ତେଲ ବ୍ୟବସାୟ ବିକି ଦେଲେ ଆଦାନୀ ସମୂହ, ବଡ଼ ଡିଲ ସହ କାରବାରରୁ ଓହରିଗଲେ

ତେଲ-ବ୍ୟବସାୟ-ବିକି-ଦେଲେ-ଆଦାନୀ-ସମୂହ,-ବଡ଼-ଡିଲ-ସହ-କାରବାରରୁ-ଓହରିଗଲେ

ମୁମ୍ବାଇ ୨୧।୧୧: ଆଦାନୀ ଗ୍ରୁପର ଏକ ନିଷ୍ପତ୍ତି ଯୋଗୁ ଆଦାନୀ ୱିଲ୍ମର ଏଗ୍ରୀ ବିଜନେସ୍ ଲିମିଟେଡର ସେୟାରରେ ୬% ହ୍ରାସ ହୋଇଛି। ସେୟାରରେ ଏପରି ପରିସ୍ଥିତି ଏକ ବ୍ଲକ୍ ଡିଲ ଯୋଗୁ ହୋଇଛି। ଏଥିରେ ଆଦାନୀ ସମୂହ ଆଦାନୀ ୱିଲ୍ମର ଲିମିଟେଡ(ଏଡବ୍ଲୁଏଲ) ରେ ଥିବା ତାଙ୍କ ଶେଷ ୭% ଭାଗିଦାରୀ ବିକ୍ରି କରିଦେଇଛନ୍ତି ଓ ସମ୍ପୂର୍ଣ୍ଣ ରୂପେ କମ୍ପାନୀରୁ ବାହାରି ଯାଇଛନ୍ତି। ଶୁକ୍ରବାର ସକାଳେ ଏଡବ୍ଲୁଏଲ ସେୟାର ୨୮୦.୭୦ରେ ଖୋଲିଥିବା ବେଳେ ଇଣ୍ଟ୍ରାଡେରେ ୨୬୬.୪୫ର ଲୋ ଲାଗି ଯାଇଛି। ଏକ ରିପୋର୍ଟ ଅନୁସାରେ ଏହି ବ୍ଲକ୍ ଡିଲ ଭାଲ୍ୟୁ ପାଖାପାଖି ୨,୫୦୦ କୋଟି ଟଙ୍କାର ହୋଇ ପାରେ।

ଏହି ବଡ଼ କାରବାରର ସୂଚନା ରଖୁଥିବା ଲୋକଙ୍କ ଅନୁସାରେ ଭେନଗାର୍ଡ, ଚାର୍ଲସ୍ ସ୍ୱାବ, ଆଇସିଆଇସିଆଇ ପ୍ରୁଡେନ୍ସିଆଲ ଏମଏଫ, ଏସବିଆଇ ମ୍ୟୁଚୁଆଲ ଫଣ୍ଡ, ଟାଟା ଏମଏଫ ଓ କ୍ୱାଣ୍ଟ ଏମଏଫ ସମେତ ଅନ୍ୟ ଘରୋଇ ମ୍ୟୁଚୁଆଲ ଫଣ୍ଡମାନେ କମ୍ପାନୀର ସେୟାର କିଣିଛନ୍ତି। ଏହା ଛଡା ସିଙ୍ଗାପୁର, ୟୁଏଇ ଓ ଅନ୍ୟ ଏସିୟ ବଜାରର ଅନେକ ଅନ୍ତର୍ଜାତୀୟ ନିବେଶକ କ୍ଲିନ ଆଉଟ୍ ବ୍ଲକରେ ନିବେଶ କରିଛନ୍ତି। ଚଳିତ ସପ୍ତାହ ପ୍ରାରମ୍ଭରେ ଆଦାନୀ ସମୂହ ଏଡବ୍ଲୁଏଲରେ ଥିବା ତାଙ୍କର ୧୩% ଭାଗିଦାରୀ ବିକ୍ରି କରି କମ୍ପାନୀରେ ସେମାନଙ୍କ ଷ୍ଟେକ୍ ୭% ହ୍ରାସ କରିଦେଇଥିଲେ।

ଆଦାନୀ ଗ୍ରୁପ କମ୍ପାନୀରୁ କାରବାରରୁ ସମ୍ପୂର୍ଣ୍ଣ ବାହାରିଯିବା ଯୋଗୁ ସିଙ୍ଗାପୁରସ୍ଥିତ ୱିଲ୍ମର ଇଣ୍ଟରନ୍ୟାସନାଲ ୫୭% ଭାଗିଦାରୀ ସହିତ କମ୍ପାନୀର ଏବେ ପ୍ରମୋଟର ପାଲଟି ଯାଇଛି। ଉଲ୍ଲେଖଯୋଗ୍ୟ ଯେ ୧୯୯୯ରେ ସ୍ଥାପିତ ଆଦାନୀ ୱିଲ୍ମର ଆଦାନୀ ଏଣ୍ଟରପ୍ରାଇଜର୍ସ ଏବଂ ୱିଲ୍ମର ଇଣ୍ଟରନ୍ୟାସନାଲର ଏକ ଜଏଣ୍ଟ ଭେଞ୍ଚର। ଏଡବ୍ଲୁଏଲ ଭାରତର ସବୁଠୁ ବଡ଼ ଖାଦ୍ୟ ତେଲର ଫ୍ରାଞ୍ଚାଇଜୀ ଓ ଏହା ଫର୍ଚ୍ୟୁନ ବ୍ରାଣ୍ଡର ମାର୍କେଟିଂ କରେ। ଏହା ଛଡା ଗହମ ତିଆରି ଅଟା, ଚାଉଳ, ଡାଲି ଓ ରେଡି-ଟୁ-କୁକ୍ ଉତ୍ପାଦଗୁଡିକର ଏକ ସମନ୍ୱିତ ଫୁଡ ବିଜନେସ୍ ମଧ୍ୟ ଚଳାଏ।

Scroll to Top