିପୋର୍ଟ ମୁତାବିକ, ଡିଜନୀର ମାଲିକାନାରେ ଥିବା ଏହି ନେଟୱର୍କ ୧୭ ସେପ୍ଟେମୱର ସନ୍ଧ୍ୟାରେ ଜିମି କିମେଲଙ୍କୁ ଅନିଶ୍ଚିତ ସମୟ ପାଇଁ ଅଫ୍ ଏୟାର କରିବାକୁ ଘୋଷଣା କରି ଥିଲା , କିମେଲ ଗତ ସପ୍ତାହରେ ଟ୍ରମ୍ପଙ୍କ ନିକଟତମ ସହଯୋଗୀ ତଥା କଞ୍ଜର୍ଭେଟିଭ୍ ଆକ୍ଟିଭିଷ୍ଟ ଚାର୍ଲି କିର୍କଙ୍କର ହତ୍ୟାକାଣ୍ଡ ଉପରେ ଟିପ୍ପଣୀ କରି ଥିଲେ । ସୋସିଆଲ ମିଡ଼ିଆରେ ଏହାକୁ ନେଇ ଖୁବ୍ ପ୍ରତିକ୍ରିୟା ଆସି ଥିଲା। ଏହାପରେ ଚ୍ୟାନେଲ ତାଙ୍କୁ ଅଫ୍ ଏୟାର କରିବାକୁ ନିଷ୍ପତ୍ତି ନେଲା।
କିମେଲ ନିଜର କାର୍ଯ୍ୟକ୍ରମରେ ସଙ୍କେତ ଦେଇ ଥିଲେ ଯେ, ଚାର୍ଲି କାର୍କିଙ୍କ ହତ୍ୟାରେ ସାମିଲ ସନ୍ଦିଗ୍ଧର ସଂପର୍କ ‘ମାଗା ଗ୍ୟାଙ୍ଗ୍’ ( ଟ୍ରମ୍ପଙ୍କ ସମର୍ଥକ)ସହ ରହିଛି। ଆମେରିକୀୟ ଅଧିକାରୀମାନେ କହି ଥିଲେ ଯେ, ଆକ୍ରମଣକାରୀ ବାମପନ୍ଥୀ ବିଚାରଧାରାରେ ପ୍ରଭାବିତ ଥିଲା।




