କୋଲକାତା ୨୮।୩: ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସ (ଟିଏମସି) ଓ ଭାରତୀୟ ଜନତା ପାର୍ଟି (ବିଜେପି) ମଧ୍ୟରେ ରାଜନୈତିକ ବୟାନବାଜୀ ଏବେ ଚାର୍ଜସିଟ୍ ଯୁଦ୍ଧରେ ପରିଣତ ହୋଇଛି। ଉଭୟ ଦଳ ମାତ୍ର କିଛି ଘଣ୍ଟା ଅନ୍ତରରେ ପରସ୍ପର ବିରୋଧରେ ଚାର୍ଜସିଟ୍ ଜାରି କରିବା ପରେ ଆଗାମୀ ନିର୍ବାଚନକୁ ନେଇ ରାଜ୍ୟରେ ରାଜନୈତିକ ପ୍ରତିଦ୍ୱନ୍ଦ୍ୱୀତା ଉଗ୍ର ରୂପ ଧାରଣ କରିଛି। କେନ୍ଦ୍ର ଗୃହମନ୍ତ୍ରୀ ଶନିବାର କୋଲକାତାରେ ତୃଣମୂଳ ସରକାରଙ୍କ ଉପରେ ଦୁର୍ନୀତି, ରାଜନୈତିକ ହିଂସା, ମହିଳାଙ୍କ ସୁରକ୍ଷା ଅଭାବ ଓ ଅବୈଧ ଅନୁପ୍ରବେଶ ସମେତ ଅନେକ ଗୁରୁତର ଆରୋପ ଲଗାଇଛନ୍ତି। ସେ କହିଛନ୍ତି ଯେ ରାଜ୍ୟରେ ଟିଏମସି ସରକାର ବିରୋଧରେ ବିଜେପି ଜନତାଙ୍କ ସ୍ୱର ହେବା ପାଇଁ ସଂକଳ୍ପ କରିଛି।
ଆଗ ମଣିପୁର ବିଫଳତାର ଜବାବ ରଖନ୍ତୁ
ଅମିତ ଶାହ ଟିଏମସି ବିରୋଧରେ ଚାର୍ଜସିଟ୍ ଜାରି କରିବା ପରେ ବରିଷ୍ଠ ଟିଏମସି ନେତ୍ରୀ ମହୂଆ ମୋଇତ୍ରା, ବ୍ରତ୍ୟ ବସୁ ଓ କିର୍ତ୍ତି ଆଜାଦ ଏକ ମିଳିତ ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ଏଥିରେ ଟିଏମସି ପକ୍ଷରୁ ଶାହଙ୍କ ଚାର୍ଜସିଟ୍ ର କାଉଣ୍ଟର ଚାର୍ଜିସିଟ୍ ଜାରି କରାଯାଇଛି। ଟିଏମସି ନେତାମାନେ କହିଛନ୍ତି ଯେ ଶାହଙ୍କ ଚାର୍ଜସିଟ୍ ଭୋଟରଙ୍କ ମନରେ ଭ୍ରମ ସୃଷ୍ଟି କରିଛି। ତେବେ ବେଙ୍ଗଲ ଉପରେ ଅଙ୍ଗୁଳି ଉଠାଇବା ପୂର୍ବରୁ ଦେଶର ବିଜେପି ଶାସିତ ରାଜ୍ୟମାନଙ୍କ କଥା ଆଗ ଦେଖା ଯାଉ। ମଣିପୁର ପ୍ରସଙ୍ଗରେ କେନ୍ଦ୍ର ନିଜର ବିଫଳତାର ଜବାବ ଦେଉ। ବ୍ରତ୍ୟ ବସୁ କହିଛନ୍ତି ଯେ ମଣିପୁରରେ ଲଗାତାର ୩ ବର୍ଷ ହେଲା ହିଂସା ଜାରି ରହିଛି, ଯାହା ଉପରେ କେନ୍ଦ୍ର ଏ ପର୍ଯ୍ୟନ୍ତ କୌଣସି ଜବାବ ଦେଉ ନାହିଁ। ଏଥିରେ ବସୁ ଗୃହମନ୍ତ୍ରୀଙ୍କ ନୈତିକତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି। କହିଛନ୍ତି ଯିଏ ୩ ବର୍ଷ ହେଲା ଜଳୁଥିବା ରାଜ୍ୟକୁ ଶାନ୍ତ କରିପାରି ନାହାନ୍ତି ଅନ୍ୟ ରାଜ୍ୟଙ୍କ ଉପରେ ମନ୍ତବ୍ୟ ଦେବାକୁ ତାଙ୍କର ନୈତିକତା ଆସିଲା କୁଆଡୁ?
