ପାଟନା ୨୦।୧୧: ବିହାର ମୁଖ୍ୟମନ୍ତ୍ରୀ ନିତିଶ କୁମାର ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମଧ୍ୟରେ ଗୁରୁବାର ଏୟାରପୋର୍ଟରେ ହୋଇଥିବା ସାକ୍ଷାତ ସାରା ଦେଶରେ ରାଜନୈତିକ ଝଡ଼ ସୃଷ୍ଟି କରିଛି। ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓରେ ନିତିଶ କୁମାରଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିକଟକୁ ଯାଇ ତାଙ୍କ ପାଦ ଛୁଇଁ ପ୍ରଣାମ କରୁଥିବାର ଦେଖା ଯାଉଛି। ଏହି ଦୃଶ୍ୟ ମାତ୍ର କିଛି ସେକେଣ୍ଡର, ହେଲେ ରାଜନୀତିର ପୁରା ସମୀକରଣ ଉପରେ ବିତର୍କ ସୃଷ୍ଟି କରିଛି।
ଏହି ଘଟଣା ସେହି ସମୟର ଯେତେବେଳେ ପ୍ରଧାନମନ୍ତ୍ରୀ ମୋଦି ବିହାର ମୁଖ୍ୟମନ୍ତ୍ରୀଙ୍କ ଶପଥ ପାଠ ଉତ୍ସବରେ ଯୋଗ ଦେବା ପାଇଁ ବିମାନ ଯୋଗେ ପାଟନା ଆସୁଥିଲେ। ପ୍ରଧାନମନ୍ତ୍ରୀ ବିମାନରୁ ଓହ୍ଲାଇବାମାତ୍ରେ ମୁଖ୍ୟମନ୍ତ୍ରୀ ନିତିଶ କୁମାର ଆଗକୁ ଯାଇ ତାଙ୍କୁ ନମସ୍କାର କରିଥିଲେ ଓ ତାଙ୍କ ପାଦ ଛୁଇଁବାକୁ ନଇଁ ପଡିଥିଲେ। ମୋଦି ତାଙ୍କୁ ତୁରନ୍ତ ଉଠାଇ ହସି ହସି ଅଭିବାଦନ ସ୍ୱୀକାର କରିଥିଲେ ଓ ଦୁଇ ନେତାଙ୍କ ମଧ୍ୟରେ କିଛି ସମୟ ଆଲୋଚନା ହୋଇଥିଲା।
वीडियो में हवाई अड्डे पर प्रधानमंत्री मोदी के पैर छूकर आशीर्वाद प्राप्त करते मुख्यमंत्री नीतीश कुमार! pic.twitter.com/U6wq9qs6iC
— Rashtriya Janata Dal (@RJDforIndia) November 20, 2025
ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଏବେ ୟୁଜର ବିଭିନ୍ନ ପ୍ରକାରର ପ୍ରତିକ୍ରିୟା ଦେଉଛନ୍ତି। କିଛି ଲୋକେ ଏହାକୁ ଭାରତୀୟ ପରମ୍ପରା ଓ ସମ୍ମାନର ପ୍ରତୀକ ବୋଲି କହୁଥିବା ବେଳେ ଆଉ କେତେକ ଏହାକୁ ରାଜନୈତି ସଂକେତ ସହ ଯୋଡିବା ଆରମ୍ଭ କରିଛନ୍ତି। ତେବେ ବିରୋଧୀ ଦଳ ନେତାମାନେ ଏହି ଭିଡିଓରେ ନିତିଶଙ୍କୁ ଟାର୍ଗେଟ କରି କହିଛନ୍ତି ଯେ ଏହା ‘ରାଜନୈତିକ ସମର୍ପଣର ଉଦାହରଣ’। ତେବେ ନିତିଶ କୁମାରଙ୍କ ସମର୍ଥକ କହୁଛନ୍ତି ସେ କେବଳ ଭାରତୀୟ ପରମ୍ପରା ଓ ସଂସ୍କାର ଅନୁସାରେ ବରିଷ୍ଠ ନେତାଙ୍କ ସମ୍ମାନ କରିଛନ୍ତି।
ହେଲେ ରାଜନୈତିକ ବିଶ୍ଲେଷକଙ୍କ ଅନୁସାରେ ଏହି ଘଟଣାର ‘ଟାଇମିଂ’ ଗୁରୁତ୍ୱପୂର୍ଣ୍ଣ। ବିହାର ରାଜନୀତି ବର୍ତ୍ତମାନ ଅସ୍ଥିର ସମୟ ଦେଇ ଗତି କରୁଛି, ଏଥିରେ ନିତିଶ କୁମାର ପୁଣି ଥରେ କେନ୍ଦ୍ର ସହିତ ନିଜ ସମ୍ପର୍କ ସୁଧାରିବାକୁ ଉଦ୍ୟମରେ ଅଛନ୍ତି ବୋଲି କୁହାଯାଉଛି। ତେବେ ପୂର୍ବରୁ ନିତିଶ ଅନେକ ଥର ନିଜ ରାଜନୈତିକ ଆଭିମୁଖ୍ୟ ପରିବର୍ତ୍ତନ କରିଛନ୍ତି। ୨୦୧୩ରେ ସେ ବିଜେପିଠୁ ନିଜକୁ ଦୂରେଇ ଥିଲେ ଓ ୨୦୧୭ରେ ପୁଣି ମେଣ୍ଟ କଲେ ଏବଂ ପରେ ୨୦୨୨ରେ ବିରୋଧୀ ମେଣ୍ଟ ‘ଇଣ୍ଡିଆ’ରେ ସାମିଲ ହୋଇ ଗଲେ। ଏଥିରେ ଏହି ତାଜା ଘଟଣା ପୁଣି ଥରେ ବିଜେପି ଓ ଜେଡି(ୟୁ) ମଧ୍ୟରେ ସମ୍ଭାବିତ ସମୀକରଣ ଚର୍ଚ୍ଚାକୁ ଆଞ୍ଚ ଦେଉଛି।




