Us 2026 National Trade Estimate Report: ଭାରତର ସାଟେଲାଇଟ ପଲିସି ଓ ସ୍ଥାନୀୟ ଇଣ୍ଟରନେଟ୍ ଶଟଡାଉନ୍ ନିଷ୍ପତ୍ତିକୁ ନେଇ ଅଭିଯୋଗ ଆଣିଛି ଆମେରିକା। ଏହି କାରଣ ହିଁ ଭାରତ ସହ ବାଣିଜ୍ୟ ଚୁକ୍ତିରେ ବାଧକ ସାଜୁଛି ବୋଲି ଆମେରିକା କହିଛି। ଆମେରିକା ବାଣିଜ୍ୟ ପ୍ରତିନିଧି (USTR)କାର୍ଯ୍ୟାଳୟ ଦ୍ୱାରା ପ୍ରକାଶିତ‘୨୦୨୬ଜାତୀୟ ବାଣିଜ୍ୟ ଆକଳନ ରିପୋର୍ଟ‘ରେ ଏନେଇ ଚିନ୍ତା ବ୍ୟକ୍ତ କରାଯାଇଛି।
ଡାଇରେକ୍ଟ-ଟୁ-ହୋମ୍ (DTH)ଟେଲିଭିଜନ ସେବାରେ ଘରୋଇ ସାଟେଲାଇଟ୍ ପାଇଁ ପସନ୍ଦ ମୁତାବକ ବ୍ୟବହାର ଏବଂ ସ୍ଥାନୀୟ ଇଣ୍ଟରନେଟ୍ ବନ୍ଦ ହେବାର ଉଦାହରଣ ଦେଇ ଆମେରିକାର ଭାରତର ପଲିସିରେ ଖୁସୀ ନାହିଁ ବୋଲି ସଂକେତ ଦେଇଛି। ଏଭଳି ପଦକ୍ଷେପ ବିଦେଶୀ ଫାର୍ମଗୁଡ଼ିକର ଡିଜିଟାଲ୍ ବାଣିଜ୍ୟ ଏବଂ ବଜାର ପ୍ରବେଶକୁ ପ୍ରଭାବିତ କରିପାରେ ବୋଲି ଆମେରିକା ରିପୋର୍ଟରେ ଉଲ୍ଲେଖ କରିଛି।
ଡିଜିଟାଲ ଅର୍ଥନୀତି ଉପରେ ପ୍ରଭାବ
ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ ସ୍ଥାନୀୟ ଇଣ୍ଟରନେଟ୍ ବନ୍ଦ ହେବା ଯୋଗୁ ସୂଚନା ଏବଂ ସେବାର(information and services)ପ୍ରବେଶକୁ ପ୍ରତିବନ୍ଧିତ କରୁଛି। ବାଣିଜ୍ୟିକ କାର୍ଯ୍ୟକୁ ବାଧା ଦେଉଛି ଏବଂ ଏକ ମୁକ୍ତ ଏବଂ ଖୋଲା ଡିଜିଟାଲ୍ ଅର୍ଥନୀତିର କାର୍ଯ୍ୟକାରିତା ଉପରେ ବାଧା ସୃଷ୍ଟି କରୁଛି। ବାଣିଜ୍ୟ ଏବଂ ନିବେଶ ଉପରେ,ବିଶେଷକରି ସେବା ରପ୍ତାନି ଉପରେ ଏହାର କି ପ୍ରଭାବ ପଡ଼ୁଛି ଆମେରିକା ଏହା ଉପରେ କଡ଼ା ନଜର ରଖିଛିବୋଲି ରିପୋର୍ଟରେ କୁହାଯାଇଛି।
