USର ଯୁଦ୍ଧ ସ୍ଥଗିତ ନିଷ୍ପତ୍ତିକୁ ତେହେରାନର ଉପହାସ, ଜାଣନ୍ତୁ କହିଛି କ’ଣ?

usର-ଯୁଦ୍ଧ-ସ୍ଥଗିତ-ନିଷ୍ପତ୍ତିକୁ-ତେହେରାନର-ଉପହାସ,-ଜାଣନ୍ତୁ-କହିଛି-କ’ଣ?

ତେହେରାନ ୨୩।୩ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଘୋଷଣାରେ ଆଗାମୀ ୫ ଦିନ ପର୍ଯ୍ୟନ୍ତ ଇରାନର ପାୱାର ପ୍ଲାଣ୍ଟ ଆକ୍ରମଣ ନିଷ୍ପତ୍ତିକୁ ଟାଳିଛନ୍ତି। ଟ୍ରମ୍ପ ଶନିବାର ଘୋଷଣା କରିଥିଲେ ଯେ ଯଦି ହୋର୍ମୁଜକୁ ଇରାନ ଆଗାମୀ ୪୮ ଘଣ୍ଟାରେ ନ ଖୋଲେ ତେବେ ଆମେରିକା ତାର ପାୱାର ପ୍ଲାଣ୍ଟ ଓ ଭିତ୍ତିଭୂମି ଉପରେ ଆକ୍ରମଣ କରିବ। ଟ୍ରମ୍ପଙ୍କ ଏହି ଘୋଷଣା ବିଶ୍ୱର ଉଦବେଗ ବଢାଇ ଦେଇଥିଲା। କାରଣ ଟ୍ରମ୍ପ ଦେଇଥିବା ମହଲତ ୨୩ ମାର୍ଚ୍ଚ ସୋମବାର ସମାପ୍ତ ହେଉଥଲା। ଏଥିରେ ଟ୍ରମ୍ପ ୫ ଦିନ ପର୍ଯ୍ୟନ୍ତ ନିଷ୍ପତ୍ତି ଟାଳିବା ବିଶ୍ୱକୁ ଆଶ୍ୱସ୍ତ କରିଛି, ହେଲେ ତେହେରାନ ଆମେରିକାକୁ ଉପହାସ କରିଛି।

କାହିଁକି ଏପରି ନିଷ୍ପତ୍ତି ନେଲେ ଟ୍ରମ୍ପ
ଟ୍ରମ୍ପ ଟ୍ରୁଥ ସୋସାଲରେ ଉଲ୍ଲେଖ କରିଛନ୍ତି ଯେ ‘ମୁଁ ଏହା ଜଣାଇବାକୁ ଖୁସି ଅନୁଭବ କରୁଛି ଯେ ଯୁକ୍ତରାଷ୍ଟ୍ର ଆମେରିକା ଓ ଇରାନ ଗତ ଦୁଇଦିନ ହେଲା ମଧ୍ୟପ୍ରାଚ୍ୟରେ ଆମ ଶତ୍ରୁତାର ପୂର୍ଣ୍ଣ ଓ ସମଗ୍ର ସମାଧାନ ନିମନ୍ତେ ବହୁତ ଭଲ ଓ ସାର୍ଥକ ଆଲୋଚନା ହୋଇଛି। ଏହି ଗହନ, ବିସ୍ତୃତ ଓ ରଚନାତ୍ମକ ବାର୍ତ୍ତା (ଯାହା ପୁରା ସପ୍ତାହ ବ୍ୟାପୀ ଜାରି ରହିବ) ର ସ୍ୱରୂପକୁ ନଜରରେ ରଖି ମୁଁ ଯୁଦ୍ଧ ବିଭାଗକୁ ଏହି ନିର୍ଦ୍ଦେଶ ଦେଇଛି ଯେ ଇରାନର ପାୱାର ପ୍ଲାଣ୍ଟ ଓ ଭିତ୍ତିଭୂମି ଉପରେ ସବୁ ପ୍ରକାର ସାମରିକ ଆକ୍ରମଣକୁ ୫ ଦିନ ପର୍ଯ୍ୟନ୍ତ ରୋକି ଦିଆଯାଉ’।

🚨 #BREAKING
Trump, fearing Iran’s response, backed down from his 48-hour ultimatum:
‘I told the Department of Defense not to carry out any attacks on Iran’s energy infrastructure for the time being’ https://t.co/XIGrdtIPKE

