ବିହାର ନିର୍ବାଚନରେ ପ୍ରଶାନ୍ତ କିଶୋରଙ୍କ ଶୋଚନୀୟ ଅବସ୍ଥା, ସତ ହେବ ନିଜେ କରିଥିବା ଆକଳନ !

ବିହାର-ନିର୍ବାଚନରେ-ପ୍ରଶାନ୍ତ-କିଶୋରଙ୍କ-ଶୋଚନୀୟ-ଅବସ୍ଥା,-ସତ-ହେବ-ନିଜେ-କରିଥିବା-ଆକଳନ-!

ନୂଆଦିଲ୍ଲୀ: ରଣନୀତିକାରରୁ ରାଜନେତା ପାଲଟିଥିବା ପ୍ରଶାନ୍ତ କିଶୋର ବିହାର ନିର୍ବାଚନରେ ଜୋରଦାର ପ୍ରଚାର କରିଥିଲେ। ଗତ ତିନି ବର୍ଷରୁ ବିହାରରେ ବହୁତ ପରିଶ୍ରମ କରି ପ୍ରଶାନ୍ତ କିଶୋର ଜନସୂରାଜ ପାର୍ଟି ଗଠନ କରିଥିଲେ। ତେବେ ଏଥର ନିର୍ବାଚନରେ ତାଙ୍କ ଦଳ ଫିକା ପଡ଼ୁଥିବା ଦେଖିବାକୁ ମିଳିଛି। ଅଧିକାଂଶ ଏକଜିଟ୍ ପୋଲରେ ତାଙ୍କୁ ଶୂନ୍ୟ ସିଟ୍ ମିଳୁଥିବା ପୂର୍ବାନୁମାନ କରାଯାଇଛି କିମ୍ବା ଅଧିକରୁ ଅଧିକ ୫ ସିଟ୍ ଜିତିବାର ସମ୍ଭାବନା ରହିଛି।

ଏକଜିଟ୍ ପୋଲ୍ର ଫଳାଫଳରେ ପ୍ରଶାନ୍ତ କିଶୋରଙ୍କୁ ପ୍ରତିଟି ସ୍ଥାନରେ ମାତ୍ ଖାଉଥିବା ଅନୁମାନ କରାଯାଇଛି। ଦୈନିକ ଭାସ୍କରର ଏକଜିଟ୍ ପୋଲରେ ତାଙ୍କୁ ଗୋଟିଏ ବି ସିଟ୍ ମିଳୁନାହିଁ। ଏହା ବ୍ୟତୀତ ପିପୁଲ୍ସ ଇନସାଇଟ୍ ମୁତାବକ ଅଧିକରୁ ଅଧିକ ପିକେଙ୍କ ପାର୍ଟିକୁ ଦୁଇଟି ସିଟ୍ ମିଳିପାରେ। ଯଦି ଏକଜିଟ୍ ପୋଲ ସଠିକ୍ ପ୍ରମାଣିତ ହୁଏ ତେବେ ଆରମ୍ଭରୁ ଏହା ତାଙ୍କ କ୍ୟାରିୟର ପାଇଁ ବଡ଼ ଝଟକା ହୋଇପାରେ। ହେଲେ ସେ ନିର୍ବାଚନ ପ୍ରଚାର ସମୟରେ କହି ସାରିଛନ୍ତି ଯେ, ତାଙ୍କ ପାର୍ଟି ହୁଏତ ଶୀର୍ଷରେ ରହିବ ନଚେତ୍ ନିମ୍ନରେ ରହିବ। ତାଙ୍କର କହିବା କଥା ଜନସୂରାଜ ପାର୍ଟି ସବୁଠୁ ଅଧିକ ସିଟ୍ ଜିତିବ କିମ୍ବା ଦୁଇ ଅଙ୍କ ଛୁଇଁ ପାରିବନି।

ସୂଚନାଯୋଗ୍ୟ, ୨୦୨୨ ଅକ୍ଟୋବର ୨ରେ ପ୍ରଶାନ୍ତ କିଶୋର ଜନସୂରାଜ ପାର୍ଟି ଆରମ୍ଭ କରିଥିଲେ। ତେବେଠୁ ଏ ପର୍ଯ୍ୟନ୍ତ ତିନି ବର୍ଷରୁ ଅଧିକ ସମୟ ବିତି ସାରିଛି। କୋଶି ଓ ଗଙ୍ଗାରେ ବହୁ ଜଳ ପ୍ରବାହିତ ହୋଇ ସାରିଛି। ମାତ୍ର ପ୍ରଶାନ୍ତ କିଶୋରଙ୍କ ନୌକା ଆଗକୁ ଅଧିକ ବଢୁଥିବା ଦେଖିବାକୁ ମିଳୁନି। ଏମିତି ଫଳାଫଳ ତାଙ୍କ ରାଜନୈତିକ ଇନିଂସ ପାଇଁ ବଡ଼ ଶିକ୍ଷା ହୋଇପାରେ। ଏ ପର୍ଯ୍ୟନ୍ତ ସେ ଜଣେ ସଫଳ ନିର୍ବାଚନ ରଣନୀତିକାର ଭାବେ ସମଗ୍ର ଦେଶରେ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରି ପାରିଥିଲେ। ମାତ୍ର ନିଜେ ପାର୍ଟି ଗଠନ କରି ନିର୍ବାଚନ ମଇଦାନକୁ ଓହ୍ଲାଇବାର ଅନୁଭୂତି ଭିନ୍ନ ରହିବ। ରୋଜଗାର, ସୁରକ୍ଷା ଓ ଶିକ୍ଷା ପରି ପ୍ରସଙ୍ଗ ଉପରେ ସେ ଆକ୍ରମଣାତ୍ମକ ପ୍ରଚାର କରିଥିଲେ।

ପ୍ରଶାନ୍ତଙ୍କୁ କାହିଁକି ଲାଗିପାରେ ଝଟକା

ବିଶେଷଜ୍ଞଙ୍କ କହିବା କଥା ଯଦି ନିର୍ବାଚନରେ ଧ୍ରୁବୀକରଣ ହୋଇଥାଏ ତେବେ ଅଧିକାଂଶ ଭୋଟର ବିଜେପି, ଆରଜେଡି କିମ୍ବା ଜେଡିୟୁକୁ ଭୋଟ୍ ଦେଇଥିବେ। ଏମିତି ସ୍ଥିତିରେ ପ୍ରଶାନ୍ତ କିଶୋରଙ୍କୁ ଝଟକା ଲାଗିପାରେ। ମାତ୍ର ଯଦି କାହା ପକ୍ଷରେ ଲହର ନ ଥାଏ ତେବେ ପିକେ ଭଲ ସଂଖ୍ୟାରେ ଆସନ ଜିତି ପାରନ୍ତି। ତେବେ ଏକଜିଟ୍ ପୋଲ କେତେ ଏକଜାଟ୍ ପୋଲରେ ପରିଣତ ହେଉଛି ତାହା ନଭେମ୍ବର ୧୪ରେ ଜଣା ପଡ଼ିବ। ସେହି ଦିନ ହାତୀ କାହା ମୁଣ୍ଡରେ ସୁନା କଳସ ଢାଳୁଛି ତାହା ସ୍ପଷ୍ଟ ହୋଇଯିବ।

Scroll to Top