Vidyadhar Sahu Case:ଜବ୍ ଫ୍ରଡ୍ ଷଡ଼ଯନ୍ତ୍ରରେ ଫସିଗଲେ କି ଟ୍ୟାକ୍ସି ଡ୍ରାଇଭର ବିଦ୍ୟାଧର, ହତ୍ୟା ନୁହେଁ ଅପହରଣକାରୀଙ୍କ ନିର୍ଯାତନାରୁ ହାରିଲେ ଜୀବନ

vidyadhar-sahu-case:ଜବ୍-ଫ୍ରଡ୍-ଷଡ଼ଯନ୍ତ୍ରରେ-ଫସିଗଲେ-କି-ଟ୍ୟାକ୍ସି-ଡ୍ରାଇଭର-ବିଦ୍ୟାଧର,-ହତ୍ୟା-ନୁହେଁ-ଅପହରଣକାରୀଙ୍କ-ନିର୍ଯାତନାରୁ-ହାରିଲେ-ଜୀବନ

ଭୁବନେଶ୍ବର ଚନ୍ଦକାରୁ ଟ୍ୟାକ୍ସି ଡ୍ରାଇଭର ବିଦ୍ୟାଧର ସାହୁ ମୃତଦେହ ଉଦ୍ଧାର ମାମଲାରେ ବଡ଼ ଟୁଇଷ୍ଟ। ହତ୍ୟା ନୁହେଁ, ବରଂ ନିଜେ ଜୀବନ ହାରିଛନ୍ତି ବିଦ୍ୟାଧର।

 ଚାକିରି ନାଁରେ ଚୁନ ଲଗାଇବା ପଡ଼ିଲା ବଡ଼ ମହଙ୍ଗା। ଚାକିରି ଆଶାୟୀଙ୍କଠୁ ଟଙ୍କା ଆଦାୟ ସହ ଭୁଆଁ ବୁଲାଇବାରୁ ହେଲା ଭୟଙ୍କର ପରିଣାମ। ହତ୍ୟା ନୁହେଁ, ବରଂ ନିଜେ ଜୀବନ ହାରିଦେଲେ ଟ୍ୟାକ୍ସି ଡ୍ରାଇଭର୍ ବିଦ୍ୟାଧର। ଅପହରଣକାରୀଙ୍କ ହେପାଜତରେ ହିଁ ନିଜ ହାତରେ ନେଇଗଲେ ନିଜ ଜୀବନ। ଆଉ ଏହି ଅଭାବନୀୟ ମରଣ ପଛରେ ଜବ୍ ଫ୍ରଡ୍ ରାକେଟ୍ ଚଳାଉଥିବା ଲେଡି ମାଷ୍ଟରମାଇଣ୍ଡ ଜ୍ୟୋତ୍ସ୍ନାର ରହିଛି ବଡ଼ ହାତ।

କମିଶନରେଟ୍ ପୋଲିସର କହିବା କଥା, ଯାଜପୁର ଅଞ୍ଚଳରେ ଅପହରଣକାରୀଙ୍କ ନିର୍ଯାତନା ସହି ନପାରି ତାଙ୍କ ହେପାଜତରେ ଥିବାବେଳେ ହିଁ ବିଦ୍ୟାଧର ଜୀବନ ହାରିଦେଇଛନ୍ତି। ଏଭଳି ସ୍ଥିତିରେ ଅକଲଗୁଡୁମ୍ ଅବସ୍ଥାରେ ଥିବା ଅପହରଣକାରୀ ଶେଷରେ ଗିରଫଦାରୀ ଭୟରେ ମୃତଦେହକୁ ବିଦ୍ୟାଧରଙ୍କ ଟ୍ୟାକ୍ସିରେ ଧରି ଭୁବନେଶ୍ବର ଆଣିଥିଲେ।ଆଉ ପରିବାର ଲୋକେ ଯେମିତି ଡେଡବଡ଼ି ପାଇପାରିବେ, ସେହି ଚିନ୍ତା କରି ଚନ୍ଦକା NH କଡ଼ରେ ଗାଡ଼ି ସହ ରାସ୍ତାକଡ଼ରେ ଡେଡବଡ଼ି ଛାଡ଼ି ଖସି ପଳାଇଥିଲେ। 