ଏଥିସହିତ ସମୟ ସମୟରେଆମେରିକୀୟ କମ୍ପାନୀଗୁଡ଼ିକୁ ପୋଷ୍ଟ ହଟାଇବାକୁ କରାଯାଉଥିବା ରିକ୍ୟୁଏଷ୍ଟକୁ ନେଇରିପୋର୍ଟରେଚିନ୍ତା ବ୍ୟକ୍ତ କରାଯାଇଛି।୨୦୨୧ପରଠାରୁ ଆମେରିକୀୟ ଫାର୍ମଗୁଡ଼ିକୁ କିଛି ନିର୍ଦ୍ଦିଷ୍ଟ ବିଷୟବସ୍ତୁ ହଟାଇବାକୁ କରାଯାଉଥିବା ଅନୁରୋଧରେ ବୃଦ୍ଧି ଘଟିଛି। ସେଥିମଧ୍ୟରୁ କିଛି “ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ” ବୋଲି ରିପୋର୍ଟରେ କୁହାଯାଇଛି।
ଯାଞ୍ଚ ଅଧୀନରେ ସାଟେଲାଇଟ୍ ନୀତି
ସାଟେଲାଇଟ୍ ସେବା ସମ୍ପର୍କରେ, ରିପୋର୍ଟରେ ଦର୍ଶାଯାଇଛି ଯେ ଭାରତର ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ (MIB) DTH ସେବା ପାଇଁ ଘରୋଇ ସାଟେଲାଇଟ୍ କ୍ଷମତାର ବ୍ୟବହାରକୁ ପସନ୍ଦ କରେ। ବାସ୍ତବରେ, DTH ଲାଇସେନ୍ସଧାରୀମାନଙ୍କୁ ବିଦେଶୀ ସାଟେଲାଇଟ୍ ଅପରେଟରମାନଙ୍କ ସହିତ ସିଧାସଳଖ ଚୁକ୍ତି କରିବାକୁ ଅନୁମତି ଦିଆଯାଇ ନାହିଁ। ତେବେ ଯଦି ସେମାନେ ଏହା କରିବାକୁ ଚେଷ୍ଟା କରୁଛନ୍ତି, ତେବେ ଏଥିରେ ପ୍ରକ୍ରିୟାଗତ ବିଳମ୍ବର ସମ୍ମୁଖୀନ ହେଉଛନ୍ତି।
ରିପୋର୍ଟରେ ଆହୁରି ମଧ୍ୟ କୁହାଯାଇଛି, DTH ଅପରେଟରମାନଙ୍କୁ ଭାରତୀୟ ମହାକାଶ ଗବେଷଣା ସଂଗଠନ (ISRO)ର ବାଣିଜ୍ୟିକ ଶାଖା, ଆଣ୍ଟ୍ରିକ୍ସ ମାଧ୍ୟମରେ ସର୍ଭିସ କ୍ରୟ କରିବାକୁ ପଡିବ ଏବଂ ଘରୋଇ କ୍ଷମତା ଉପଲବ୍ଧ ନଥିଲେ ହିଁ ସେମାନେ ବିଦେଶୀ ଉପଗ୍ରହ କ୍ଷମତାକୁ ପ୍ରବେଶ କରିପାରିବେ ବୋଲି ଭାରତ ନିୟମ ରଖିଛି। ଏପରି ପରିସ୍ଥିତିରେ ମଧ୍ୟ, ବିଦେଶୀ ଅପରେଟରମାନେ ଆଣ୍ଟ୍ରିକ୍ସକୁ ସେବା ସପ୍ଲାଏ କରିବାକୁ ପଡ଼େ, ଯାହାକୁ ପରେ ଶେଷ ଉପଭୋକ୍ତାମାନଙ୍କୁ ଅତିରିକ୍ତ ସରଚାର୍ଜ ସହିତ ବିକ୍ରି କରାଯାଏ।
ରିପୋର୍ଟ ଅନୁଯାୟୀ, ଏହି ବ୍ୟବସ୍ଥା ବିଦେଶୀ ସାଟେଲାଇଟ୍ ସେବା ପ୍ରଦାନକାରୀଙ୍କ ପାଇଁ ପ୍ରକ୍ରିୟାଗତ ବାଧା ସୃଷ୍ଟି କରେ। ତେଣୁ ମାର୍କେଟରେ ପ୍ରତିଯୋଗିତା ବୃଦ୍ଧି କରିବା ଏବଂ ସେବା ପ୍ରଦାନକାରୀ ବାଛିବାରେ କମ୍ପାନୀଗୁଡ଼ିକୁ ନିୟମରୁ କୋହଳ କରିବା ପାଇଁ ଆମେରିକା ଭାରତକୁ ଅଧିକ ଖୋଲା ସାଟେଲାଇଟ୍ ନୀତି ଗ୍ରହଣ କରିବାକୁ ଅନୁରୋଧ କରିଛି।
