ପ୍ରାୟ ସମସ୍ତଙ୍କ ଘରେ ପ୍ରତିଦିନ ପନିପରିବା ଓ ଫଳମୂଳ ଖିଆଯାଇଥାଏ। ଆଉ ସେଥିରୁ ବାହାରୁଥିବା ଚୋପା ଏବଂ ଖରାପ ଅଂଶଗୁଡିକୁ କିନ୍ତୁ ସମସ୍ତେ ଅଳିଆ ଗଦାରେ ଫିଙ୍ଗିଦିଅନ୍ତି। ହେଲେ ଆପଣ ଜାଣଛନ୍ତି କି ସେଗୁଡିକ ପରିବେଶ ସୃଷ୍ଟିରେ କେତେ ସହାୟକ ହୋଇଥାଏ ? ଆମେ ଭାବୁଥିବା ସାଧାରଣ ପରିବା ଓ ଫଳ ଚୋପାରେ ରହିଛି 100% ପ୍ରାକୃତିକ କମ୍ପୋଷ୍ଟ ଯାହା ପରିବେଶକୁ ରକ୍ଷା କରିବାରେ ବଡ଼ ଅଂଶ ପାଲଟିଥାଏ। ଏହା ଏକ ସୁସ୍ଥ ଓ ସ୍ୱଚ୍ଛ ପରିବେଶ ଗଠନରେ ବିଶେଷ ସହାୟକ ହୋଇଥାଏ।
ଏଥିରୁ ଯାହା ବର୍ଜ୍ୟବସ୍ତୁ ବାହାରେ ତାହା ଧୀରେ ଧୀରେ କମ୍ପୋଷ୍ଟରେ ପରିଣତ ହୋଇ ଉତ୍ତମ ସାରରେ ପରିଣତ ହୋଇଥାଏ। ଖାଲି ପରିବା ଚୋପା ନୁହେଁ ଆମେ ବ୍ୟବହାର କରି ଫିଙ୍ଗିଦେଉଥିବା ଚାହା ପତି ମଧ୍ୟ ପ୍ରକୃତି ପାଇଁ ବରଦାନ ସଦୃଶ। ଯାହାକୁ ଅଳିଆ ଭାବି ଲୋକେ ଫିଙ୍ଗି ଦିଅନ୍ତି ତାହା ପ୍ରକୃତରେ ଗଛ ପାଇଁ ଏକ ସମ୍ପତ୍ତି। ଅପ୍ରାକୃତିକ ଭାବେ ତିଆରି ହେଉଥିବା ସାର ଠାରୁ ଲକ୍ଷେ ଗୁଣା ଭଲ ଚୋପାରୁ ପ୍ରସ୍ତୁତ ସାର।
ଆମେ ପ୍ରତିବର୍ଷ ଜୁନ୍ ୫ ତାରିଖକୁ ”ବିଶ୍ୱ ପରିବେଶ ଦିବସ” ପାଳନ କରିଥାଉ ଆଉ ତାପରେ ପରିବେଶକୁ ପ୍ରତିଦିନ ନଷ୍ଟ ମଧ୍ୟ କରିଥାଉ। କେମିକାଲରେ ପ୍ରସ୍ତୁତ ସାରର ଅତ୍ୟଧିକ ପରିମାଣର ବ୍ୟବହାର ଫଳରେ ଗଛ ଠିକରେ ବଢି ନଥାଏ ଓ ଉପଯୁକ୍ତ ପୋଷଣ ନ ମିଳିବାରୁ ଗଛ ମରିଯାଏ। ଏହାଦ୍ୱାରା ପରିବେଶ ଉପରେ ବଡ ପ୍ରଭାବ ପଡିଥାଏ। ଗଛ ଲୋପ ପାଇବାରୁ ପରିବେଶ ଦିନକୁ ଦିନ ବିଗୁଡୁଛି। ଫଳରେ ଧୀରେ ଧୀରେ ନଷ୍ଟ ହେବାକୁ ବସିଲାଣି ସବୁଜ ସୁନ୍ଦର ଜଙ୍ଗଲ।
