ମୁମ୍ୱାଇ୧୦।୧୧: ଶାହରୁଖ୍ ଖାନ୍ଙ୍କ ଅପ୍କମିଙ୍ଗ୍ ଫିଲ୍ମ ‘କିଙ୍ଗ୍’କୁ ନେଇ ଗୋଟିଏ ପରେ ଗୋଟିଏ ଖବର ଚର୍ଚ୍ଚାକୁ ଆସୁଛି। ସିଦ୍ଧାର୍ଥ ଆନନ୍ଦଙ୍କ ନିର୍ଦ୍ଦେଶିତ ଏହି ଆକ୍ସନ୍ ଥ୍ରିଲର୍କୁ ଭାରତୀୟ ସିନେମାର ସବୁଠୁ ବଡ଼ ଆକ୍ସନ୍ ଫିଲ୍ମ ବୋଲି କୁହାଯାଉଛି । ଗଣମାଧ୍ୟମର ସୂଚନା ଅନୁସାରେ, ଫିଲ୍ମର ବଜେଟ୍ ୩୫୦ କୋଟି । ପ୍ରିଣ୍ଟ୍, ପ୍ରଚାର ଓ ଅନ୍ୟ ସହାୟକ ଖର୍ଚ୍ଚ ନିମନ୍ତେ ଶାହରୁଖ୍ ଓ ତାଙ୍କ ଟିମ୍ ସ୍ଥିର କରୁଥିବା ବଜେଟ୍ ଏଥିରେ ଅନ୍ତର୍ଭୁକ୍ତ ନୁହେଁ ।
ସୁଜୟ ଘୋଷଙ୍କ ନିର୍ଦ୍ଦେଶନାରେ ‘କିଙ୍ଗ୍’ର ଆରମ୍ଭ ଏକ ଆକ୍ସନ୍-ଥ୍ରିଲର ଭାବେ ହୋଇଥିଲା, ଯେଉଁଥିରେ ଶାହରୁଖ୍ଙ୍କର ଏକ ବର୍ଦ୍ଧିତ କ୍ୟାମିଓ ଭୂମିକା ଥିଲା । ପ୍ରାରମ୍ଭିକ ବଜେଟ୍ ଥିଲା ୧୫୦କୋଟି । କିନ୍ତୁ ଏହାକୁ ଆହୁରି ବଡ଼ ଓ ବିସ୍ତୃତ କରିବାକୁ କାହାଣୀର ଦମ୍ ଥିଲା ।ସିଦ୍ଧାର୍ଥ ଆନନ୍ଦ ନିର୍ଦ୍ଦେଶନା ଦାୟିତ୍ୱ ସମ୍ଭାଳିବା ପରେ ଶାହରୁଖ୍ଙ୍କ ସହ ବସି ଫିଲ୍ମକୁ ବ୍ୟାପକ ସ୍ତରରେ ନିର୍ମାଣ ଲାଗି ଆଲୋଚନା କଲେ । ଫିଲ୍ମରେ ଦମ୍ଦାର ଆକ୍ସନ୍ ସିକ୍ୱେନ୍ସ ରଖିବାକୁ ନିଷ୍ପତ୍ତି ନିଆଗଲା ।
ଦର୍ଶକଙ୍କୁ ମନୋରଞ୍ଜନର ଭରପୂର ଖୋରାକଦେବାକୁ ଚାହୁଁଥିବା ଶାହରୁଖ୍ ଫିଲ୍ମର ପ୍ରଯୋଜକ ଭାବେ ସିଦ୍ଧାର୍ଥଙ୍କୁ ସ୍ୱାଧୀନତା ଦେଲେ । ତା’ପରେ ଫିଲ୍ମର ବଜେଟ୍ ହେଲା ୩୫୦ କୋଟି । ପୂର୍ବରୁ ଭାରତୀୟ ସିନେମାରେ କଦାପି ପ୍ରଦର୍ଶିତ ହୋଇନଥିବା ଆକ୍ସନ୍ ସିନ୍ ଏଥିରେ ରହିବ ବୋଲି ଚର୍ଚ୍ଚା ହେଉଛି । ଫିଲ୍ମଟି ଆସନ୍ତା ବର୍ଷ ବଡ଼ ପରଦାକୁ ଆସିବ ।




