Visa Application Center: ବରମୁଣ୍ଡାରେ ଖୋଲିବ ଭିସା ଆବେଦନ କେନ୍ଦ୍ର, ତ୍ରିପାକ୍ଷିକ ଚୁକ୍ତି ସ୍ଵାକ୍ଷରିତ

visa-application-center:-ବରମୁଣ୍ଡାରେ-ଖୋଲିବ-ଭିସା-ଆବେଦନ-କେନ୍ଦ୍ର,-ତ୍ରିପାକ୍ଷିକ-ଚୁକ୍ତି-ସ୍ଵାକ୍ଷରିତ

ଭୁବନେଶ୍ଵର: ଓଡ଼ିଶାବାସୀଙ୍କ ପାଇଁ ଖୁସି ଖବର। ଭିସା ପାଇଁ ଏବେ ଆଉ ଯିବାକୁ ପଡ଼ିବନି ବାହାର ରାଜ୍ୟୁ। ବରମୁଣ୍ଡାରେ ଖୋଲିବ ଭିଏଫଏସ ଅଫିସ। ଓଡ଼ିଶାରେ ଭିସା ସେବାକୁ ଉନ୍ନତ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯାଇଛି। ଏନେଇ ଆଜି ବିଡିଏ ମୁଖ୍ୟାଳୟରେ ଗୃହ ବିଭାଗ, ଭୁବନେଶ୍ୱର ଉନ୍ନୟନ କର୍ତୃପକ୍ଷ (ବିଡିଏ) ଏବଂ ଭିଏଫଏସ୍ ଗ୍ଲୋବାଲ୍ ମଧ୍ୟରେ ଏକ ତ୍ରିପାକ୍ଷିକ ଚୁକ୍ତି ସ୍ୱାକ୍ଷରିତ ହୋଇଛି। ଏହି ଚୁକ୍ତି ଅନୁଯାୟୀ ବାବାସାହେବ ଭୀମରାଓ ଆମ୍ବେଦକର ବସ୍ ଟର୍ମିନାଲ (ବିଏସ୍ଏବିଟି) ଠାରେ ଏକ ଭିସା ଆବେଦନ କେନ୍ଦ୍ର (ଭିଏସି) ସ୍ଥାପନ କରାଯିବ। ଓଡ଼ିଶା ସମେତ ଅନ୍ୟ ରାଜ୍ୟବାସୀଙ୍କୁ ଏହାର ସୁବିଧା ମିଳିବ।

ଭିସା ପାଇଁ ବାହାରକୁ ଯିବାକୁ ପଡ଼ୁଛି

ବିଏସ୍ଏବିଟିରେ କେନ୍ଦ୍ରଟି ସ୍ଥାପନ ପାଇଁ ରାଜ୍ୟ ସରକାର ପ୍ରାୟ ୩,୦୦୦ ବର୍ଗଫୁଟ୍ ସ୍ଥାନ ପ୍ରଦାନ କରିବେ। ବର୍ତ୍ତମାନ ଓଡ଼ିଶାବାସୀଙ୍କୁ ଭିସା ସେବା ପାଇଁ କୋଲକତା, ଦିଲ୍ଲୀ କିମ୍ବା ହାଇଦ୍ରାବାଦ ଭଳି ସହରକୁ ଯିବାକୁ ପଡ଼ୁଛି। ନୂଆ ସୁବିଧା ଯୋଗୁଁ ଏଭଳି ଯାତ୍ରାର ଆବଶ୍ୟକତା ଦୂର ହେବ ଏବଂ ସ୍ଥାନୀୟଭାବେ ପ୍ରକ୍ରିୟାଟି ଅଧିକ ସୁଗମ ହେବ। ପ୍ରସ୍ତାବିତ କେନ୍ଦ୍ରଟି ବରମୁଣ୍ଡାସ୍ଥିତ ବିଏସ୍ଏବିଟିରେ ସ୍ଥାପନ ନେଇ ଗୃହ ବିଭାଗର ଅତିରିକ୍ତ ସଚିବ ସୌରମେନ୍ଦ୍ର ପାତ୍ର, ବିଡିଏ ସଚିବ ମାନସ ରଞ୍ଜନ ପାଢ଼ୀ ଏବଂ ଭିଏଫଏସ୍ ଗ୍ଲୋବାଲ୍ ଗ୍ରୁପ୍ର ଆସୋସିଏଟ୍ ଭାଇସ୍ ପ୍ରେସିଡେଣ୍ଟ (ଆଡମିନିଷ୍ଟ୍ରେସନ୍, ଦକ୍ଷିଣ ଏସିଆ) ଭିନି ଜନଙ୍କ ମଧ୍ୟରେ ଏକ ଚୁକ୍ତି ପତ୍ର ସ୍ୱାକ୍ଷରିତ ହୋଇଛି।

Also Read: OTET 2026 exam: ମେ ୨୯ ତାରିଖରେ OTET- ୨୦୨୬ ପରୀକ୍ଷା, ବିଜ୍ଞପ୍ତି ପ୍ରକାଶ କଲା BSE

