ନୂଆଦିଲ୍ଲୀ: ବିବାହ କରିଛନ୍ତି ମହାକୁମ୍ଭରେ ଆଇଆଇଟି ବାବା ନାଁରେ ଚର୍ଚ୍ଚାକୁ ଆସିଥିବା ଅଭୟ ସିଂହ । କର୍ଣ୍ଣାଟକର ଜଣେ ମହିଳା ଇଞ୍ଜିନିୟରଙ୍କୁ ସେ ବିବାହ କରିଛନ୍ତି। ଆଉ ଅଭୟ ସିଂହ, ପତ୍ନୀଙ୍କ ସହ ନିଜ ପୈତୃକ ଗାଁକୁ ଆସିବା ପରେ ତାଙ୍କ ବିବାହ କଥା ଜଣାପଡ଼ିଛି। ଅଭୟ ସୋମବାର ନିଜ ବାପା- ମାଆଙ୍କୁ ଭେଟିବାକୁ ଆସିଛନ୍ତି।
ସୂଚନା ଅନୁସାରେ, ସୋମବାର ଅଭୟ ସିଂହ ସୋମବାର ହରିୟାଣାର ଝଜ୍ଜରରେ ନିଜ ପତ୍ନୀ ପ୍ରତୀକାଙ୍କ ସହ ପହଞ୍ଚିଥିଲେ। ଅଭୟ ମୂଳତଃ ଝଜ୍ଜରର ସାସରୌଲୀ ଗାଁର। ଏଠାରେ ସେ ନିଜ ଓକିଲ ବାପାଙ୍କ ଚାମ୍ବରରେ କିଛି ସମୟ ରହିଥିଲେ। ସେଠାରେ ସେ ଗଣମାଧ୍ୟମକୁ ପ୍ରତିକ୍ରିୟା ମଧ୍ୟ ଦେଇ କହିଛନ୍ତି ଝଜ୍ଜରରେ ‘‘ବାପା-ମାଆଙ୍କୁ ଏବଂ ପରିବାର ଲୋକଙ୍କୁ ଭେଟିବାକୁ ଆସିଛି। ମୁଁ ପୂର୍ବରୁ ମଧ୍ୟ ଏଠାରେ ବସୁଥିଲେ। ଅଭୟ କହିଛନ୍ତି ମୋର ରୁଚି ଆଧ୍ୟାତ୍ମ ସହ ହିଁ ଥିଲା। କିନ୍ତୁ ନିଜ ପାଠପଢ଼ା ଦିନରେ ମୁଁ ଚାମ୍ବରରେ ଆସି ଦେଖୁଥିଲି ଯେ, କେଉଁ କାମ କେମିତି ହେଉଛି।’’
ଫେବ୍ରୁଆରୀରେ ବିବାହ କରିଥିଲେ ଅଭୟ ସିଂହ
ସୂଚନାଯୋଗ୍ୟ, ଅଭୟ ସିଂହଙ୍କ ବାପା କର୍ଣ୍ଣ ସିଂହ ଜଣେ ଓକିଲ ଏବଂ ଝଜ୍ଜର ବାର୍ ଆସୋସିଏସନର ମୁଖ୍ୟ ମଧ୍ୟ ରହିସାରିଛନ୍ତି। ଅଭୟ କହିଛନ୍ତି ‘‘ଆଜି ବାପାଙ୍କ ଚାମ୍ବରକୁ ଆସି ଭଲ ଲାଗିଲା। ଆମେ ଫେବ୍ରୁଆରୀ ୧୫ରେ ମହାଶିବରାତ୍ରି ଦିନ ହିମାଚଳ ଅଙ୍ଘଜର ମହାଦେବ ମନ୍ଦିରରେ ବିବାହ କରିଥିଲୁ। ଏହା ପରେ ଫେବ୍ରୁଆରୀ ୧୯ରେ କୋର୍ଟ ମ୍ୟାରେଜ କରିଥିଲୁ। ପ୍ରତୀକା ବେଙ୍ଗାଲୁରୁର ବାସିନ୍ଦା।’’
କ’ଣ କହିଲେ ପ୍ରତୀକା ?
