ଭୁବନେଶ୍ବର ୨୩।୧୦: ଓଡ଼ିଶାରେ ବେଦାନ୍ତ କରିବ ସବୁଠୁ ବଡ଼ ପ୍ରକଳ୍ପ । ଢେଙ୍କାନାଳରେ ୧ ଲକ୍ଷ କୋଟି ଟଙ୍କା ନିବେଶ କରିବ ବେଦାନ୍ତ । ୩୦ ଲକ୍ଷ ଟନ୍ର ଆଲୁମିନିୟମ୍ ପ୍ଲାଣ୍ଟ ହେବ । ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ପରେ ବେଦାନ୍ତ ମୁଖ୍ୟ ଅନୀଲ ଅଗ୍ରୱାଲ ଏ ନେଇ ସୂଚନା ଦେଇଛନ୍ତି । ସେ କହିଛନ୍ତି, ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି ଏକ ମାସରେ ଜମି ମିଳିଲେ ୩ରୁ ୪ମାସ ଭିତରେ କାମ ଆରମ୍ଭ ହେବ । ୩୦ରୁ ୪୦ ହଜାର ଲୋକ କାମ ପାଇବେ । ପ୍ରକଳ୍ପ କାମ ସରିବାକୁ ୩ରୁ ସାଢେ ୩ ବର୍ଷ ଲାଗିବ ।
ମୁଖ୍ୟମନ୍ତ୍ରୀ କହିଲେ ୧ ମାସରେ ଜମି ଦେବେ ଏବଂ ସମସ୍ତ କ୍ଲିୟରନ୍ସ ମଧ୍ୟ ହୋଇଯିବ । ଏହାସହ ମୁଖ୍ୟମନ୍ତ୍ରୀ କହିଛନ୍ତି, କଳାହାଣ୍ଡି ନିୟମଗିରି ଜନଶୁଣାଣି ଖୁବ୍ଶୀଘ୍ର କରିବେ । କଳାହାଣ୍ଡିରେ ଲୋକଙ୍କୁ ଖଣିରେ କାମ ମିଳୁ । ସେ କାମକୁ ମୁଖ୍ୟମନ୍ତ୍ରୀ ଆଗକୁ ବଢେଇବେ ବୋଲି କହିଛନ୍ତି । କଳାହାଣ୍ଡିରେ କୌଣସି ବିରୋଧ ନାହିଁ । କେବଳ ରାଜନୈତିକ ବିରୋଧ । ଓଡ଼ିଶାରେ ଏମିତି ହୁଏନି । ଓଡ଼ିଶାରେ ଆମର ଲୋକଙ୍କୁ କାମ ଦରକାର । ରୋଜଗାର ଦରକାର । କଳାହାଣ୍ଡି ଯାଇକି ଦେଖନ୍ତୁ କେମିତି ପ୍ରଗତି ହୋଇଛି ।
ଅନୀଲ ଅଗ୍ରୱାଲ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷତ ବେଳେ ମୁଖ୍ୟ ଶାସନ ସଚିବ, ଶିଳ୍ପ ସଚିବଙ୍କ ସହ ବେଦାନ୍ତର ଅଧିକାରୀ ମାନେ ଉପସ୍ଥିତ ଥିଲେ ।




