ଭଦ୍ରକ ୧୪।୧୦: ସମ୍ପତ୍ତି ପାଇଁ ବାପ-ପୁଅ ସମ୍ପର୍କରେ ଫାଟ । ବୃଦ୍ଧ ବାପାଙ୍କୁ ପୁଅ-ବୋହୂ ମିଶି ମାଡ଼ ମାରିଥିବା ଅଭିଯୋଗ ଆଣିଛନ୍ତି ବାପା । କିନ୍ତୁ ସେପଟେ ପୁଅଙ୍କ ଅଭିଯୋଗ ଭିନ୍ନ । ମଝିଆ ଓ ସାନ ପୁଅଙ୍କ ପ୍ରରୋଚନାରେ ବାପା ତାଙ୍କୁ ସମ୍ପତ୍ତିରୁ ବେଦଖଲ କରିବା ସହ ବାପା ହାତ ଉଠାଇବାକୁ ମଧ୍ୟ ପଛାଇନାହିଁ ବୋଲି ବଡ଼ ପୁଅ ପାଲଟା ଅଭିଯୋଗ ଆଣିଛନ୍ତି । ଉଭୟ ବାପା ଓ ପୁଅ ଆହତ ହୋଇଥିବା ଅଭିଯୋଗ ଆସିଛି । ଏଭଳି ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଏରେଣ୍ଡେଇ ଗ୍ରାମରେ ।
ତେବେ ଅଭିଯୋଗ ଅନୁଯାୟୀ, ଏରେଣ୍ଡେଇ ଗ୍ରାମର ୭୫ ବର୍ଷ ବୟସ୍କ ରୋଗଗ୍ରସ୍ତ ବୃଦ୍ଧା ରାମଚନ୍ଦ୍ର ସାହୁଙ୍କ ବଡ ପୁଅ ଭଦ୍ରକ କୋର୍ଟରେ କାର୍ଯ୍ୟରତ ଓକିଲ ଚିତ୍ତରଞ୍ଜନ ସାହୁ ଓ ତାଙ୍କ ପତ୍ନୀ ସମ୍ପତ୍ତି ଲୋଭରେ ବାରମ୍ବାର ମାଡ ମାରି ଆସୁଛନ୍ତି । ଏପରିକି ବୃଦ୍ଧ ଜଣକ ବଡ଼ ପୁଅ ନାମରେ ଭରଣପୋଷଣ ମୋକଦ୍ଦମା ମଧ୍ୟ କରିଛନ୍ତି ବୋଲି କହିଛନ୍ତି । ପୁଅ ମାଡ ମାରିଥିବା ନେଇ କେନ୍ଦୁଆପଦା ଫାଣ୍ଡିରେ ସାନ ବୋହୁ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିପାରିନଥିବା ବେଳେ ବାଧ୍ୟ ହୋଇ ବୃଦ୍ଧ ଜଣକ ଏସ୍ପିଙ୍କୁ ଭେଟି ବଡ଼ ପୁଅ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନେଇ ନ୍ୟାୟ ଭିକ୍ଷା କରିଛନ୍ତି ।
ଅନ୍ୟପଟେ ଭଦ୍ରକ ମେଡିକାଲରେ ଚିକିତ୍ସାଧୀନ ଥିବା ବଡ ପୁଅ ଚିତ୍ତରଞ୍ଜନ ସାହୁ ବାପାଙ୍କ ଅଭିଯୋଗକୁ ଖଣ୍ଡନ କରିଛନ୍ତି । ସେ କହିଛନ୍ତି, ବାପା, ସାନ ଭାଇ ଓ ତାଙ୍କ ସ୍ତ୍ରୀ ମିଳିତ ଭାବରେ ମୋତେ ଆଉ ମୋ ସ୍ତ୍ରୀଙ୍କୁ ଆକ୍ରମଣ କରିଛନ୍ତି । ସାନ ଭାଇ ଓ ତାଙ୍କ ସ୍ତ୍ରୀଙ୍କ ନାମରେ ଥାନାରେ ଅଭିଯୋଗ ମଧ୍ୟ କରିଛନ୍ତି ବୋଲି କହିଛନ୍ତି । ସାନ ପୁଅ ଓ ମଝିଆ ପୁଅଙ୍କ ପ୍ରରୋଚନାରେ ସମ୍ପତ୍ତିରୁ ବଞ୍ଚିତ କରିବା ପାଇଁ ମୋ ନାମରେ ମିଥ୍ୟା ଅଭିଯୋଗ କରିଥିବା ଚିତ୍ତ ରଞ୍ଜନ ସାହୁ କହିଛନ୍ତି ।