Also Read

ଡ୍ୟୁଟିକି ଯାଇ ସେପଟେମ୍ବର ୧୫ରେ ନିଖୋଜ। ସେପଟେମ୍ବର ୧୯ରେ ବଡ଼ଗଡ଼ ଥାନାରେ ପତ୍ନୀଙ୍କ ଏତଲା। ବଡ଼ଗଡ଼ ପୋଲିସ ବି ଜାରି ରଖିଥିଲା ଖୋଳତାଡ଼। ତାହାରି ଭିତରେ ଶନିବାର ଚନ୍ଦକା ଅଞ୍ଚଳରୁ ମିଳିଥିଲା ବିଦ୍ୟାଧରଙ୍କ ଡେଡବଡ଼ି। ରାସ୍ତା ଉପରେ ଥୁଆ ହୋଇଥିଲା ଟାକ୍ସି। ଆଉ ସାଇଣ୍ଟିଫିକ୍ ଟିମ୍ ସହାୟତାରେ ତଦନ୍ତ କରୁ କରୁ କାର୍ ଭିତରୁ ଜବତ ଗୁରୁତ୍ବପୂର୍ଣ୍ଣ ଡକ୍ୟୁମେଣ୍ଟସରୁ ବଡ଼ଗଡ଼ ପୋଲିସ ପାଇଲା ଚାକିରି ନାଁରେ କୋଟି କୋଟି ଟଙ୍କା ଚଳୁ କରିଥିବାର ସୁରାଗ୍। ଯାହାର ମାଷ୍ଟରମାଇଣ୍ଡ ଜ୍ୟୋତ୍ସ୍ନା ନାମକ ଜଣେ ମହିଳା।

ଯେଉଁ ଜ୍ୟୋତ୍ସ୍ନା ପାଖରେ ଡ୍ରାଇଭର ଭାବେ ବିଦ୍ୟାଧର କାମ କରିବା ସହ ଜ୍ୟୋତ୍ସ୍ନାଙ୍କ ବରମୁଣ୍ଡା ସ୍ଥିତ ଜବ୍ କନସଲଟାନ୍ସି ଫାର୍ମର ସାଜିଥିଲେ ଏଜେଣ୍ଟ। ଚାକିରି ଆଶାୟୀଙ୍କଠାରୁ ଜ୍ୟୋତ୍ସ୍ନା ଠକିଥିଲେ ୫ କୋଟିରୁ ଅଧିକ ଟଙ୍କା। କିନ୍ତୁ ନା ଚାକିରି ଦେଲେ, ନା ଫେରାଇଥିଲେ ଟଙ୍କା। ବରଂ ସଂସ୍ଥା ଛାଡ଼ି ଫେରାର୍ ହୋଇଯାଇଥିଲେ। ଶେଷରେ ଗଜପତି ଜିଲ୍ଲାର କିଛି ଚାକିରି ଆଶାୟୀ ବିଦ୍ୟାଧରଙ୍କୁ ଅପହରଣ କରିନେଇଗଲେ ଯାଜପୁର ଅଞ୍ଚଳକୁ। ଆଉ ଦାବି କରିଥିଲେ ଟଙ୍କା ଫେରାଅ, ନଚେତ ତମ ଜ୍ୟୋତ୍ସ୍ନା ମ୍ୟାଡାମଙ୍କୁ ଆଣ। ଏଥିରେ ବିଫଳ ହେବାରୁ ଓ ନିର୍ଯାତନା ସହିନପାରି ଶେଷରେ ଅପହରଣକାରୀଙ୍କ ହେପାଜତରେ ହିଁ ବିଦ୍ୟାଧର ଜୀବନ ହାରିଦେଇଥିବା କହିଛନ୍ତି ତାଙ୍କ ଭାଇ। 

ତେବେ କିଏ ଏହି ଜବ୍ ଫ୍ରଡ୍ କୁଇନ୍ ଜ୍ୟୋତ୍ସ୍ନା ? କେବେଠୁ ଓ କାହା ଛତ୍ରଛାୟାରେ ବରମୁଣ୍ଡା ଭଳି ଅଞ୍ଚଳରେ ଚଳାଇ ଆସୁଥିଲା ଜବ୍ କନସଲଟାନ୍ସି ଫାର୍ମ ? ଏହି ରାକେଟରେ ଆଉ କାହାର ରହିଛି ସଂପୃକ୍ତି ? ନାନା ପ୍ରଶ୍ନ ଭିତରେ କମିଶନରେଟ୍ ପୋଲିସ ବିଦ୍ୟାଧରଙ୍କ ମୃତ୍ୟୁର ରହସ୍ୟ ସହ ଜ୍ୟୋତ୍ସ୍ନାକୁ ଧରିବା ପାଇଁ ଜାଲ ବିଛାଇଛି। ତା’ସହ ମାମଲାରେ ୩ ଜଣଙ୍କୁ ଧରି ପୋଲିସ ଖୋଳତାଡ଼ କରୁଛି।      

ବିଦ୍ୟାଧରଙ୍କ ମୃତ୍ୟୁ ରହସ୍ୟ ତ ଚୁଡ଼ାନ୍ତ ତଦନ୍ତ ପରେ ସ୍ପଷ୍ଟ ହେବ। କିନ୍ତୁ ରାଜଧାନୀରେ ଚାକିରି ନାଁରେ ଜ୍ୟୋତ୍ସ୍ନା ମାଡ଼ାମଙ୍କ ମହାଚଞ୍ଚକତା ଏବେ ଚାଞ୍ଚଲ୍ୟ ସୃଷ୍ଟି କରିଛି। 

Scroll to Top