ଭେନେଜୁଏଲାର ରାଷ୍ଟ୍ରପତି ନିକୋଲାସ ମାଦୁରୋଙ୍କ ବିରୋଧରେ ଡ୍ରଗ୍ସ ଚୋରାଚାଲାଣ କରୁଥିବା ଅଭିଯୋଗ ଆଣିଛି ଆମେରିକାର ଟ୍ରମ୍ପ ପ୍ରଶାସନ। ଆମେରିକା କର୍ତ୍ତୃପକ୍ଷ ତାଙ୍କ ସହିତ ଜଡିତ ୩୦ ଟନ୍ ରୁ ଅଧିକ କୋକେନ୍ ଏବଂ ୭୦୦ ନିୟୁତ ଡଲାରରୁ ଅଧିକ ସମ୍ପତ୍ତି ଜବତ କରିଛନ୍ତି।
ବିଶ୍ବର ଅନ୍ୟତମ ସବୁଠୁ ବଡ ଡ୍ରଗ୍ସ ମାଫିଆ ମୁଣ୍ଡ ଉପରେ ସର୍ବାଧିକ ପୁରସ୍କାର ରାଶି। ସେ କୌଣସି ସାଧାରର ଡ୍ରଗ୍ସ ମାଫିଆ ନୁହଁ, ସେ ହେଉଛନ୍ତି ଭେନେଜୁଏଲାର ରାଷ୍ଟ୍ରପତି ନିକୋଲାସ ମାଦୁରୋ। ତାଙ୍କ ଗିରଫଦାରୀ ପାଇଁ ୫ କୋଟି ଡଲାର (ଭାରତୀୟ ମୁଦ୍ରାରେ ୪୩୮ କୋଟି ଟଙ୍କା) ପୁରସ୍କାର ରାଶି ଘୋଷଣା କରିଛି ଟ୍ରମ୍ପ ପ୍ରଶାସନ। ମାଦୁରୋ ବିଶ୍ବର ସବୁଠୁ ବଡ ଡ୍ରଗ୍ସ ଚୋରାଚାଲାଣକାରୀ ବୋଲି ଅଭିଯୋଗ କରିଛି ଆମେରିକା। ଏହା ସହ ଆମେରିକାକୁ ବ୍ୟାପକ ମାତ୍ରାର ଫେଣ୍ଟାନାଇଲ୍ ମିଶ୍ରିତ କୋକେନ୍ ଯୋଗାଇବା ପାଇଁ ବିଭିନ୍ନ ଆନ୍ତର୍ଜାତୀୟ ରାକେଟ ସହ ଜଡିତ ଥିବା ଅଭିଯୋଗ କରିଛି ଆମେରିକା।
ଆମେରିକାର ଆଟର୍ଣ୍ଣି ଜେନେରାଲ ପାମ୍ ବଣ୍ଡି X ରେ ପୋଷ୍ଟ ହୋଇଥିବା ଏକ ଭିଡିଓରେ ମାହୁରୋଙ୍କ ଗିରଫ ପାଇଁ ଘୋଷଣା କରି କହିଛନ୍ତି, ଭେନେଜୁଏଲାର ରାଷ୍ଟ୍ରପତି ମାରାତ୍ମକ ସିନ୍ଥେଟିକ୍ ଓପିଓଏଡ୍ ଫେଣ୍ଟାନିଲ୍ ସମେତ ଆମେରିକାକୁ ଅବୈଧ ନିଶା ଦ୍ରବ୍ୟ ଚାଲାଣ ପାଇଁ ସହଯୋଗୀ “ଆତଙ୍କବାଦୀ” ଗୋଷ୍ଠୀଗୁଡ଼ିକୁ ବ୍ୟବହାର କରୁଛନ୍ତି। ମାଦୁରୋ ଆମ ଦେଶରେ ବ୍ୟାପକ ହିଂସାକାଣ୍ଡ ଘଟାଇବା ପାଇଁ TdA (ଟ୍ରେନ୍ ଡି ଆରାଗୁଆ), ସିନାଲୋଆ ଏବଂ କାର୍ଟେଲ୍ ଅଫ୍ ଦି ସନ୍ସ (କାର୍ଟେଲ୍ ଡି ସୋଲ୍ସ) ପରି ବିଦେଶୀ ଆତଙ୍କବାଦୀ ସଂଗଠନଗୁଡ଼ିକୁ ବ୍ୟବହାର କରୁଛନ୍ତି। ସେ ବିଶ୍ୱର ସବୁଠାରୁ ବଡ଼ ଡ୍ରଗ୍ସ-ଚାଲାଣକାରୀଙ୍କ ମଧ୍ୟରୁ ଜଣେ ଏବଂ ଆମର ଜାତୀୟ ସୁରକ୍ଷା ପାଇଁ ବିପଦ। ତାଙ୍କୁ ତାଙ୍କର ଘୃଣ୍ୟ ଅପରାଧ ପାଇଁ ଦାୟୀ କରାଯିବ। ଟ୍ରମ୍ପଙ୍କ ନେତୃତ୍ବାଧୀନ ପ୍ରଶାସନରେ ଦଣ୍ଡ ପାଇବାରୁ ବର୍ତ୍ତି ଯାଇ ପାରିବେ ନାହିଁ।