କିନ୍ତୁ ଆପଣ ଚାହିଁଲେ ଘରେ ବସି ଏହି ଅଳିଆକୁ ମୂଲ୍ୟବାନ “କଳା ସୁନା”ରେ ପରିଣତ କରିପାରିବେ। କଳା ସୁନା ଅର୍ଥାତ ପ୍ରାକୃତିକ କମ୍ପୋଷ୍ଟ। ଯାହାକି ରୋଷେଇ ଘରର ଅଳିଆ ଆବର୍ଜନାର ପ୍ରାକୃତିକ ପଚନରୁ ସୃଷ୍ଟି ହୁଏ। ନାଇଟ୍ରୋଜେନ୍, ଫସଫରସ୍ ଏବଂ ପୋଟାସିୟମ୍ ଭଳି ପୁଷ୍ଟିକର ତତ୍ତ୍ୱରେ ଭରପୂର, ଏହି କମ୍ପୋଷ୍ଟ ଗଛର ବୃଦ୍ଧି ପାଇଁ ଆଶ୍ଚର୍ଯ୍ୟଜନକ ଭାବେ କାର୍ଯ୍ୟ କରେ। ଏହାକୁ ବ୍ୟବହାର କରିବା ଦ୍ୱାରା ବଜାରରୁ ଆଉ ମହଙ୍ଗା ରାସାୟନିକ ସାର କିଣିବାର ଆବଶ୍ୟକତା ମଧ୍ୟ ପଡ଼ିବନି।
ଘରେ କମ୍ପୋଷ୍ଟ ତିଆରି କରିବାକୁ ଚାହୁଁଥିଲେ ଏକ ପୁରୁଣା ମାଟି ପାତ୍ର କିମ୍ବା ପ୍ଲାଷ୍ଟିକ୍ ବାଲ୍ଟିରେ ଛୋଟ ଛିଦ୍ର କରି ପାତ୍ରରେ ଶୁଖିଲା ପତ୍ର, କାଗଜ ଖଣ୍ଡ , ଶୁଖିଲା ମାଟିର ଏକ ସ୍ତର ତିଆରି କରନ୍ତୁ । ତାପରେ ସେଥିରେ ପନିପରିବା ଏବଂ ଫଳ ଚୋପା, ବଳକା ଚା ପତି ଏବଂ ଅଣ୍ଡା ଖୋଳ ମିଶାନ୍ତୁ। ଅଳିଆ ମିଶାଇବା ପରେ, ଉପରେ ଶୁଖିଲା ମାଟି ମିଶାନ୍ତୁ। ଏହି ସ୍ତର କମ୍ପୋଷ୍ଟକୁ ଦୁର୍ଗନ୍ଧ ହେବାରୁ ରୋକିଥାଏ ଏବଂ କୀଟପତଙ୍ଗ ବୃଦ୍ଧିକୁ ମଧ୍ୟ ରୋକିଥାଏ।ଏହାପରେ ଏକ ଛାଇ ସ୍ଥାନରେ ପାତ୍ରଟିକୁ ରଖନ୍ତୁ। ଆର୍ଦ୍ରତା ବଜାୟ ରଖିବା ପାଇଁ ଏଥିରେ ହାଲୁକା ପାଣି ଛିଞ୍ଚନ୍ତୁ।
ପ୍ରତି 4-5 ଦିନ ଅନ୍ତରରେ, ଏହାକୁ ଉପରକୁ ତଳକୁ ହଲାନ୍ତୁ ଯାହା ଦ୍ଵାରା ଏହା ଅମ୍ଳଜାନ ପାଇପାରିବ। ପ୍ରାୟ ୨ ରୁ ୩ ମାସ ମଧ୍ୟରେ, ଏହି ଅପଚୟ ସମ୍ପୂର୍ଣ୍ଣ ଭାବରେ ପଚିଯିବ ଏବଂ ପ୍ରାକୃତିକ କମ୍ପୋଷ୍ଟଯୁକ୍ତ କଳା ମାଟିରେ ପରିଣତ ହେବ । ତା’ପରେ ଆପଣଙ୍କ ଗଛ ପାଇଁ 100% ପ୍ରାକୃତିକ କମ୍ପୋଷ୍ଟ ପ୍ରସ୍ତୁତ। ଏହାକୁ ଗଛରେ ବ୍ୟବହାର କରି ଆପଣ ଅର୍ଗାନିକ ପନିପରିବା ପାଇପାରିବେ। ଏହି ପ୍ରାକୃତିକ ସାର ସ୍ୱଚ୍ଛ ପରିବେଶ ଏବଂ ସୁସ୍ଥ ଶରୀର ଉଭୟ ଗଠନରେ ବେଶ ସହାୟକ ହେବ।




