ଆସନ୍ତା ୨୬ ରେ ଲଘୁଚାପ, ୨୭ରେ ଅବପାତ: ୪ ଦିନ ପ୍ରବଳ ବର୍ଷା ସମ୍ଭାବନା

ଆସନ୍ତା-୨୬-ରେ-ଲଘୁଚାପ,-୨୭ରେ-ଅବପାତ:-୪-ଦିନ-ପ୍ରବଳ-ବର୍ଷା-ସମ୍ଭାବନା

ଭୁବନେଶ୍ୱର ୧୯/୦୯: ବଡ଼ ବର୍ଷା ଆସୁଛି । ୨୬ରୁ ବଦଳିବ ପାଗ । ୨୯ ଯାଏଁ ଓଡ଼ିଶାରେ ପ୍ରବଳ ବର୍ଷା ହୋଇପାରେ । ବିଶେଷ କରି ୨୭ ଓ ୨୮ରେ ସବୁଠାରୁ ବେଶି ବର୍ଷା ଆଶଙ୍କା ରହିଛି । ଲଗାଣ ବର୍ଷାରେ ଫୁଲିପାରେ ଉତ୍ତର ଓଡ଼ିଶାର ବିଭିନ୍ନ ନଦୀର ଜଳସ୍ତର । ମହାନଦୀ ଅବବାହିକାରେ ବି ଅଧିକ ବର୍ଷା ହୋଇପାରେ । ପାଣିପାଗ ବିଭାଗ ପକ୍ଷରୁ ପାକ୍ଷିକ ପୂର୍ବାନୁମାନ ଜାରି ହୋଇଛି ।

ବିଭିନ୍ନ ମଡେଲ ବିଶ୍ଳେଷଣ ଆକଳନ ଅନୁସାରେ ଆସନ୍ତା ୨୩ରେ ଉତ୍ତର ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା ଅଛି । ୨୬ ତାରିଖବେଳକୁ ଉତ୍ତର ପୂର୍ବ ବଙ୍ଗୋପସାଗରରେ ଆଉ ଏକ (ଦ୍ୱିତୀୟ) ଲଘୁଚାପ ଦାନା ବାନ୍ଧିବ । ଏହା ଘନୀଭୂତ ହୋଇ ୨୭ ତାରିଖବେଳକୁ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଅବପାତ ରୂପ ନେବ ଏବଂ ଓଡ଼ିଶା ଉପକୂଳ ଦେଇ ସ୍ଥଳଭାଗରେ ପ୍ରବେଶ କରିବ । ୩୦ ତାରିଖବେଳକୁ ଦକ୍ଷିଣ ଚୀନ ସାଗରରୁ ଏକ ବାତ୍ୟାର ଅବଶିଷ୍ଟାଂଶ ଆସି ଉତ୍ତର ବଙ୍ଗୋପାସାଗରରେ ପହଞ୍ଚିପାରେ । ଓଡ଼ିଶାରେ ସେପ୍ଟେମ୍ବର ୨୫ରୁ ଅକ୍ଟୋବର ୧ ଭିତରେ ବିସ୍ତାରିତ ଅଞ୍ଚଳରେ ବ୍ୟାପକ ବର୍ଷା ହେବା ସମ୍ଭବନା ରହିଛି ।

କୃଷି ପାଣିପାଗ ବିଶାରଦ ଡକ୍ଟର ସୁରେନ୍ଦ୍ରନାଥ ପଶୁପାଳକ ଏ ସମ୍ପର୍କରେ ତିନି ଦିନ ପୂର୍ବରୁ ପୂର୍ବାନୁମାନ କରିଥିଲେ । ସେ କହିଛନ୍ତି ୨୫/୨୬ ତାରିଖବେଳକୁ ଉତ୍ତର ବଙ୍ଗୋପସାଗର ଏବଂ ସଂଲଗ୍ନ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବ । ଘନୀଭୂତ ହୋଇ ଏହା ଅବପାତ ରୂପ ନେଇପାରେ । ଏହା ପ୍ରଭାବରେ ଓଡ଼ିଶାରେ ୨୬ରୁ ପାଗ ବଦଳିବ । ୨୭ ଓ ୨୮ ତାରିଖରେ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ହେବ । 

Scroll to Top