ସ୍ୱାମୀଙ୍କ ମୃତ୍ୟୁ ପରେ ଶୁଦ୍ଧକ୍ରିୟା କରିବା ପାଇଁ ଘର ଘର ବୁଲି ଭିକ୍ଷା ମାଗୁଛନ୍ତି ସ୍ତ୍ରୀ । ଘରେ ୨ଟି ଝିଅ ଥିବା ବେଳେ ତାଙ୍କ ଭବିଷ୍ୟତ ନେଇ ଚିନ୍ତାରେ ପଡ଼ିଛନ୍ତି ପୂର୍ଣ୍ଣିମା।
ଆଜି ତାଙ୍କ ମୁହଁରୁ ହଜି ଯାଇଛି ହସ। ମୁଣ୍ଡରୁ ଲିଭି ଯାଇଛି ସିନ୍ଦୁର। ଆଉ ପରିସ୍ଥିତି ତାଙ୍କୁ କରିଦେଇଛି ଭିକାରୁଣୀ। ବୁକୁଫଟାଇ କାନ୍ଦିବା ଛଡ଼ା ତାଙ୍କୁ ଆଉ କିଛି ବୁଦ୍ଧି ବାଟ ଦିଶୁନାହିଁ। ତାଙ୍କ ମୁଣ୍ଡ ଉପରେ ଛିଡ଼ି ପଡ଼ିଛି ଦୁଃଖର କଳାବାଦଲ। କାହିଁକି ନା ଯାହାକୁ ଭରସା କରି ୭ ଜନମ ଚାଲିବାର ପଣ ନେଇଥିଲେ। ସେହି ଇହ ଓ ପରକାଳର ଦେବତା ଆଜି ଅଧାବାଟରୁ ତାଙ୍କ ହାତ ଛାଡ଼ି ଚାଲିଯାଇଛନ୍ତି। ଆଉ ତାଙ୍କରି ଶୁଦ୍ଧକ୍ରିୟା ପାଇଁ ଘର ଘର ବୁଲି ଭିକ ମାଗୁଛି ସ୍ତ୍ରୀ।
ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ କୁରୁଣ୍ଟା ପଞ୍ଚାୟତ ରାଇକୁଳା ଗାଁର ପୂର୍ଣ୍ଣିମା ଶିଆଳ। ସ୍ୱାମୀ ଦୟାନିଧି ଶିଆଳ ଚାଲିଗଲା ପରେ ଅସହାୟ ହୋଇପଡ଼ିଛନ୍ତି ସେ। ଆଉ ଦୟାନିଧୀଙ୍କ ଶୁଦ୍ଧକ୍ରିୟା କରିବା ପାଇଁ ଘର ଘର ବୁଲି ଭିକ୍ଷା ମାଗୁଛନ୍ତି। ପୂର୍ଣ୍ଣିମାଙ୍କ ଦୁଃଖ ସହି ପାରୁନାହାନ୍ତି ଗ୍ରାମବାସୀ। କିଏ ଚାଉଳ ମୁଠାଇ ଦେଉଛନ୍ତି ତ କିଏ ତାଙ୍କୁ କୋଳାଇ ନେଇ ତାଙ୍କ ଦୁଃଖ ବାଣ୍ଟିବାକୁ ଚେଷ୍ଟା କରୁଛନ୍ତି।
ଅଧିକ ପଢନ୍ତୁ: ସ୍ବାମୀ ନିଖୋଜ, ପୋଲିସ୍ କହୁଛି ନିଜେ ଖୋଜ
Also Read
ଦୟାନିଧି ଗାଁରେ ରାଜମିସ୍ତ୍ରୀ ଭାବେ କାର୍ଯ୍ୟ କରୁଥିବା ବେଳେ କିଡନୀ ଓ ଲିଭର ଜନିତ ରୋଗରେ ଆକ୍ରାନ୍ତ ହୋଇ ଦୁଇ ବର୍ଷ ହେବ ଶଯ୍ୟାଶାୟୀ ଥିଲେl ପତ୍ନୀ ପୂର୍ଣ୍ଣିମା ଧାର କରଜ କରି ସ୍ୱାମୀଙ୍କୁ ସୁସ୍ଥ କରିବା ପାଇଁ ବିଭିନ୍ନ ମେଡ଼ିକାଲରେ ଚିକିତ୍ସା କରିଥିଲେ ମଧ୍ୟ କିଛି ସୁଫଳ ମିଳି ନଥିଲାl ଆଉ ଦୟାନିଧିଙ୍କର ମୃତ୍ୟୁ ଘଟିଥିଲାl ହେଲେ ଚିକିତ୍ସାରେ ସବୁ ପଇସା ଖର୍ଚ୍ଚ ହୋଇଯାଇଥିବାରୁ ଶୁଦ୍ଧକ୍ରିୟା ପାଇଁ ପାଖରେ ଟଙ୍କାଟିଏ ନାହିଁ। ତେଣୁ ଘର ଘର ବୁଲି ଗ୍ରାମବାସୀଙ୍କୁ ସାହାଯ୍ୟ ମାଗୁଛନ୍ତି ପୂର୍ଣ୍ଣିମା। ସମସ୍ତେ ନିଜ ସକ୍ଷ ହିସାବରେ ତାଙ୍କୁ ସାହାଯ୍ୟ କରିବାକୁ ଚେଷ୍ଟା କରୁଛନ୍ତି।
ଦୟାନିଧିଙ୍କ ମୃତ୍ୟୁ ପରେ ବେସାହାରା ହୋଇପଡ଼ିଛନ୍ତି ପରିବାରl ଘରେ ୨ଟି ଝିଅ ଥିବା ବେଳେ ତାଙ୍କ ଭବିଷ୍ୟତ ନେଇ ଚିନ୍ତାରେ ପଡ଼ିଛନ୍ତି ପୂର୍ଣ୍ଣିମା। ତେଣୁ ଦୟାନିଧିଙ୍କ ପରିବାର ସରକାର ସାହାଯ୍ୟ କରନ୍ତୁ ବୋଲି ଗ୍ରାମବାସୀ ଅନୁରୋଧ କରିଛନ୍ତି ।
ପରିବାରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ଅକାଳରେ ଚାଲିଯିବାରୁ ପରିବାର ଅଣ୍ଟା ଭାଙ୍ଗିଯାଇଛି। ସରକାର ଓ କେହି ସହୃଦୟ ବ୍ୟକ୍ତି କିମ୍ୱା ଅନୁଷ୍ଠାନ ସାହାଯ୍ୟ କଲେ ପୁଣି ଅଣ୍ଟାସଳଖି ଚାଲିପାରିବ ପରିବାର ।