ଅମିତ ଶାହଙ୍କୁ କଲେ ଟାର୍ଗେଟ୍
ଟିଏମସି ଶାହଙ୍କ ଚାର୍ଜସିଟ୍ ଉପରେ ପାଲଟା ଆକ୍ରମଣ କରି ନିଜର ଚାର୍ଜସିଟ୍ ଜାରି କରିଛି, ଯେଉଁଥିରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଟାର୍ଗେଟ କରାଯାଇଛି। ତାଙ୍କୁ ଜାତୀୟ ସୁରକ୍ଷା ଓ ଅବୈଧ ଅନୁପ୍ରବେଶ ରୋକିବାରେ ବିଫଳତା ପାଇଁ ଜବାବ ମଗାଯାଇଛି। ଟିଏମସି କହିଛି ଯେ ପଶ୍ଚିମବଙ୍ଗ ନିର୍ବାଚନ ପୂର୍ବରୁ ବିଜେପି ଏହି ପ୍ରସଙ୍ଗରୁ ରାଜନୈତିକ ଲାଭ ନେବାକୁ ଉଦ୍ୟମ କରୁଛି, ଯେତେବେଳେ ଏହା କେନ୍ଦ୍ରୀୟ ପ୍ରସଙ୍ଗ ଦୋଷକୁ ରାଜ୍ୟ ଉପରେ ଥୋପିବାକୁ ଚେଷ୍ଟା କରୁଛି ବୋଲି ଟିଏମସି ଅଭିଯୋଗ କରିଛି।
ବିଜେପି ନଜରରେ ସବୁ ବଙ୍ଗାଳୀ ଅପରାଧୀ
ସାଂସଦ ମହୂଆ ମୋଇତ୍ରା ତୀବ୍ର ପ୍ରତିକ୍ରିୟା ବ୍ୟକ୍ତ କରି କହିଛନ୍ତି ଯେ ଅମିତ ଶାହ ସବୁ ବଙ୍ଗାଳୀଙ୍କୁ ଅପରାଧୀ ଘୋଷଣା କରିଛନ୍ତି। ଏହା ବି ସେ ୪ଟି ପର୍ଯ୍ୟାୟରେ କରିଛନ୍ତି। ପ୍ରଥମେ ଅପମାନ, ପୁଣି ବଞ୍ଚିତ କରିବା, ଅପାରଧୀ କରିବା ଓ ପରେ ହଇରାଣ କରି ବଙ୍ଗାଳୀଙ୍କଠାରୁ ରାଗ ସୁଝାଉଥିବା କହିଛନ୍ତି। ଏହି ଅବସରରେ ମୋଇତ୍ରା ଇଡିର କାର୍ଯ୍ୟ ପ୍ରଣାଳୀ ଉପରେ ପ୍ରଶ୍ନ ଉଠାଇଛନ୍ତି। ଇଡି ତାଙ୍କୁ ରିପୋର୍ଟ କରୁଛି। ଏ ପର୍ଯ୍ୟନ୍ତ ଇଡି ୬ହଜାର ମାମଲା ରୁଜୁ କରିଛି, ଯାହାର ୯୮% କେବଳ ବିରୋଧୀ ଦଳ ନେତାଙ୍କ ବିରୋଧରେ ହୋଇଛି। ଇଡି ମାତ୍ର ୨୫ ଜଣଙ୍କୁ ଏପର୍ଯ୍ୟନ୍ତ ଦୋଷୀ ସାବ୍ୟସ୍ତ କରିପାରିଛି, ଯାହାର ମୋଟ ସଫଳତା ହାର ୦.୪୨% ବୋଲି ମୋଇତ୍ରା କହିଛନ୍ତି।
#WATCH | Kolkata | TMC releases chargesheet against BJP
Earlier today, Union Home Minister Amit Shah released a chargesheet against the TMC-led state government pic.twitter.com/86mfiPFN7r
— ANI (@ANI) March 28, 2026
ଇଂରେଜଙ୍କ ବିରୋଧରେ ଲଢିଛନ୍ତି ବଙ୍ଗାଳୀ
ଟିଏମସି ସାଂସଦ ବେଙ୍ଗଲୀଙ୍କ ଗୌରବଶାଳୀ ଇତିହାସର ବର୍ଣ୍ଣାନା କରିଛନ୍ତି। କହିଛନ୍ତି ବଙ୍ଗାଳୀ ଖୁବ୍ ସ୍ୱାଭିମାନୀ, ଇଂରେଜଙ୍କ ବିରୋଧରେ ସ୍ୱାଧୀନତା ଲଢେଇର ଆମେ ନେତୃତ୍ୱ ନେଇଛୁ, ଗୁଜୁରାଟି କେଉଁଠି ଥିଲେ? ମୋଇତ୍ରା କହିଛନ୍ତି ଯେ କଳାପାଣିରେ ପ୍ରାଣ ହରାଇଥିବା ଓ ବନ୍ଦୀଥିବା ୬୮% ବଙ୍ଗାଳୀ ଥିଲେ, ଏହା ପଛକୁ ପଞ୍ଜାବୀ ଥିଲେ। ଏଥିରେ ଆପଣ ଏପରି ଜଣେ ଗୁଜରାଟିର ନାମ କହି ପାରିବେ ଯିଏ କଳାପାଣିରେ ଥିଲା। ବିଜେପିର ବଡ଼ ନାୟକ ବୀର ସାଭରକରଙ୍କୁ ଛାଡି ଦେଲେ ଆଉ କିଏ ଥିଲେ କୁହ? ସେ ବି କେବଳ କ୍ଷମା ଯାଚନା ଲେଖୁଥିଲେ।
ଅବୈଧ ପ୍ରବାସୀଙ୍କୁ ନିର୍ବାସନ କରୁନ କାହିଁକି?