ବଣ୍ଡି କହିଛନ୍ତି, ଆମେରିକା କର୍ତ୍ତୃପକ୍ଷ ତାଙ୍କ ସହିତ ଜଡିତ ୩୦ ଟନ୍ ରୁ ଅଧିକ କୋକେନ୍ ଏବଂ ୭୦୦ ନିୟୁତ ଡଲାରରୁ ଅଧିକ ସମ୍ପତ୍ତି ଜବତ କରିଛନ୍ତି, ଯେଉଁଥିରେ ତାଙ୍କ ସହିତ ଜଡିତ ବ୍ୟକ୍ତିଗତ ଜେଟ୍ ଏବଂ ଯାନବାହାନ ମଧ୍ୟ ସାମିଲ ଅଛି। ଜବତ କୋକେନ ମଧ୍ୟରୁ ୭ ଟନ୍ କେବଳ ମାଦୁରୋଙ୍କ ସହିତ ସିଧାସଳଖ ଜଡିତ।
Also Read
ଡୋନାଲ୍ଡ ଟ୍ରମ୍ପଙ୍କ ରାଷ୍ଟ୍ରପତିତ୍ୱ ସମୟରେ ୨୦୨୦ମସିହାରେ ମାଦୁରୋଙ୍କ ବିରୋଧରେ ମାନହାଟନର ଏକ ଆମେରିକୀୟ ସଂଘୀୟ ଅଦାଲତରେ ପ୍ରଥମେ ଅଭିଯୋଗ ହୋଇଥିଲା। ତାଙ୍କର ନିକଟତମ ସହଯୋଗୀ ଗ୍ୟାଙ୍ଗ ବିରୋଧରେ ନାର୍କୋ-ଆତଙ୍କବାଦ ଏବଂ କୋକେନ୍ ଆମଦାନୀ ଷଡ଼ଯନ୍ତ୍ର ଅଭିଯୋଗ ହୋଇଥିଲା।
ସେତେବେଳେ ଆମେରିକା ତାଙ୍କୁ ଧରିବା ପାଇଁ ୧.୫ କୋଟି ଡଲାର ପୁରସ୍କାର ରାଶି ଘୋଷଣା କରିଥିଲା। ପରେ ବାଇଡେନ ପ୍ରଶାସନ ସମୟରେ ଏହି ରାଶିକୁ ୨୫ ନିୟୁତ ଡଲାର ବା ୨.୫ କୋଟି ଡଲାରକୁ ବୃଦ୍ଧି କରାଯାଇଥିଲା। ଏହି ସମାନ ପରିମାଣ ଥରେ ଓସାମା ବିନ୍ ଲାଡେନକୁ ଧରିବା ପାଇଁ ମଧ୍ୟ ଘୋଷଣା କରିଥିଲା ଆମେରିକା।
ଅନ୍ତର୍ଜାତୀୟ ସ୍ତରରେ ତାଙ୍କୁ ନିନ୍ଦା ମିଳୁଥିବା ବେଳେ ବହିଷ୍କାର ପାଇଁ ମଧ୍ୟ ବାରମ୍ବାର ଦାବି ହୋଇ ଆସୁଛି। ତା ସତ୍ତ୍ୱେ, ମାଦୁରୋ କ୍ଷମତାରେ ରହି ଆସିଛନ୍ତି। ୨୦୨୪ ମସିହାର ପୁନଃନିର୍ବାଚନକୁ ଆମେରିକା, ୟୁରୋପୀୟ ୟୁନିଅନ ଏବଂ ଅନେକ ଲାଟିନ୍ ଆମେରିକୀୟ ରାଷ୍ଟ୍ର ଦ୍ୱାରା ବ୍ୟାପକ ଭାବରେ ଅବୈଧ ବୋଲି ଦର୍ଶାଇ ନିନ୍ଦା କରାଯାଇଥିଲା। ଏହି ସମୂହ ରାଷ୍ଟ୍ରମାନେ ମାଦୁରୋଙ୍କ ପ୍ରତିଦ୍ବନ୍ଦୀଙ୍କୁ ନିର୍ବାଚିତ ରାଷ୍ଟ୍ରପତି ରୂପେ ସ୍ବୀକୃତି ଦେଇଥିଲେ। ଏତା ସବୁ ବିବାଦ ମଧ୍ୟରେ ବି ମାଦୁରୋ ତାଙ୍କ ପଦ ବଜାୟ ରଖିଛନ୍ତି।




