ଟ୍ରମ୍ପଙ୍କ ନିଦ ହଜାଇଲାଣି ଇରାନର ‘ମଶା’, ହର୍ମୁଜ୍ ପ୍ରଣାଳୀରେ ଭୟରେ ଥରୁଛନ୍ତି ଆମେରିକୀୟ ନୌସେନା, ଜାଣନ୍ତୁ କ’ଣ ଏହି ଅସ୍ତ୍ର…

ଟ୍ରମ୍ପଙ୍କ-ନିଦ-ହଜାଇଲାଣି-ଇରାନର-‘ମଶା’,-ହର୍ମୁଜ୍-ପ୍ରଣାଳୀରେ-ଭୟରେ-ଥରୁଛନ୍ତି-ଆମେରିକୀୟ-ନୌସେନା,-ଜାଣନ୍ତୁ-କ’ଣ-ଏହି-ଅସ୍ତ୍ର…

ନୂଆଦିଲ୍ଲୀ / ତେହେରାନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ନୌସେନାକୁ ସମ୍ପୂର୍ଣ୍ଣ ରୂପେ ଧ୍ୱଂସ କରିଦେଇଥିବା ଦାବି କରୁଛନ୍ତି। କିନ୍ତୁ ଏହା ସତ୍ତ୍ୱେ ଇରାନର କ୍ଷୁଦ୍ର ତଥା ଦ୍ରୁତଗାମୀ ଡଙ୍ଗାଗୁଡ଼ିକୁ ନେଇ ଗଠିତ “ମସ୍କ୍ୟୁଟୋ ଫ୍ଲିଟ୍” (Mosquito fleet) ହର୍ମୁଜ୍ ପ୍ରଣାଳୀରେ (Strait of Hormuz) ଲଗାତାର ବିଶୃଙ୍ଖଳା ସୃଷ୍ଟି କରୁଛି। ବିଶେଷଜ୍ଞଙ୍କ ମତରେ, ଇରାନର ଏହି ଶସ୍ତା ‘ସ୍ୱାର୍ମ ରଣନୀତି’ (Swarm strategy) କୁ ମୁକାବିଲା କରିବା ଅତ୍ୟନ୍ତ କଷ୍ଟକର ଏବଂ ଏହା ବିଶ୍ୱ ତୈଳ ଯୋଗାଣ ପାଇଁ ଏକ ବଡ଼ ବିପଦ ସୃଷ୍ଟି କରିଛି। ଏବେ ଟ୍ରମ୍ପଙ୍କ ପାଇଁ ଏହି ମଶା ଡଙ୍ଗାଗୁଡ଼ିକ ଏକ ନୂଆ ମୁଣ୍ଡବିନ୍ଧାର କାରଣ ପାଲଟିଛି।

କ’ଣ ଏହି ‘ମସ୍କ୍ୟୁଟୋ ଫ୍ଲିଟ୍’?

  • ଇରାନର ‘ମସ୍କ୍ୟୁଟୋ ଫ୍ଲିଟ୍’ ହେଉଛି ହଜାର ହଜାର ଛୋଟ ଏବଂ ଦ୍ରୁତ ଆକ୍ରମଣକାରୀ ଡଙ୍ଗା, ଡ୍ରୋନ୍ ଏବଂ ଉପକୂଳ କ୍ଷେପଣାସ୍ତ୍ରର ଏକ ବିଶାଳ ସମାହାର।
  • ଏକ ରିପୋର୍ଟ ଅନୁଯାୟୀ, ଏହି ଛୋଟ ଡଙ୍ଗାଗୁଡ଼ିକ ଘଣ୍ଟାପ୍ରତି ୪୦ ରୁ ୬୦ ନଟ୍ (knots) ବେଗରେ ଗତି କରିପାରନ୍ତି।
  • ଏଗୁଡ଼ିକରେ ମେସିନ୍ ଗନ୍, ରକେଟ୍ ଏବଂ କେତେକ କ୍ଷେତ୍ରରେ ଆଣ୍ଟି-ସିପ୍ (Anti-ship) କ୍ଷେପଣାସ୍ତ୍ର କିମ୍ବା ସମୁଦ୍ରରେ ମାଇନ୍ (mine) ବିଛାଇବା ଉପକରଣ ମଧ୍ୟ ଖଞ୍ଜାଯାଇଥାଏ।

ଆମେରିକା ପ୍ରତିରକ୍ଷା ବିଭାଗ ପେଣ୍ଟାଗନର ପୂର୍ବତନ ଅଧିକାରୀ ଆଲେକ୍ସ ପ୍ଲିଟସାସ୍ କହିଛନ୍ତି, “ଏଗୁଡ଼ିକ ଛୋଟ ଏବଂ ବିରକ୍ତିକର ହୋଇଥିବାରୁ ଏହାକୁ ‘ମଶା ଫ୍ଲିଟ୍’ ବୋଲି କୁହାଯାଏ। କିନ୍ତୁ ଏଗୁଡ଼ିକ ଶତ୍ରୁକୁ କାମୁଡ଼ିବା ଏବଂ କ୍ଷତି ପହଞ୍ଚାଇବା ପାଇଁ ଯଥେଷ୍ଟ କ୍ଷମତା ରଖନ୍ତି।”

କାହିଁକି ଏହା ଏକ ‘ଗେମ୍ ଚେଞ୍ଜର’?

