ବାୟୁସେନା ମୁଖ୍ୟ ବଖାଣିଲେ ଅପରେସନ ସିନ୍ଦୂରର ଗହନ କଥା, ପାଲଟା ଆକ୍ରମଣ ବି କରିପାରିଲାନି ପାକିସ୍ତାନ

ବାୟୁସେନା-ମୁଖ୍ୟ-ବଖାଣିଲେ-ଅପରେସନ-ସିନ୍ଦୂରର-ଗହନ-କଥା,-ପାଲଟା-ଆକ୍ରମଣ-ବି-କରିପାରିଲାନି-ପାକିସ୍ତାନ

ନୂଆଦିଲ୍ଲୀ ୧୯।୯: ଅପରେସନ ସିନ୍ଦୂର କାଳରେ ଭାରତ ଓ ପାକିସ୍ତାନ ସେନା ମୁହାଁମୁହିଁ ହୋଇଯାଇଥିଲେ। ଯୁଦ୍ଧ ଦ୍ୱାରକୁ ପହଞ୍ଚିସାରିଥିଲା ଦେଶ। ଦୁଇ ଦେଶ ପରସ୍ପର ଉପରକୁ ଆକ୍ରମଣ ଆରମ୍ଭ କରିଦେଇଥିଲେ ଓ ଡ୍ରୋନ ଦ୍ୱାରା କ୍ଷୟକ୍ଷତି କରିବାକୁ ଉଦ୍ୟମ କରାଯାଉଥିଲା। ଏଥିରେ ଭାରତଠାରୁ ମୁକା ଖାଇ ପାକିସ୍ତାନ ଯୁଦ୍ଧବିରାମ ମାଗିବାକୁ ବାଧ୍ୟ ହୋଇଥିଲା। ଏବେ ବାୟୁସେନା ମୁଖ୍ୟ କହିଛନ୍ତି ଯେ କିପରି ପାକିସ୍ତାନକୁ ଦଳି ଦିଆଗଲା ଏପରିକି ପାଲଟା ଆକ୍ରମଣ ମଧ୍ୟ କରିପାରିଲାନି।

ଅପରେସନ ସିନ୍ଦୂର ସମ୍ପର୍କରେ ଏୟାର ଚିଫ୍ ମାର୍ଶଲ ଏ.ପି.ସିଂହ କାର୍ଯ୍ୟକ୍ରମରେ କହିଛନ୍ତି ଯେ ଆମେ ଯେଉଁ ଦୂରଗାମୀ ଏଲଆର-ଏସଏଏମ ଓ ଏସ୍-୪୦୦ ଏୟାର ଡିଫେନ୍ସ ସିଷ୍ଟମ କିଣିଥିଲୁ ଏଥିରେ ତାହା ଗେମଚେଞ୍ଜର ପ୍ରମାଣିତ ହେଲା। ସେମାନଙ୍କର ଦୀର୍ଘ ଦୂରଗାମୀ ରାଡାର ଓ ମିଜାଇଲ ସିଷ୍ଟମ ଶତ୍ରୁର ବିମାନଙ୍କୁ ନିଜ କ୍ଷେତ୍ରରେ ବିପଦରେ ପକାଇ ପାରିଥାନ୍ତେ। ଏଣୁ ଆମେ ଏପରି କିଛି କରିବାରେ ସକ୍ଷମ ଥିଲୁ ଯାହା ସେମାନେ ନିଜ କ୍ଷେତ୍ରରେ ବି କରିବାକୁ ସକ୍ଷମ ହେଲେନି।

ଏୟାର ଚିଫ ମାର୍ଶଲ କହିଛନ୍ତି ଯେ ଆମ ଅସ୍ତ୍ର ଗୁଡିକର ରେଞ୍ଜ ସେମାନଙ୍କ ରେଞ୍ଜ ଠାରୁ ଢେର ଅଧିକ ଥିଲା। ଏଣୁ ସେମାନେ ସେହି ଯାଗାରୁ ଆଗକୁ ବି ବଢି ପାରିଲେନି ଯେଉଁଠୁ ସେମାନେ ଆମ ଉପରେ ଆକ୍ରମଣ କରିପାରିଥାନ୍ତେ। ଏଥିରେ ଯଦି କେହି ଆଗକୁ ଆସିଥାନ୍ତା, ତାକୁ ବିପଦର ସମ୍ମୁଖୀନ ହେବାକୁ ପଡିଥାନ୍ତା। ଏଣୁ ଆମର ଅସ୍ତ୍ରଶସ୍ତ୍ର ଗେମ ଚେଞ୍ଜର ସାବ୍ୟସ୍ତ ହେଲେ। ସେ କହିଛନ୍ତି ଯେ ପିଛିଲା ଥର ଯେତେବେଳେ ବାଲାକୋଟ ଷ୍ଟ୍ରାଇକ୍ ହୋଇଥିଲା ସେତେବେଳେ ବାୟୁସେନାକୁ କୁହାଯାଇଥିଲା ନିଜ ଲୋକଙ୍କ ସମ୍ପର୍କରେ ଅଧିକ ଚିନ୍ତା କରିବାକୁ ହେଲେ ଅନ୍ୟଙ୍କ ବିରୋଧରେ କିଛି ଦେଖିବ ନାହିଁ। 

#WATCH | Delhi: On Operation Sindoor, Indian Air Force chief Air Chief Marshal AP Singh says, “Long range LR-SAM that we had bought, S-400, they turned out to be a game changer in this. Their long-range radars and missile systems could threaten the enemy aircraft well inside… pic.twitter.com/yjYJcAAudM

