ପୁରୀ ୧୮।୩: ଆଗକୁ ଆସୁଛି କି ବଡ଼ ବିପଦ । ବିଶ୍ବ, ଦେଶ ତଥା ରାଜ୍ୟରେ ଘଟିବ କି କିଛି ବଡ଼ ଅଘଟଣ । ତେବେ ମଧ୍ୟପ୍ରାଚ୍ୟରେ ଯୁଦ୍ଧ ପରିସ୍ଥିତି ଗମ୍ଭୀର ହେଉଥିବା ବେଳେ ଶ୍ରୀମନ୍ଦିର ନୀଳଚକ୍ର ଉପରେ ବାରମ୍ବାର ଚିଲ ବସିବାକୁ ନେଇ ଏଭଳି କଳ୍ପନା ଜଳ୍ପନା ସମସ୍ତଙ୍କ ମଧ୍ୟରେ ଲାଗି ରହିଛି । ଏବେ ଲଗାତାର ଶ୍ରୀମନ୍ଦିର ନୀଳଚକ୍ର ଉପରେ ଚିଲ ବସୁଛି । ଏପଟେ ମଙ୍ଗଳବାର ମଧ୍ୟ ଶ୍ରୀମନ୍ଦିର ନୀଳଚକ୍ର ଉପରେ ଚିଲ ବସିଥିବା ବେଳେ ବୁଧବାର ସକାଳୁ ନୀଳଚକ୍ର ଉପରେ ଚିଲ ବସିଥିବା ଦେଖିବାକୁ ମିଳିଛି ।
ଚିଲ ବସିବା ଶୁଭ ନା ଅଶୁଭ
ପତିତପାବନ ବାନା ଉପରେ ଚିଲ ବସିବା ଶୁଭ କି ଅଶୁଭ ତାହାକୁ ନେଇ ବିଭିନ୍ନ ମହଲରେ କଳ୍ପନା ଜଳ୍ପନା ଲାଗି ରହିଛି । କିଛି ସେବାୟତ ଏହାକୁ ଅଶୁଭ ସଂକେତ ବୋଲି କହୁଛନ୍ତି । ଚିଲ ପତିତପାବନ ବାନା ଉପରେ ବସିଲେ ଦେଶରେ ବିପର୍ଯ୍ୟୟ ଘଟିଥାଏ । ଭୂମିକମ୍ପ, ଭୂସ୍ଖଳନ, ବନ୍ୟା, ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ ସହ ଖାଦ୍ୟାଭାବ, ଗୃହ ଯୁଦ୍ଧ ବୃଦ୍ଧି ପାଇଥାଏ ବୋଲି ମଧ୍ୟ ମତପ୍ରକାଶ ପାଉଛି । ଅନ୍ୟପକ୍ଷରେ ଏହା ଏକ ସାଧାରଣ କଥା ବୋଲି କିଛି ସେବାୟତ ମତ ରଖୁଛନ୍ତି ।
Also Read:- ହଷ୍ଟେଲ ଅନ୍ତେବାସୀ ଗଣ୍ଡଗୋଳର ତଦନ୍ତ କରିବ କମିଟି, ସାମିଲ ଛାତ୍ରଙ୍କ ବିରୋଧରେ ନିଆଯିବ ଆଇନଗତ କାର୍ଯ୍ୟାନୁଷ୍ଠାନ
ତେବେ ପୂର୍ବରୁ ଶ୍ରୀମନ୍ଦିର ନୀଳଚକ୍ର ଚତୁଃପାର୍ଶ୍ଵରେ ଶହ ଶହ ଚିଲ ଉଡିବା, ନୀଳଚକ୍ର ଉପରେ ବାରମ୍ବାର ଚିଲ ବସିବା, ମାନସିକ ବାନା ଛିଣ୍ଡିବା ଦୃଶ୍ୟ ଦେଖିବାକୁ ମିଳିଥିଲା । ବୁଧବାର ପୁନର୍ବାର ଶ୍ରୀମନ୍ଦିର ନୀଳଚକ୍ର ଉପରେ ଚିଲ ବସିବାକୁ ନେଇ ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ଉଙ୍କି ମାରୁଛି । ଆଗକୁ କିଛି ବଡ଼ ଅଘଟଣ ଘଟିବାକୁ ଯାଉଛି କି ? ସେଥିପାଇଁ ମହାପ୍ରଭୁ ବାରମ୍ବାର ଏଭଳି ସଙ୍କେତ ଦେଉଛନ୍ତି ।