ଏହି ଉଦ୍ୟମ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ଦ୍ୱାରା ଡିସେମ୍ବର ମାସରେ ରାଜ୍ୟରେ ଭିସା ଆବେଦନ କେନ୍ଦ୍ର ସ୍ଥାପନ ପାଇଁ ଦିଆଯାଇଥିବା ଅନୁମୋଦନ ପରେ ଆଗକୁ ବଢ଼ିଛି। ଏହି କେନ୍ଦ୍ରଟି ଖୁବ ଶୀଘ୍ର କାର୍ଯ୍ୟକ୍ଷମ ହେବ ବୋଲି ସୂଚନା ମିଳିଛି। ଏହାସହ ଅନ୍ୟଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ ବିଡିଏ ସଚିବ ମାନସ ରଞ୍ଜନ ପାଢ଼ୀ ଏବଂ ଓସିଏସିର ପ୍ରଶାସନିକ ଅଧିକାରୀ ମିଲି ସାମନ୍ତରାୟଙ୍କ ଉପସ୍ଥିତିରେ ବିଡିଏ ଏବଂ ଓଡ଼ିଶା କମ୍ପ୍ୟୁଟର ଆପ୍ଲିକେସନ୍ ସେଣ୍ଟର (ଓସିଏସି) ମଧ୍ୟରେ ଆଉ ଏକ ଚୁକ୍ତି ସ୍ୱାକ୍ଷର ହୋଇଛି ।

ଜାଗା ପାଇଁ ଓସିଏସିକୁ ମିଳିବ ଲିଜ୍

ଏହି ବ୍ୟବସ୍ଥା ଅନୁଯାୟୀ ବିଡ଼ିଏ ଟର୍ମିନାଲର ଦୁଇଟି ମହଲାର ପ୍ରାୟ ୭୭,୦୦୦ ବର୍ଗଫୁଟ୍ ଖାଲି ସ୍ଥାନ ଓସିଏସିକୁ ଲିଜ୍ ମାଧ୍ୟମରେ ପ୍ରଦାନ କରାଯିବ। ଓସିଏସି ଏହି ସ୍ଥାନକୁ ଆଇଟି କମ୍ପାନିଗୁଡ଼ିକୁ ବଣ୍ଟନ କରିବ। ପରିବହନ, ସେବା ଏବଂ ପ୍ରଯୁକ୍ତିକୁ ଏକାଠି କରି ଏକ ହବ୍ରେ ସଂଯୋଜନ କରିବା ଏହାର ମୁଖ୍ୟ ଉଦ୍ଦେଶ୍ୟ ହେବ।

Also Read: ପଶ୍ଚିମବଙ୍ଗ ନିର୍ବାଚନ ପାଇଁ ଓଡ଼ିଶା ନେତାଙ୍କୁ ଗୁରୁଦାୟିତ୍ଵ, ମନ୍ତ୍ରୀଠୁ ବିଧାୟକ ଆରମ୍ଭ କଲେଣି ପ୍ରଚାର

ବିଡିଏ ଉପାଧ୍ୟକ୍ଷ ଚଞ୍ଚଳ ରାଣା କହିଛନ୍ତି ଯେ ବିଏସ୍ଏବିଟି ଏକ ମିଶ୍ରିତ ପରିବହନ ଓ ବ୍ୟବସାୟ ହବ୍ ଭାବରେ ବିକଶିତ ହେବାକୁ ଯାଉଛି। ଏଠାରେ ଆଇଟି ଓ ଆଇଟିଇଏସ୍ କମ୍ପାନିଗୁଡ଼ିକ ସହିତ ଭିସା ଆବେଦନ କେନ୍ଦ୍ର ରହିବ। ଟର୍ମିନାଲରେ ଯାତ୍ରୀଙ୍କ ଆଗମନ ବୃଦ୍ଧି ପାଇଲେ ବିକ୍ରେତା ଏବଂ ଅନ୍ୟ ସମ୍ପୃକ୍ତ ପକ୍ଷମାନଙ୍କୁ ଲାଭ ମିଳିବ ବୋଲି ସେ ଉଲ୍ଲେଖ କରିଛନ୍ତି। ଏହି ଚୁକ୍ତିପତ୍ର ସ୍ଵାକ୍ଷର କାର୍ଯ୍ୟକ୍ରମରେ ସ୍ପେସିଆଲ ଅଫିସର (ବିଏସ୍ଏବିଟି) ଦେବାଶିଷ ରାଉତ, ମ୍ୟାନେଜର ଇତିକାନ୍ତ ମହାପାତ୍ର, ପିଏମୟୁ ଟିମ ଲିଡର ଅଜୟ ଝା ପ୍ରମୁଖ ଉପସ୍ଥିତ ଥିଲେ।

ପ୍ରାୟ ୧୧ ଏକର ଜମିରେ ବ୍ୟାପ୍ତ ବିଏସ୍ଏବିଟି ହେଉଛି ଓଡ଼ିଶାର ସବୁଠାରୁ ବଡ଼ ବସ୍ ଟର୍ମିନାଲ। ଏଠାରେ ଦୈନିକ ପ୍ରାୟ ୧,୫୦୦ରୁ ଅଧିକ ବସ୍ ଏବଂ ପ୍ରାୟ ୨୦,୦୦୦ ଯାତ୍ରୀ ଆସନ୍ତି, ଯାହା ଆନ୍ତଃରାଜ୍ୟ ଓ ଅନ୍ତଃଜିଲ୍ଲା ରୁଟ୍ଗୁଡ଼ିକୁ ପରିଚାଳନା କରେ। ଏହା ରାଜ୍ୟର ଏକ ପ୍ରମୁଖ ପରିବହନ କେନ୍ଦ୍ର ଭାବରେ ପରିଗଣିତ।

Scroll to Top