ପାରମ୍ପରିକ ଯୁଦ୍ଧ ଜାହାଜ ତୁଳନାରେ ଏହି ଛୋଟ ଡଙ୍ଗାଗୁଡ଼ିକୁ ରାଡାର୍ରେ ଟ୍ରାକ୍ କରିବା ବହୁତ କଷ୍ଟକର। ଇରାନର ଉପକୂଳରେ ଏଗୁଡ଼ିକୁ ସହଜରେ ଲୁଚାଇ ରଖିହେବ ଏବଂ ଏଗୁଡ଼ିକ ଏତେ ଶସ୍ତା ଯେ ନଷ୍ଟ ହେଲେ ମଧ୍ୟ ସାମରିକ ଦୃଷ୍ଟିରୁ ଇରାନର ବିଶେଷ କ୍ଷତି ହୁଏ ନାହିଁ। ଆକାରରେ ଛୋଟ, ଅଧିକ ଗତିଶୀଳ ଏବଂ ବିପୁଳ ସଂଖ୍ୟାରେ ଥିବାରୁ ଏଗୁଡ଼ିକୁ ସମ୍ପୂର୍ଣ୍ଣ ରୂପେ ନଷ୍ଟ କରିବା ଅସମ୍ଭବ ପ୍ରାୟ। ହର୍ମୁଜ୍ ପ୍ରଣାଳୀ ଭଳି ଗୁରୁତ୍ୱପୂର୍ଣ୍ଣ ଜଳପଥକୁ ସମ୍ପୂର୍ଣ୍ଣ ବନ୍ଦ ନକରି ମଧ୍ୟ ଇରାନ ଏହି ଡଙ୍ଗାଗୁଡ଼ିକ ସାହାଯ୍ୟରେ ବିଶ୍ୱ ଅର୍ଥନୀତି ଉପରେ ଚାପ ପକାଇବାରେ ସଫଳ ହେଉଛି।

ଟ୍ରମ୍ପ ଏଗୁଡ଼ିକୁ ବିପଦ ମାନୁନଥିଲେ

ଆମେରିକୀୟ ସେନା ମୁଖ୍ୟତଃ ଇରାନର ବଡ଼ ଯୁଦ୍ଧ ଜାହାଜଗୁଡ଼ିକୁ ନଷ୍ଟ କରିବା ଉପରେ ଧ୍ୟାନ କେନ୍ଦ୍ରୀଭୂତ କରିଥିଲା। ଏହି ଛୋଟ “ଫାଷ୍ଟ ଆଟାକ୍ ସିପ୍” ଗୁଡ଼ିକ “ବିଶେଷ ବିପଦ ନୁହେଁ” ଭାବି ଟ୍ରମ୍ପ ଏଗୁଡ଼ିକୁ ଅଣଦେଖା କରିଥିଲେ। କିନ୍ତୁ ବିଶେଷଜ୍ଞମାନେ ଏବେ ଚେତାବନୀ ଦେଉଛନ୍ତି ଯେ ଏହି ଛୋଟ ଡଙ୍ଗାଗୁଡ଼ିକ ହିଁ ଏବେ ଆମେରିକା ପାଇଁ ସବୁଠାରୁ ବଡ଼ ସମସ୍ୟା। ପ୍ରଣାଳୀ ଦେଇ ଯିବାକୁ ସେମାନେ ଏକ ବଡ଼ ବିପଦରେ ପରିଣତ କରିଦେଇଛନ୍ତି।

ହର୍ମୁଜ୍ ପ୍ରଣାଳୀ ଏବେ ଖୋଲା ଅଛି ନା ବନ୍ଦ?

ଶନିବାର (ଏପ୍ରିଲ୍ ୧୮) ଇରାନର ଇସଲାମିକ୍ ରିଭୋଲ୍ୟୁସନାରୀ ଗାର୍ଡ କର୍ପସ (IRGC) ଘୋଷଣା କରିଛି ଯେ ହର୍ମୁଜ୍ ପ୍ରଣାଳୀ ପୁଣିଥରେ ବନ୍ଦ କରିଦିଆଯାଇଛି ଏବଂ ଏହା ସମ୍ପୂର୍ଣ୍ଣ ରୂପେ ସେନା ନିୟନ୍ତ୍ରଣରେ ଅଛି। ଆମେରିକା ଦ୍ୱାରା ଇରାନୀୟ ବନ୍ଦରଗୁଡ଼ିକ ଉପରେ ଜାରି ରହିଥିବା ଅବରୋଧକୁ ତେହେରାନ ଯୁଦ୍ଧବିରାମ ଚୁକ୍ତିର ଉଲ୍ଲଂଘନ ଏବଂ ‘ବିଶ୍ୱାସଘାତକତା’ ବୋଲି ଦର୍ଶାଇଛି।

ସୂଚନାଯୋଗ୍ୟ ଯେ, ଏପ୍ରିଲ୍ ୧୭ ତାରିଖରେ ଇରାନ ବୈଦେଶିକ ମନ୍ତ୍ରୀ ଆବାସ ଆରାଗଚି ଏବଂ ଟ୍ରମ୍ପ ଉଭୟ କହିଥିଲେ ଯେ ପ୍ରଣାଳୀ “ସମ୍ପୂର୍ଣ୍ଣ ଖୋଲା” ଅଛି। ଯୁଦ୍ଧବିରାମ ପରେ ଇରାନ ଏହାକୁ ଖୋଲିବାକୁ ରାଜି ହୋଇଥିଲା, କିନ୍ତୁ ଇସ୍ରାଏଲ୍ର ଲେବାନନ ଆକ୍ରମଣ ପରେ ଇରାନ ଏହାକୁ ବନ୍ଦ କରିଦେଇଥିଲା। ଏହାପରେ ଆମେରିକା ଏହି ପ୍ରଣାଳୀ ଉପରେ ଅବରୋଧ ଲଗାଇଥିଲା।

Scroll to Top