ଟ୍ରମ୍ପଙ୍କ ଦାବିକୁ ଖଣ୍ଡନ କଲା ଭାରତ; ଏମ୍ଇଏ କହିଲା, ମୋଦୀ-ଟ୍ରମ୍ପଙ୍କ ମଧ୍ୟରେ ହୋଇନି କୌଣସି ଫୋନ୍ କଲ
Published By: Avinash – Prameya-News7 Bureau | October 16, 2025 08:15 PM
NEWS7
ନୂଆଦିଲ୍ଲୀ: ଭାରତ ଉପରେ ଚାପ ପକାଇବାକୁ ଯାଇ ବିଭିନ୍ନ ବିଷୟରେ ମିଛ ଦାବି କରିବା ସହିତ ନାନା ମିଛ କଥା କହୁଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ବୁଧବାର ସେ କହିଥିଲେ ଯେ ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କୁ ଫୋନ୍ କରି ଋଷରୁ ତେଲ କିଣିବେ ନାହିଁ ବୋଲି ଆଶ୍ୱାସନା ଦେଇଥିଲେ। ହେଲେ ଭାରତ ତାଙ୍କର ଏହି ଦାବିକୁ ଖଣ୍ଡନ କରିଛି। ଦୁଇ ନେତାଙ୍କ ମଧ୍ୟରେ ଗତକାଲି ଏଭଳି କୌଣସି ଫୋନ କଲ୍ ଆଲୋଚନା ହୋଇ ନାହିଁ ବୋଲି ଭାରତୀୟ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି।
ଗୁରୁବାର ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ ବୈଦେଶିକ ମନ୍ତ୍ରଣାଳୟ (MEA) ପ୍ରବକ୍ତା ରଣଧୀର ଜୟସ୍ୱାଲ କହିଛନ୍ତି ଯେ ଟ୍ରମ୍ପଙ୍କ ଦାବିର ଜବାବରେ ପୂର୍ବରୁ ଏକ ବିବୃତ୍ତି ଜାରି କରାଯାଇ ସାରିଛି। ତେବେ ଫୋନ୍ କଲ କଥା କହିଲେ ଗତକାଲି ଦୁଇ ନେତାଙ୍କ ମଧ୍ୟରେ ଗତକାଲି କୌଣସି ଫୋନ୍ କଲ୍ ହୋଇନାହିଁ ବୋଲି ବୈଦେଶିକ ମନ୍ତ୍ରଣାଳୟ କହିଛି।
ବୁଧବାର ଡୋନାଲ୍ଡ ଟ୍ରମ୍ପ ହ୍ୱାଇଟ୍ ହାଉସ୍ ଗଣମାଧ୍ୟମକୁ ସୂଚନା ଦେଇ କହିଥିଲେ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଟେଲିଫୋନ୍ ଆଲୋଚନାରେ ଋଷ ଠାରୁ ତେଲ କିଣିବେ ନାହିଁ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ୟୁକ୍ରେନ ଯୁଦ୍ଧରୁ ମସ୍କୋକୁ ଦୂରେଇ ରଖିବା ପାଇଁ ଏହା ଏକ ବଡ଼ ପଦକ୍ଷେପ ବୋଲି ଟ୍ରମ୍ପ କହିଥିଲେ।




