ନିଶାସକ୍ତ ଅବସ୍ଥାରେ ଅଫିସ୍ ଆସିବା ପଡ଼ିଲା ମହଙ୍ଗା, ଗଲା ଚାକିରି
Published By: Chikun – Prameya-News7 Bureau | October 16, 2025 07:59 PM
NEWS7
ସୋନପୁର: ନିଶାସକ୍ତ ଅବସ୍ଥାରେ ଅଫିସ୍ ଆସିବା ପଡ଼ିଲା ମହଙ୍ଗା। ଚାକିରି ହରାଇଲେ କିରାଣୀ। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ସୁବର୍ଣ୍ଣପୁର ମୃତ୍ତିକା ସଂରକ୍ଷଣ ଓ ଜଳ ବିଭାଜିକା ପ୍ରକଳ୍ପ ବିଭାଗରେ। କିରାଣୀ କାଳୁ ଚରଣ ମିର୍ଦ୍ଧାଙ୍କୁ ନିଲମ୍ବନ କରିଛନ୍ତି ଜିଲ୍ଲାପାଳ।
ସୂଚନା ଅନୁସାରେ, ଗୁରୁବାର ସୁବର୍ଣ୍ଣପୁର ଜିଲ୍ଲାପାଳ ଡ଼ ନୃପରାଜ ସାହୁ ଜିଲ୍ଲା ମୃତ୍ତିକା ସଂରକ୍ଷଣ ଓ ଜଳ ବିଭାଜିକା ପ୍ରକଳ୍ପ ବିଭାଗକୁ ଅଚାନକ ଗସ୍ତ କରିଥିଲେ। ଏହି ସମୟରେ ଜଣେ ବରିଷ୍ଠ କିରାଣୀ କାଳୁ ଚରଣ ମିର୍ଦ୍ଧା ଟେବୁଲ ଉପରେ ଗୋଡ଼ ରଖି ସଂପୂର୍ଣ୍ଣ ନିଶାସକ୍ତ ଅବସ୍ଥାରେ ଥିବା ଦେଖିଥିଲେ।
ତେବେ ଜିଲ୍ଲାପାଳ ତାଙ୍କ ପଚରା ଉଚରା କରିବା ସମୟରେ ଦେଶୀ ମଦ ବାସ୍ନା ହେଉଥିବା ଜାଣିବାକୁ ପାଇଥିଲେ। ଯାହା ପରେ ତାଙ୍କୁ ତୁରନ୍ତ ନିଲମ୍ବନ କରିବା ପାଇଁ ଆଦେଶ ଦେଇଥିଲେ ଜିଲ୍ଲାପାଳ। କିରାଣୀ ଜଣକ ବିଭିନ୍ନ ସମୟରେ ମଦ୍ୟ ପାନ କରି ଅଫିସ୍ ଆସୁଥିବା ଅଭିଯୋଗ ହୋଇଛି।