ପ୍ରତୀକା କହିଛନ୍ତି ‘‘ଅଭୟ ସରଳ ସ୍ବଭାବର ବ୍ୟକ୍ତି। ସେ ଖୁବ ସଚ୍ଚୋଟ। କର୍ଣ୍ଣାଟକରେ ତାଙ୍କୁ ବର୍ଷେ ତଳେ ଭେଟିଥିଲି। ମୁଁ ଇଞ୍ଜିନିୟରିଂ କରିଛି। ଏବେ ଆମେ ସନାତନକୁ ଆଗକୁ ବଢ଼ାଇବା କାମ କରିବୁ। ଆମେ ଏକ ସନାତନ ୟୁନିଭର୍ସିଟି ଗଢ଼ିବୁ। ଆଧ୍ୟାତ୍ମ ସହ ଜଡ଼ିତ ଗୁରୁ, ସାଧକଙ୍କୁ ଗୋଟିଏ ସ୍ଥାନରେ ଏକାଠି କରିବାକୁ ଚେଷ୍ଟା କରିବୁ। ଆଜି ଆମେ ଝଜ୍ଜରରେ ଶାଶୁ- ଶ୍ବଶୁର ଏବଂ ପରିବାର ଲୋକଙ୍କୁ ଭେଟିବାକୁ ଆସିଛୁ।’’
ଅଭୟ କହିଛନ୍ତି ସେମାନେ ଶ୍ରୀ ୟୁନିଭର୍ସିଟି କରିବା ଉପରେ କାମ କରୁଛନ୍ତି। ଏହି ୟୁନିଭର୍ସିଟିରେ ସାଂସାରିକ ଜ୍ଞାନ ସହ ଆଧ୍ୟାତ୍ମିକ ସାଧନା ଏବଂ ବିଭିନ୍ନ ପ୍ରକାରର ସାଧନାକୁ ଯୋଡ଼ା ଯିବ। ଏଠାରେ ଶିଖାଇବା ଜ୍ଞାନ ଏବଂ ସାଧନା ଜ୍ଞାନ ଉପରେ ଗୁରୁତ୍ବ ଦିଆଯିବ।
ଅଭୟ ସିଂହଙ୍କ ସହ ସେଲଫି ପାଇଁ ଭିଡ଼
ସେମାନେ କହିଛନ୍ତି ସାଂସାରିକ ବସ୍ତୁଠାରୁ ଦୂରରେ ରହିବା ଖୁବ୍ ଜରୁରୀ। ବର୍ତ୍ତମାନ ସେ ପତ୍ନୀଙ୍କ ସହ ହିମାଚଳ ପ୍ରଦେଶରେ ରହୁଛନ୍ତି। ଚାମ୍ବର ବାହାରେ ଅଭୟ ସିଂହଙ୍କ ସହ ସେଲଫି ନେବାକୁ ଭିଡ଼ ଦେଖିବାକୁ ମିଳିଥିଲା। ଅନେକ ଲୋକ ତାଙ୍କ ସହ ପୁରୁଣା ସ୍ମୃତି ମଧ୍ୟ ତାଜା କରିଥିଲେ। ସେହିଭଳି ଆଇଆଇଟି ବାବାଙ୍କ ବିବାହ ଖବର ଆସିବା ପରେ ସୋସିଆଲ ମିଡିଆରେ ଏହାକୁ ନେଇ ବେଶ୍ ଚର୍ଚ୍ଚା ହେଉଛି। ସେପଟେ ଅଭୟ ସିଂହଙ୍କ ପରିବାର ତରଫରୁ ପୁଅର ବିବାହକୁ ନେଇ ମଧ୍ୟ କୌଣସି ପ୍ରତିକ୍ରିୟା ସାମ୍ନାକୁ ଆସିନାହିଁ।
Also Read: ଭଗବାନଙ୍କୁ ଝିଅର ବିବାହ କାର୍ଡ ଅର୍ପଣ କରିବା ସମୟରେ ଅଘଟଣ ! ଚାଲିଗଲା ମାଆର ଜୀବନ
କାହିଁକି ଚର୍ଚ୍ଚିତ ଆଇଆଇଟି ବାବା ?
ଉଲ୍ଲେଖଯୋଗ୍ୟ, ମୂଳତଃ ହରିୟାଣାର ଅଭୟ ସିଂହଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ମହାକୁମ୍ଭ ସମୟରେ ଭାଇରାଲ ହୋଇଥିଲା। ସେ ସନ୍ନ୍ୟାସୀ ବେଶରେ ସେଠାରେ ବୁଲୁଥିଲେ। ଆଉ ଲୋକଙ୍କୁ କହିଥିଲେ ଯେ, ସେ ଆଇଆଇଟିରୁ ପଢ଼ିଥିଲେ। ଏହି କାରଣରୁ ସେ ଚର୍ଚ୍ଚାକୁ ଆସିଥିଲେ ଆଉ ତାଙ୍କ ପରିଚୟ ଆଇଆଇଟି ବାବା ଭାବରେ ହୋଇଥିଲା। ପରବର୍ତ୍ତୀ ସମୟରେ ସେ ଅନେକ ବିବାଦରେ ମଧ୍ୟ ରହିଥିଲେ। ତେବେ ଏବେ ସେ ବିବାହ କରିଛନ୍ତି। ଆଉ ଜୀବନର ନୂଆ ପର୍ଯ୍ୟାୟ ଆରମ୍ଭ କରିଛନ୍ତି।