ଟିଏମସି ବିଜେପି ନିୟନ୍ତ୍ରିତ ନିର୍ବାଚନ ଆୟୋଗଙ୍କ ଉପରେ ମଧ୍ୟ ଆରୋପ ଲଗାଇଛି। ମୋଇତ୍ରା କହିଛନ୍ତି ଯେ ନିର୍ବାଚନ ଆୟୋଗ ଆଜି ପର୍ଯ୍ୟନ୍ତ ସେହି ବିଦେଶୀ ନାଗରିକଙ୍କ ସୂଚୀ ଜାରି କରି ନାହାନ୍ତି ଯେଉଁମାନଙ୍କର ନାମ ଭୋଟର ଲିଷ୍ଟରେ ଥିବାର କୁହାଯାଇଛି। ଟିଏମସି ପ୍ରଶ୍ନ କରିଛି ଯେ ଦେଶର ସୀମାବର୍ତ୍ତି ରାଜ୍ୟମାନଙ୍କରେ ବିଜେପି ଶାସନ ଥିବା ସତ୍ତ୍ୱେ କେନ୍ଦ୍ର ଗୃହମନ୍ତ୍ରାଳୟ ଅବୈଧ ପ୍ରବାସୀଙ୍କ ଚିହ୍ନଟ ଓ ନିର୍ବାସନ କାହିଁକି କରୁନି? ନିର୍ବାଚନ ଭୋଟର ଲିଷ୍ଟରେ କଥିତ ବିଦେଶୀଙ୍କ ନାମ ସାର୍ବଜନିକ କାହିଁକି କରାଯାଉନି?
ବିଜେପି ହାତରେ ଗୃହମନ୍ତ୍ରାଳୟ ଅନୁପ୍ରବେଶ ରୋକିବ କିଏ?
ଶାହ ପଶ୍ଚିମବଙ୍ଗକୁ ଦେଶର ସବୁଠୁ ବଡ଼ ଅନୁପ୍ରବେଶ କରିଡୋର ବୋଲି କହିଛନ୍ତି। ଏହାକୁ ଟିଏମସି କାଉଣ୍ଟର କରିଛି। ବ୍ରତ୍ୟ ବସୁ କହିଛନ୍ତି ଯେ ଦେଶର ସୀମା ଉପରେ ନିୟନ୍ତ୍ରଣ କେନ୍ଦ୍ର ସରକାରଙ୍କର ଓ ସୀମା ସୁରକ୍ଷା ବଳ ଗୃହମନ୍ତ୍ରାଳୟଙ୍କ ଅଧୀନରେ ସେ ପ୍ରଶ୍ନ କରିଛନ୍ତି ଯେତେବେଳେ ସୀମା ସୁରକ୍ଷା ବଳ ଓ ଗୃହମନ୍ତ୍ରାଳୟ ସରକାରଙ୍କ ହାତରେ ତେବେ ଅନୁପ୍ରବେଶ ରୋକିବ କିଏ?
ବେଙ୍ଗଲୀ ସଂସ୍କୃତି ସହ ଖେଳୁଛି ବିଜେପି
ଟିଏମସି ନେତାମାନେ କହିଛନ୍ତି ଯେ ପ୍ରତି ନିର୍ବାଚନ ପୂର୍ବରୁ ପଶ୍ଚିମବଙ୍ଗରେ ବଙ୍ଗାଳୀ ବନାମ ବାଂଲାଦେଶୀ ବିତର୍କ ଆରମ୍ଭ କରି ବିଜେପି ବଙ୍ଗାଳୀଙ୍କୁ ବାଣ୍ଟିବାକୁ ଉଦ୍ୟମ କରୁଛି। ଟିଏମସି ନେତାମାନେ କହିଛନ୍ତି ଯେ ବିଜେପି ବେଙ୍ଗଲର ସଂସ୍କୃତି ସହିତ ଖେଳୁଛି ଓ ରାଜ୍ୟରେ ବି ଆସମ ଭଳି ଡିଟେନସନ କ୍ୟାମ୍ପ ମଡେଲ ଲାଗୁ କରିବାକୁ ଚାହୁଁଛି। ଟିଏମସି ଏହାକୁ ବିଜେପିର ରାଜନୈତିକ ଧ୍ରୁବିକରଣ ଏଜେଣ୍ଡା ବୋଲି କହିଛି।