— ANI (@ANI) September 19, 2025

ତେବେ ଅପରେସନ ସିନ୍ଦୂରର ସବୁଠୁ ଭଲ କଥା ଏହା ଥିଲା ଯେ ଏଥି ପାଇଁ ରାଜନୈତିକ ଇଛାଶକ୍ତି ଥିଲା। ଆମ ନେତୃତ୍ୱ ଆମକୁ ସ୍ପଷ୍ଟ ନିର୍ଦ୍ଦେଶ ଦେଇଥିଲେ ଓ କୌଣସି କଟକଣା ଲଗାଇ ନଥିଲେ। ଆମକୁ ଯୋଜନା କରିବାକୁ ସମ୍ପୂର୍ଣ୍ଣ ସ୍ୱାଧୀନତା ଦିଆଯାଇଥିଲା। ଏଣୁ ୩ ସେନା ଏକାଠି ବୈଠକ ଓ ଆଲୋଚନା କରୁଥିଲୁ। ସାଙ୍ଗରେ ସିଡିଏସ, ଅନ୍ୟ ଏଜେନ୍ସୀ ଓ ଏନଏସଏ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଥିଲେ।

ଯୁଦ୍ଧ ହୋଇଥିଲେ ବହୁମୂଲ୍ୟ ଦେବାକୁ ପଡିଥାନ୍ତା
ବାୟୁସେନା ମୁଖ୍ୟ କହିଛନ୍ତି ଯେ ଆଜି ଯେଉଁ ସବୁ ବଡ଼ ଯୁଦ୍ଧ ଚାଲିଛି ଯେପରି ଋଷିଆ-ୟୁକ୍ରେନ ହେଉ କି ଇସ୍ରାଏଲ ଯୁଦ୍ଧ ଦୀର୍ଘ ବର୍ଷରୁ ଲାଗି ରହିଛି। କାରଣ ଯୁଦ୍ଧ ସମାପ୍ତ କରିବାକୁ କେହି ଚାହୁଁ ନାହାନ୍ତି। ଲୋକେ ଏହା କହୁଥିବା ଶୁଣାଯାଉଛି ଆମକୁ ଆଉ ଟିକେ ଅଧିକ କରିବାର ଥିଲା। ହେଲେ ଆମେ ଯୁଦ୍ଧକୁ ସାଙ୍ଗେ ସାଙ୍ଗେ ରୋକି ଦେଲୁ। ଏଥିରେ ସେମାନେ ପଛକୁ ହଟିଗଲେ ସତ ହେଲେ ଆମର ଉଦ୍ଦେଶ୍ୟ କଣ ଥିଲା? ଆମର ଉଦ୍ଦେଶ୍ୟ ଆତଙ୍କବାଦକୁ ବିରୋଧ କରିବା ଥିଲା। ଏଣୁ ଆମେ ଯୁଦ୍ଧକୁ ଆଗକୁ କାହିଁକି ବଢାଇ ଥାନ୍ତୁ?

ଯୁଦ୍ଧ ଦୀର୍ଘ ହୋଇଥିଲେ ଆମର ପ୍ରସ୍ତୁତି ଉପରେ ପ୍ରଭାବ ପଡିଥାନ୍ତା। କାରଣ ଏହାର ପ୍ରଭାବ ଆମ ଅର୍ଥ ବ୍ୟବସ୍ଥା ଉପରେ ପଡିଥାନ୍ତା। ଏହା ଦ୍ୱାରା ଦେଶର ପ୍ରଗତି ମଧ୍ୟ ବାଧାପ୍ରାପ୍ତ ହୋଇଥାନ୍ତା। ଏଣୁ ମୋତେ ଲାଗୁଛି ଦୁନିଆ ଏକଥାକୁ ଭୁଲିବାକୁ ଲାଗିଲାଣି। ଏ ନେଇ ଆଉ ଅଧିକ ଚର୍ଚ୍ଚା ନ ହେବା ଉଚିତ। ବାୟୁସେନା ମୁଖ୍ୟ କହିଛନ୍ତି ଯେ ଯେଉଁମାନେ ଯୁଦ୍ଧକୁ ଦୀର୍ଘ କରୁଛନ୍ତି ସେମାନେ ଜାଣୁ ନାହାନ୍ତି ଆମେ ଯେତେବେଳେ ଯୁଦ୍ଧ ଆରମ୍ଭ କଲେ ଆମର ଉଦ୍ଦେଶ୍ୟ କଣଥିଲା? ଏବେ ଯୁଦ୍ଧ ଆରମ୍ଭ ହୋଇଯିବା ପରେ ସେମାନଙ୍କ ଉଦ୍ଦେଶ୍ୟ ମଧ୍ୟ ବଦଳିଗଲାଣି,ମଝିକୁ ଅହଂକାର ଆସିଗଲାଣି। ମୋତେ ଲାଗୁଛି ଯେଉଁ ମାନେ ଯୁଦ୍ଧ କରୁଛନ୍ତି ସେମାନେ ଭାରତଠାରୁ ଶିଖନ୍ତୁ। କିପରି କୌଣସି ସଂଘର୍ଷକୁ ଶୀଘ୍ର ଆରମ୍ଭ କରି ଶୀଘ୍ର ଶେଷ କରିବାକୁ ପଡେ।   

Scroll to Top