ଆସାମୀ ଗାୟକ ଜୁବୀନ ଗର୍ଗ ସିଙ୍ଗାପୁରରେ ସ୍କୁବା ଡାଇଭିଂ କରୁଥିବା ସମୟରେ ତାଙ୍କର ଏକ ଦୁର୍ଘଟଣାରେ ମୃତ୍ୟୁ ହୋଇଛି। ତାଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଭୀର ଶୋକ ପ୍ରକାଶ କରିଛନ୍ତି।
ସିଙ୍ଗାପୁରରେ ଆସାମୀ ଗାୟକ ଜୁବୀନ ଗର୍ଗଙ୍କ ମୃତ୍ୟୁର ଗୋଟିଏ ଦିନ ପରେ, ଏହି ଦୁର୍ଘଟଣା ପୂର୍ବରୁ ତାଙ୍କର ଏକ ଭିଡିଓ ଅନଲାଇନରେ ଭାଇରାଲ ହେଉଛି। ସିଙ୍ଗାପୁରରେ ଏକ ସ୍କୁବା ଡାଇଭିଂ ଦୁର୍ଘଟଣାରେ ତାଙ୍କର ପରଲୋକ ଘଟିଥିଲା। ମୃତ୍ୟୁ ବେଳକୁ ତାଙ୍କୁ ୫୨ ବର୍ଷ ହୋଇଥିଲା। ତାଙ୍କ ମୃତ୍ୟୁରେ ସାରା ସଂଗୀତ ଜଗତ ଶୋକରେ ବୁଡିଯାଇଛି। ଏହାରି ମଧ୍ୟରେ ସେ ଉପଭୋଗ କରୁଥିବା ଶେଷ ମୁହୂର୍ତ୍ତର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଯେଉଁଥିରେ ସେ ଅତ୍ୟନ୍ତ ଆନନ୍ଦର ସହିତ ସ୍କୁବା ଡାଇଭିଂ ପାଇଁ ସମୁଦ୍ରକୁ ମଧ୍ୟକୁ ଯାଉଛନ୍ତି।
୫୨ ବର୍ଷୀୟ ଏହି ଗାୟକ ସ୍କୁବା ଡାଇଭିଂ କରୁଥିବା ସମୟରେ ଭୟଙ୍କର ଦୁର୍ଘଟଣା ଘଟିଥିଲା। ଅନଲାଇନରେ ଭାଇରାଲ ହେଉଥିବା ଏକ ଭିଡିଓରେ ଗର୍ଗଙ୍କ ମୃତ୍ୟୁ ପୂର୍ବରୁ ଶେଷ ମୁହୂର୍ତ୍ତରେ ଦେଖାଯାଉଛି ଯେ, ଗର୍ଗ ଏକ ଲାଇଫ ଜ୍ୟାକେଟ ପିନ୍ଧି ପହଁରା ଉପଭୋଗ କରିବା ପାଇଁ ସମୁଦ୍ରକୁ ଡେଇଁପଡ଼ୁଥିବାର ଦେଖାଯାଉଛି।
ଶନିବାର ଦିନ ଉତ୍ତର-ପୂର୍ବ ମହୋତ୍ସବରେ ପ୍ରଦର୍ଶନ କରିବାକୁ ଯାଇଥିବା ଗର୍ଗ ପହଁରିବା ପାଇଁ ସମୁଦ୍ର ମଧ୍ୟକୁ ଯାଥିବା ବେଳେ କିଛି ସମୟ ପରେ ସେ ଅସୁସ୍ଥ ହୋଇପଡ଼ିଥିଲେ। ତାଙ୍କୁ ଉଦ୍ଧାର କରାଯାଇ ଆଇସିଭିଏରରେ ଭର୍ତ୍ତି କରାଯିବା ସତ୍ତ୍ୱେ ଡାକ୍ତରମାନେ ତାଙ୍କୁ ବଞ୍ଚାଇ ପାରିଲେ ନାହିଁ।
Also Read
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି Xରେ ଜୁବୀନ ଗର୍ଗଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରି ଲେଖିଛନ୍ତି, “ଲୋକପ୍ରିୟ ଗାୟକ ଜୁବୀନ ଗର୍ଗଙ୍କ ଆକସ୍ମିକ ମୃତ୍ୟୁରେ ମୁଁ ମର୍ମାହତ। ସଙ୍ଗୀତ ପ୍ରତି ତାଙ୍କର ବିଶେଷ ଅବଦାନ ପାଇଁ ତାଙ୍କୁ ମନେ ରଖାଯିବ।”
ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ତାଙ୍କ ଏକ୍ସ ହ୍ୟାଣ୍ଡେଲରେ ଏହି ଦୁଃଖଦ ଘଟଣାରେ ମର୍ମାହତ ପ୍ରକାଶ କରିଛନ୍ତି। ସେ ଲେଖିଛନ୍ତି, “ଆଜି ଆସାମ ତାର ପ୍ରିୟ ପୁତ୍ରମାନଙ୍କ ମଧ୍ୟରୁ ଜଣଙ୍କୁ ହରାଇଲା। ଜୁବିନ ଆସାମ ପାଇଁ କ’ଣ ତାହା ବର୍ଣ୍ଣନା କରିବା ପାଇଁ ମୋ ପାଖରେ ଶବ୍ଦ ନାହିଁ। ସେ ବହୁତ ଶୀଘ୍ର ଚାଲିଯାଇଛନ୍ତି, ଏହା ଯିବାର ବୟସ ନଥିଲା।”
ଜୁବୀନ ଗର୍ଗ ଆସାମୀ ସଙ୍ଗୀତକୁ ଜାତୀୟ ସ୍ତରରେ ପରିଚିତ କରାଇବା ପାଇଁ ବହୁ ପ୍ରୟାସ କରିଥିଲେ। ବଲିଉଡର ସବୁଠାରୁ ଲୋକପ୍ରିୟ ଟ୍ରାକଗୁଡ଼ିକ ମଧ୍ୟରୁ ଗୋଟିଏ ‘ଗ୍ୟାଙ୍ଗଷ୍ଟର’ (୨୦୦୬) ର ‘ୟା ଅଲି’ ଗୀତ ଗାଇ ସର୍ବଭାରତୀୟ ଖ୍ୟାତି ଅର୍ଜନ କରିଥିଲେ। ପ୍ରସିଦ୍ଧ ଗାୟକଙ୍କ ଆକସ୍ମିକ ଦେହାନ୍ତ ତାଙ୍କ ପ୍ରଶଂସକ ଓ ସମଗ୍ର ଇଣ୍ଡଷ୍ଟ୍ରିକୁ ସ୍ତବ୍ଧ କରି ଦେଇଛି। ସଙ୍ଗୀତ ଜଗତରେ ଏକ ବିରାଟ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି।




