ମୋହନା ୨୮।୧୦: ଗଜପତି ଜିଲ୍ଲା ମୋହନା ଅଞ୍ଚଳରେ ବାତ୍ୟା ‘ମୋନ୍ଥା’ର ପ୍ରଭାବ ଦେଖିବାକୁ ମିଳିଛି l ବର୍ଷା ଓ ପବନ ଯୋଗୁଁ ବିଭିନ୍ନ ସ୍ଥାନରେ ଘର ଭାଙ୍ଗିଥିବା ବେଳେ ବାତ୍ୟା ଆଶ୍ରୟସ୍ଥଳକୁ ଚାଲି ଯାଇଛନ୍ତି ଲୋକେ l ମୋହନl ବ୍ଲକ ଚାନ୍ଦିପୁଟ ପଞ୍ଚାୟତ ଆକିଲି ଗାଁରେ ଜଣେ ବ୍ୟକ୍ତିଙ୍କ ଘର ଭାଙ୍ଗିବା ସହ ଟିଣ ଛପର ଉଡିଯାଇଛି l ଘର ଭାଙ୍ଗିଥିବା ପରିବାର ଲୋକଙ୍କୁ ପ୍ରଶାସନ ପକ୍ଷରୁ ରିଲିଫ୍ ବ୍ୟବସ୍ଥା କରାଯାଇଛି l ବର୍ଷାକୁ ଦୃଷ୍ଟିରେ ରଖି ଅଡ଼ବା ହରଭଙ୍ଗୀ ଡ୍ୟାମ୍ରେ ୨ଟି ଗେଟ୍ ଖୋଲା ଯାଇଥିବା ଜଣାପଡିଛି l
ସେପଟେ ବର୍ଷା ଓ ପବନ ଯୋଗୁଁ ରା.ଉଦୟଗିରି ବ୍ଲକ ଲୁବୁରୁସିଂ ନିକଟରେ ଏକ ବିରାଟ ଗଛ ରାସ୍ତା ଉପରେ ପଡି ରହିଛି l ଫଳରେ ମୋହନାରୁ ପାରଳାଖେମୁଣ୍ଡି ଯାତାୟତ ବାଧାପ୍ରାପ୍ତ ହୋଇଛି l ରା.ଉଦୟଗିରି ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ରାସ୍ତାରୁ ଗଛ ହଟାଇବାକୁ ଚେଷ୍ଟା କରୁଛନ୍ତି l
ସୂଚନାଯୋଗ୍ୟ ଯେ, ଭୀଷଣ ହେଲା ‘ମୋନ୍ଥା’ । ବଙ୍ଗୋପସାଗରରେ ଅଧିକ ଘନୀଭୂତ ହୋଇ ଭୀଷଣ ବାତ୍ୟାର ରୂପ ନେଇଛି । ଘଣ୍ଟା ପ୍ରତି ୧୫ କି.ମି. ବେଗରେ ଅଗ୍ରସର ହେଉଛି ‘ମୋନ୍ଥା’ । ଏହା ମଛଲିପଟ୍ଟନମ୍ ଠାରୁ ୧୯୦ କିଲୋମିଟର, କାକିନାଡ଼ା ଠାରୁ ୨୭୦ କିଲୋମିଟର ଏବଂ ଗୋପାଳପୁର ଠାରୁ ୫୫୦ କିଲୋମିଟର ଦୂରରେ କେନ୍ଦ୍ରୀଭୂତ ରହିଛି । ମଙ୍ଗଳବାର ସନ୍ଧ୍ୟାରୁ ଭୀଷଣ ବାତ୍ୟା ‘ମୋନ୍ଥା’ର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ ହେବ ଏବଂ ରାତି ୧୦ଟା ପାଖାପାଖି ଏହା ସ୍ଥଳଭାଗ ଛୁଇଁବ ବୋଲି ଆକଳନ କରିଛି ପାଣିପାଗ ବିଭାଗ । ଭୀଷଣ ବାତ୍ୟା ରୂପରେ କାକିନାଡ଼ାର ସାମାନ୍ୟ ଉତ୍ତରରେ ଲ୍ୟାଣ୍ଡଫଲ୍ କରିବ ‘ମୋନ୍ଥା’ । ଲ୍ୟାଣ୍ଡଫଲ୍ ବେଳେ ପବନର ବେଗ ଘଣ୍ଟାପ୍ରତି ୯୦ରୁ ୧୦୦ କିଲୋମିଟର ରହିବା ବେଳେ ଝଟ୍କା ପବନର ବେଗ ୧୧୦ କି.ମି. ରହିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି ।
ବୁଧବାର ଭୋର ସମୟରେ ମାଲକାନଗିରି ଜିଲ୍ଲାର ବାଲିମେଳା ଜଳଭଣ୍ଡାର ଦେଇ ଓଡ଼ିଶାରେ ପସିବ ଭୀଷଣ ବାତ୍ୟା । ସେତେବେଳକୁ ଏହାର ପ୍ରକୋପ ବହୁ ମାତ୍ରାରେ କମି ଯାଇଥିବ । ତଥାପି ୬୦ରୁ ୭୦ କି.ମି. ବେଗରେ ପବନ ମାଡ଼ ହେବ । ମାଲକାନଗିରି ସହର ଦେଇ ବାତ୍ୟା ସିଧା ଛତିଶଗଡ଼ ମୁହାଁ ହେବ । ସେପଟେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବାତ୍ୟା ମୁକାବିଲା ନେଇ ସମୀକ୍ଷା କରିଛନ୍ତି ।