ନୂଆ ଟେଲିକମ୍ ସୁରକ୍ଷା ନିୟମ
ଆମେରିକା ରିପୋର୍ଟରେ ଭାରତର ଦୂରସଂଚାର ବିଭାଗ ଦ୍ୱାରା ଜାରି କରାଯାଇଥିବା ନୂଆ ସୁରକ୍ଷା ନିର୍ଦ୍ଦେଶାବଳୀକୁ ମଧ୍ୟ ସୂଚିତ କରାଯାଇଛି। ଯେଉଁଥିରେ ସାଟକମ୍ ପ୍ରଦାନକାରୀମାନଙ୍କୁ ରିଅଲ୍-ଟାଇମ୍ ଇଣ୍ଟରସେପସନ ଏନାବଲ କରିବା, ସରକାରଙ୍କ ଦ୍ୱାରା ନିର୍ଦ୍ଦିଷ୍ଟ ୱେବସାଇଟ୍ ଏବଂ ବ୍ୟବହାରକାରୀଙ୍କୁ ବ୍ଲକ୍ କରିବା, ସମ୍ବେଦନଶୀଳ ଅଞ୍ଚଳରେ ସେବାଗୁଡ଼ିକୁ ପ୍ରତିବନ୍ଧିତ କରିବା ଏବଂ ସମସ୍ତ ଭାରତୀୟ ୟୁଜର ଟ୍ରାଫିକ୍ ଏବଂ DNS (ଡୋମେନ୍ ନେମ୍ ସିଷ୍ଟମ୍) ରିଜୋଲ୍ୟୁସନ୍ କୁ ଭାରତ ମଧ୍ୟରେ ଅବସ୍ଥିତ ସୁବିଧା ମାଧ୍ୟମରେ ରୁଟ୍ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।
Also Read- ଯୁଦ୍ଧରେ ଥରହର ଇରାନ ଦେଲା ଭାରତକୁ ବିପୁଳ ତେଲ, ଡ୍ରୋନ-କ୍ଷେପଣାସ୍ତ୍ରକୁ ଏଡାଇ ଗୁଜରାଟ ମୁହାଁ ତେଲ ଜାହାଜ
ରିପୋର୍ଟରେ ଉଲ୍ଲେଖ କୁହାଯାଇଛି “ଏହାବାଦ୍ ସାଟକମ୍ ପ୍ରଦାନକାରୀମାନଙ୍କୁ ଏହା ପ୍ରତିଶ୍ରୁତି ଦେବାକୁ ପଡ଼ିବ ଯେ ସେମାନେ ଭାରତୀୟ ଉପଭୋକ୍ତାଙ୍କ ଡାଟାକୁ ବାହାରକୁ ସ୍ଥାନାନ୍ତର କିମ୍ବା ଡିକ୍ରିପ୍ଟ କରିବେ ନାହିଁ। ଏବଂ ବାଣିଜ୍ୟିକ ଲଞ୍ଚର ପାଞ୍ଚ ବର୍ଷ ମଧ୍ୟରେ ଭାରତରେ ସେମାନଙ୍କର ଭୂମିଗତ ଭିତ୍ତିଭୂମିର ଅତି କମରେ ୨୦ ପ୍ରତିଶତ ଉତ୍ସ ପାଇଁ ଏକ ପର୍ଯ୍ୟାୟବଦ୍ଧ ଯୋଜନା ଦାଖଲ କରିବାକୁ ପଡିବ।”
ବିଭିନ୍ନ କାରଣରୁ ଆମେରିକା ଓ ଭାରତ ମଧ୍ୟରେ ବାଣିଜ୍ୟ ଚୁକ୍ତି ହୋଇପାରି ନାହିଁ। ଦୁଇ ଦେଶ ପରସ୍ପରର ସ୍ୱାର୍ଥକୁ ନେଇ ଟଣା ଓଟରା ମଧ୍ୟରେ ରହିଛନ୍ତି। ତେବେ ଏହି ରିପୋର୍ଟରେ ଯାହା ଦର୍ଶାଯାଇଛି, ତାହା ମଧ୍ୟ ଆମେରିକା- ଭାରତ ବାଣିଜ୍ୟରେ ବାଧକ ବୋଲି ଦର୍ଶା ଯାଇଛି।