— IRIB (Islamic Republic of Iran Broadcasting) (@iribnews_irib) March 23, 2026

ଟ୍ରମ୍ପଙ୍କୁ କ’ଣ କହିଛି ଇରାନ?
ଟ୍ରମ୍ପଙ୍କ ବୟାନ ଉପରେ ଇତିମଧ୍ୟରେ ଇରାନର ଅଧିକାରୀକ ବୟାନ ଆସିଯାଇଛି। ଇରାନ ଜାତୀୟ ସୁରକ୍ଷା ଓ ବିଦେଶ ନୀତି ଆୟୋଗ ମୁଖପାତ୍ର ଇବ୍ରାହୀମ ରେଜାଇ ଏକ ଟ୍ୱିଟ୍ କରିଛନ୍ତି। ଏଥିରେ ସେ ଟ୍ରମ୍ପ ଓ ଆମେରିକାକୁ ହସରେ ଉଡାଇଛନ୍ତି। ସେ ଏକ୍ସ ରେ ଲେଖିଛନ୍ତି ଯେ ‘ଟ୍ରମ୍ପ ଓ ଆମେରିକା ପୁଣି ଥରେ ପଛକୁ ହଟିଲେ, ମୈଦାନ ଏବେବି ଆଗକୁ ବଢୁଛି। ସୈତାନର ଆଉ ଏକ ହାର’। ଇରାନ ସରକାରୀ ମିଡିଆ ମଧ୍ୟ ତତ୍କାଳ ଟ୍ରମ୍ପଙ୍କ ବୟାନକୁ ପରିହାସ କରି ‘ଟ୍ରମ୍ପ ପୁଣି ଥରେ ପଛକୁ ହଟିଛନ୍ତି’ ବୋଲି ଉଲ୍ଲେଖ କରିଛି। ଆଇଆରଆଇବି ଏକ୍ସ ରେ ଟ୍ୱିଟ୍ କରି ଲେଖିଛି ଯେ ‘ଇରାନର ପ୍ରତିକ୍ରିୟା ଡରରେ ଟ୍ରମ୍ପ ତାଙ୍କ ୪୮ ଘଣ୍ଟାର ଅଲ୍ଟିମେଟମକୁ ପ୍ରତ୍ୟାହାର କରିନେଇଛନ୍ତି ‘।

କିଛି ଦିନ ପୂର୍ବରୁ ଇରାନ ବୈଦେଶିକ ମନ୍ତ୍ରୀ ସୈୟଦ ଅବାସ ଅରାଘଚୀ ଏବେର ଯୁଦ୍ଧ ଉପରେ ଆମେରିକା ସରକାରଙ୍କ ବୟାନକୁ ଭିଏତନାମ ଯୁଦ୍ଧକାଳରେ ଦିଆଯାଇଥିବା ବୟାନ ସହ ତୁଳନା କରିଥିଲେ। ସେ କହିଛନ୍ତି ଯେ ୱାସିଂଟନ ଏଭଳି ଦାବି ଦୋହରାଉଛି।

ଯୁଦ୍ଧ କ୍ଷୟକ୍ଷତି
ଆମେରିକାର ଧମକ ପରେ ଇରାନ ଗଲ୍ଫ ଦେଶଙ୍କ ପାୱାର ପ୍ଲାଣ୍ଟ ଉପରେ ବୋମାବର୍ଷା ଧମକ ଦେଇଥିଲା। ଏବେ ଟ୍ରମ୍ପ ନୂଆ ଘୋଷଣା କରିଥିବା ବେଳେ ଇରାନ ମଧ୍ୟ ଏପରି କିଛି କରି ନପାରେ। ଯୁଦ୍ଧ ଆରମ୍ଭ ହେବା ପରଠାରୁ ଏପର୍ଯ୍ୟନ୍ତ ମୃତକଙ୍କ ସଂଖ୍ୟା ୧,୫୦୦ ପାର କରିଥିବା ସ୍ୱାସ୍ଥ୍ୟମନ୍ତ୍ରାଳୟ ସୂଚୀତ କରିଥିବା ବେଳେ ଏହାର ଜବାବରେ ଇରାନ କରିଥିବା କାର୍ଯ୍ୟାନୁଷ୍ଠାନରେ ଇସ୍ରାଏଲରେ ୧୫ ଜଣ ପ୍ରାଣ ହରାଇଥିବା, ୱେଷ୍ଟବ୍ୟାଙ୍କ ଓ ଗଲ୍ଫ ଦେଶମାନଙ୍କ ରେ ୧୩ ଆମେରିକୀୟ ସୈନିକଙ୍କ ସମେତ ୧୨ରୁ ଅଧିକ ସିଭିଲିଆନ ପ୍ରାଣହରାଇଥିବା କହିଛି। ସେହିପରି ଯୁଦ୍ଧ ଆରମ୍ଭ ପରଠାରୁ ବିଶ୍ୱରେ ତୈଳ ମୂଲ୍ୟ ଲଗାତାର ଉଚ୍ଚା ହୋଇ ଚାଲିଛି। ଅନ୍ତର୍ଜାତୀୟ ମାନକ ବ୍ରେଣ୍ଟ କ୍ରୁଡ ବ୍ୟାରଲପିଛା ଦର ୧୧୩ ଡଲାର ଥିଲା, ଯାହା ଯୁଦ୍ଧ ପରେ ୫୫% ବଢିଛି।

Also Read..
ନିଜେ ଦେଇଥିଲେ ଅଲ୍ଟିମେଟମ, ଏବେ ପଛକୁ ହଟିଲେ ଟ୍ରମ୍ପ; ଇରାନର ପାଓ୍ବାର ପ୍ଲାଣ୍ଟ ଉପରେ ଆକ୍ରମଣ କରିବନି ଆମେରିକା

Scroll to Top