ପହଲଗାମ ହମଲା ଓ ଅପରେସନ ସିନ୍ଦୂର ପରେ ଭାରତ-ପାକ୍ ସମରାଭ୍ୟାସ, ଆରବସାଗରରେ ଆଲର୍ଟ

ପହଲଗାମ-ହମଲା-ଓ-ଅପରେସନ-ସିନ୍ଦୂର-ପରେ-ଭାରତ-ପାକ୍-ସମରାଭ୍ୟାସ,-ଆରବସାଗରରେ-ଆଲର୍ଟ

ନୂଆଦିଲ୍ଲୀ,୧୧/୦୮: ଅପରେସନ ସିନ୍ଦୂର ପରେ ସାମୁଦ୍ରିକ ସୀମାରେ ଦେଖିବାକୁ ମିଳିବ ଉତ୍ତେଜନା ମୂଳକ ସ୍ଥିତି । ଆଜିଠୁ ଆରବ ସାଗରରେ ଭାରତୀୟ ନୌସେନାର ସମରାଭ୍ୟାସ । ଶତ୍ରୁ ପକ୍ଷକୁ ଶୌର୍ଯ୍ୟ ଓ ପରାକ୍ରମ ଦେଖାଇବେ ନୌବୀର । ସେପଟେ ପାକିସ୍ତାନ ମଧ୍ୟ ଆଜିଠୁ ଆରବ ସାଗରରେ ଯୁଦ୍ଧାଭ୍ୟାସ ଆରମ୍ଭ କରିବ । 

ଭାରତ ଏବଂ ପାକିସ୍ତାନୀ ନୌସେନା ଏକା ସମୟରେ ନିଜ ନିଜ ଜାହାଜରୁ ଗୁଳିଚାଳନା ଅଭ୍ୟାସ ପାଇଁ ପ୍ରସ୍ତୁତ ହେଉଛନ୍ତି । ଏଥିପାଇଁ ଉଭୟ ଦେଶ ନାଭିଗେସନ୍ କ୍ଷେତ୍ର ଚେତାବନୀ ଜାରି କରିଛନ୍ତି। ପାକିସ୍ତାନ ଦ୍ୱାରା ଜାରି କରାଯାଇଥିବା ନାଭାରିଆ ଚେତାବନୀ ଅନୁଯାୟୀ, ସାମୁଦ୍ରିକ ଯାତାୟାତକୁ ଅଗଷ୍ଟ ୧୧ ସକାଳ ୪ଟାରୁ ଅଗଷ୍ଟ ୧୨ ସନ୍ଧ୍ୟା ୪ଟା ପର୍ଯ୍ୟନ୍ତ ଅଭ୍ୟାସ କ୍ଷେତ୍ରରୁ ଦୂରେଇ ରହିବାକୁ ଚେତାବନୀ ଦିଆଯାଇଛି  । 

ସୂଚନା ଥାଉକି, ପହଲଗାମ ଆତଙ୍କୀ ଆକ୍ରମଣ ଓ ଭାରତର ଅପରେସନ ସିନ୍ଦୂର ପରେ ପ୍ରଥମଥର ଲାଗି ଆରବ ସାଗରରେ ଭାରତ ଓ ପାକିସ୍ତାନର ନୌସେନା ସେମାନଙ୍କ ଶକ୍ତି ଦେଖାଇବେ । ଆଜିଠୁ  ଦୁଇଦେଶର ନୌସେନା ପୃଥକ ଭାବେ ଦୁଇଦିନିଆ ସମରାଭ୍ୟାସ କରିବେ । ଏଥିପାଇଁ ଭାରତ ପକ୍ଷରୁ ନୋଟାମ  (ନୋଟିସ୍‌ ଟୁ ଏୟାରମ୍ୟାନ୍‌) ଜାରି କରାଯାଇଛି । ଭାରତୀୟ  ନୌସେନା ପକ୍ଷରୁ ଗୁଜରାଟର ଓଖା ଓ ପୋରବନ୍ଦର  ଉପକୂଳରେ ଏହି ସମରାଭ୍ୟାସ କରାଯିବ । 

ସେହିଭଳି  ପାକିସ୍ତାନ ନୌସେନା ନିଜର ଜଳରାଶିରେ ସେହିଦିନ ଡ୍ରିଲ୍‌ କରିବାକୁ ଘୋଷଣା କରିଛି । ଉଭୟ ଦେଶର  ସମରାଭ୍ୟାସର ଦୂରତା ପ୍ରାୟ ୬୦ ନୌଟିକାଲ ମାଇଲ୍‌ ରହିବ । ତେବେ ଏକସମୟରେ ଦୁଇଦେଶର ନୌସେନା ସମାନ ଜଳରାଶିରେ ସମରାଭ୍ୟାସ କରିବା ଚର୍ଚ୍ଚାର ବିଷୟ ହୋଇଛି । ଜମ୍ମୁ-କାଶ୍ମୀରର ପହଲଗାମରେ ଏପ୍ରିଲ  ୨୨ରେ ଆତଙ୍କବାଦୀମାନେ ୨୬ ଜଣ ପର୍ଯ୍ୟଟକଙ୍କୁ ହତ୍ୟା  କରିଥିଲେ । ଏହାର ପ୍ରତିଶୋଧ ନେବାକୁ ଯାଇ ଭାରତ  ମେ ୭ ତାରିଖରେ ଅପରେସନ ସିନ୍ଦୂର ଆରମ୍ଭ କରିଥିଲା ।

Scroll to Top